ହାଇଦ୍ରାବାଦ: ଭାରତରେ ଜାରି ରହିଥିବା ଆଇସିସି ଦିନିକିଆ ବିଶ୍ବକପ୍ ୨୦୨୩ରେ ପାକିସ୍ତାନ ଟିମ୍ର ଶୋଚନୀୟ ପ୍ରଦର୍ଶନ ଜାରି ରହିଛି । ଆରମ୍ଭରୁ କ୍ରମାଗତ ୨ଟି ମ୍ୟାଚ୍ ଜିତି ବିଶ୍ବକପ୍ ଅଭିଯାନ ଆରମ୍ଭ କରିଥିବା ବାବାର ବାହିନୀ ଏହାପରେ ଲଗାତାର ଭାବେ ୪ ମ୍ୟାଚ୍ ଶୋଚନୀୟ ଭାବେ ହାରିଛି । ଯାହାକୁ ନେଇ ପାକିସ୍ତାନରେ ନିଜ ଦେଶର କ୍ରିକେଟରଙ୍କୁ ବେଶ ସମାଲୋଚନା କରାଯାଉଛି । ଏପରିକି ଦଳର ପୂର୍ବତନ ଅଧିନାୟକ ତଥା ପିସିବି ମୁଖ୍ୟ ଚୟନ କର୍ତ୍ତା ଇଞ୍ଜମାମ୍ ଉଲ୍ ହକ୍ଙ୍କୁ ମଧ୍ୟ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଛି । ଏହାରି ମଧ୍ୟରେ ସୋମବାର ମୁଖ୍ୟ ଚୟନ କର୍ତ୍ତା ପଦରୁ ଇସ୍ତଫା ଦେଇଛନ୍ତି ଇଞ୍ଜମାମ୍ ଉଲ୍ ହକ୍ ।
ବିଶ୍ବକପ୍ ୨୦୨୩ରେ ଲଗାତର ଭାବେ ଖରାପ ପ୍ରଦର୍ଶନ କରି ଆସୁଛି ପାକିସ୍ତାନ ଦଳ । ଏନେଇ ପାକିସ୍ତାନରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ କ୍ରିକେଟରମାନେ ଦଳକୁ ତୀବ୍ର ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି । କେହି ବାବର ଆଜମଙ୍କ ନେତୃତ୍ବକୁ ଦାୟୀ କରୁଥିବାବେଳେ କେହି ଚୟନ କର୍ତ୍ତାଙ୍କୁ ଦାୟୀ କରିଛନ୍ତି । ଏଭଳି ବିଭିନ୍ନ ସମାଲୋଚନା କାରଣରୁ ଇଞ୍ଜମାମ୍ ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ଚୟନ କର୍ତ୍ତା ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି । ସୋମବାର ଇଞ୍ଜମାମ ତାଙ୍କ ଇସ୍ତଫାପତ୍ର ପିସିବି ମୁଖ୍ୟ ଜାକା ଅଶ୍ରଫଙ୍କୁ ପଠାଇ ଦେଇଛନ୍ତି ।