ଓଡିଶା

odisha

ବଡ ମ୍ୟାଚର ହିରୋ ବେନ୍‌ ଷ୍ଟୋକ୍ସ, ବିଶ୍ବ ଚମ୍ପିଆନ୍ ହେବା ପରେ ହେଲେ ଭାବବିହ୍ବଳ

By

Published : Nov 13, 2022, 8:54 PM IST

ବିଶ୍ବ ଚମ୍ପିଆନ୍ ହେବା ପରେ ଭାବ ବିହ୍ବଳ ହେଲେ ବେନ୍ ଷ୍ଟକ୍ସ । ଷ୍ଟୋକ୍ସ ଫାଇନାଲ ମ୍ୟାଚ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଦାୟିତ୍ବବାନ ଇନିଂସ ଖେଳି ଦଳକୁ ବିଜୟର ସ୍ବାଦ ଚଖାଇଥିଲେ । ଅଧିକ ପଢନ୍ତୁ

ବଡ ମ୍ୟାଚର ହିରୋ ଷ୍ଟୋକ୍ସ, ବିଶ୍ବ ଚମ୍ପିଆନ୍ ହେବା ପରେ ହେଲେ ଭାବ ବିହ୍ବଳ
ବଡ ମ୍ୟାଚର ହିରୋ ଷ୍ଟୋକ୍ସ, ବିଶ୍ବ ଚମ୍ପିଆନ୍ ହେବା ପରେ ହେଲେ ଭାବ ବିହ୍ବଳ

ମେଲବର୍ଣ୍ଣ:ବିଶ୍ବ ଚମ୍ପିଆନ୍ ହେବା ପରେ ଭାବ ବିହ୍ବଳ ହେଲେ ବେନ୍ ଷ୍ଟୋକ୍ସ । ଶେଷ ହୋଇଛି ମିଶନ ମେଲବର୍ଣ୍ଣ ପାଇଁ ଲଢେଇ । ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୫ ୱିକେଟରେ ମାତ୍ ଦେଇ ବିଶ୍ବ ଚମ୍ପିଆନ ହୋଇଛି ଇଂଲିସ୍ ଟିମ୍ । ତେବେ ଏହି ମ୍ୟାଚ ବିଜୟୀର ହିରୋ ସାଜିଥିଲେ ଇଂଲଣ୍ଡର ଦମ୍‌ଦାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ । ଷ୍ଟୋକ୍ସ ଫାଇନାଲ ମ୍ୟାଚ ଭଳି ଗୁରୁତ୍ବପୂର୍ଣ୍ଣ ମ୍ୟାଚରେ ଦାୟିତ୍ବବାନ ଇନିଂସ ଖେଳି ଦଳକୁ ଚମ୍ପିଆନ୍‌ କରାଇଛନ୍ତି । ବେନ୍ ଷ୍ଟୋକ୍ସଙ୍କ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ବିଜୟ ଲକ୍ଷ୍ୟକୁ ହାସଲ କରିବାରେ ସକ୍ଷମ ହୋଇପାରିଛି । ତେବେ ମ୍ୟାଚ ବିଜୟୀ ପରେ ସେ ଭାବ ବିହ୍ବଳ ହୋଇ ପଡିଥିବା ନଜର ଆସିଥିଲେ ।

କେବଳ ୨୦୨୨ ଟି୨୦ ବିଶ୍ବକପ୍ ନୁହେଁ ୨୦୧୯ ଦିନିକିଆ ବିଶ୍ବକପରେ ମଧ୍ୟ ଲଢୁଆ ଇନିଂସ ଖେଳି ଦଳକୁ ବିଶ୍ବ ବିଜେତା ବନାଇଥିଲେ ବେନ୍ ଷ୍ଟୋକ୍ସ । ଟ୍ରଫି ହାତେଇବାକୁ ଇଂଲଣ୍ଡ ଆଗରେ ରହିଥିଲା ୧୩୮ ରନର ଟାର୍ଗେଟ । ଅବଶ୍ୟ ଇଂଲଣ୍ଡ ପାଇଁ ଏହା ବଡ ଟାର୍ଗେଟ ନ ଥିଲା । ଲାଗୁଥିଲା ଭାରତକୁ ହରାଇଲା ଭଳି ୧୬ ଓଭରରୁ ହିଁ ଇଂଲଣ୍ଡ ଆଗୁଆ ଟାର୍ଗେଟ ହାସଲ କରି ଫଟାଫଟ ମହାସମରର ଅନ୍ତ ଘଟାଇବ । ହେଲେ ସେଭଳି କିଛି ଘଟି ନ ଥିଲା । ପ୍ରଥମ ଓଭରରୁ ହିଁ ଫାଷ୍ଟ ବୋଲର ସାହିନ୍ ଆଫ୍ରିଦି ଓପନର ଆଲେକ୍ସ ହେଲ୍ସଙ୍କ ୱିକେଟ ନେଇ ଇଂଲଣ୍ଡକୁ ଶକ୍ତ ଝଟକା ଦେଇଥିଲା । ୫.୩ ଓଭର ୪୫ ରନରେ ଦଳ ୩ ୱିକେଟ ହରାଇସାରିବା ପରେ ଇଂଲଣ୍ଡର ବିଜୟ ଆଶା ଧୀରେଧୀରେ ମଳିନ ପଡ଼ିବାରେ ଲାଗିଥିଲା ।

ସ୍କୋର ବୋର୍ଡକୁ ଆଗକୁ ବଢାଇବା ପାଇଁ ଦଳ ଉପରେ ଚାପ ପଡଥିଲା । ଇଂଲଣ୍ଡ ବ୍ୟାଟର ନର୍ଭସ ହୋଇପଡିଥିଲେ । ବଡ ସଟ୍ ଖେଳିବା ଲକ୍ଷ୍ୟରେ ମୋଇନ ଅଲୀ ଓ ହ୍ୟାରି ବ୍ରୁକଙ୍କ ଭଳି ଦମଦାର ବ୍ୟାଟର ପାକିସ୍ତାନ ବୋଲରଙ୍କ ଶିକାର ହୋଇଥିଲେ । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଦଳ ପାଇଁ ସଙ୍କଟମୋଚକ ସାଜିଥିଲେ ବେନ୍ ଷ୍ଟୋକ୍ସ । ସେ ମଇଦାନରେ ଆତ୍ମବିଶ୍ବାସର ସହିତ ବ୍ୟାଟିଂ ଜାରି ରଖିଥିଲେ । ଯେପରି ବିଶ୍ବ ଚମ୍ପିଆନ୍ ହେବା ଜିଦ୍‌ରେ ପାଳି ଖେଳୁଥିଲେ ଷ୍ଟୋକ୍ସ । ଶେଷରେ ସେ ୪୯ ବଲ୍‌ରୁ ୫ ଟି ଚୌକା ଓ ଗୋଟିଏ ଛକା ସହିତ ୫୨ ରନ ଦାୟିତ୍ବବାନ ଇନିଂସ ଖେଳିବା ସହିତ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୬ଟି ବଲ୍‌ ବାକି ଥାଇ ଦଳକୁ ବିଜୟର ସ୍ବାଦ ଚଖାଇଥିଲେ । ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୩୭ ରନ୍ କରିଥିଲା । ଏହାର ଜବାବରେ ଇଂଲିସ୍ ଟିମ୍ ୧୯ ଓଭରରେ ୫ ୱିକେଟ ହରାଇ ୧୩୮ ରନ କରି ପାକିସ୍ତାନଠାରୁ ବିଶ୍ବକପ୍‌ ଛଡ଼ାଇ ନେଇଛି ।

ABOUT THE AUTHOR

...view details