ଓଡିଶା

odisha

ଆସନ୍ତା ବର୍ଷ ବିସିସିଆଇର ଟି-10 ଲିଗ୍ !

By ETV Bharat Odisha Team

Published : Dec 16, 2023, 5:47 PM IST

Tier 2 T10 league: ଆଇପିଏଲ୍‌ର ସଫଳତା ପରେ ଏବେ ଆଉ ଏକ ଲିଗ୍‌ ଆରମ୍ଭ କରିବାକୁ ଯୋଜନା କରୁଛି ବିସିସିଆଇ । ରିପୋର୍ଟ ଅନୁସାରେ ୧୦ ଓଭର ଫର୍ମାଟ୍‌ରେ ଏହି ଲିଗ୍‌ ଆୟୋଜନ କରାଯିବ । ୨୦୨୪ରେ ଟାୟାର-୨ ଟି୧୦ କ୍ରିକେଟ୍‌ ଲିଗ୍‌ ଆୟୋଜନ କରିବାକୁ ବିସିସିଆଇ ଚିନ୍ତା କରୁଥିବା ଖବର ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ

ଟି୧୦ ଲିଗ୍‌ ନେଇ ଯୋଜନା କରୁଛି ବିସିସିଆଇ
ନୂଆ ରୂପରେ ଆସିବ ନୂଆ ଆଇପିଏଲ୍‌

ହାଇଦ୍ରାବାଦ: ବିଶ୍ବର ସବୁଠାରୁ ଦାମୀ ଓ ଲୋକପ୍ରିୟ କ୍ରିକେଟ୍‌ ପ୍ରିମିୟର ଲିଗ୍‌ ହୋଇପାରିଛି ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) । ଏହି ହାଇପ୍ରୋଫାଇଲ୍‌ ଟି୨୦ ଲିଗ୍‌ର ୧୭ତମ ସଂସ୍କରଣ ପାଇଁ ବିସିସିଆଇ ପ୍ରସ୍ତୁତ ହେଉଥିବାବେଳେ ପ୍ରଶଂସକମାନଙ୍କ ପାଇଁ ଆସିଛି ଆଉ ଏକ ବଡ଼ ଖବର । ଆଇପିଏଲ୍‌ର ସଫଳତା ପରେ ୨୦୨୪ରେ ଟାୟାର-୨ ଟି୧୦ ଲିଗ୍‌ ଆୟୋଜନ କରିବାକୁ ଚିନ୍ତା କରୁଛି ବିସିସିଆଇ । ବିସିସିଆଇ ସଚିବ ଜୟ ଶାହ ପ୍ରସ୍ତାବିତ ଲିଗ୍‌ ପାଇଁ ଏକ ବ୍ଲ୍ୟୁ ପ୍ରିଣ୍ଟ୍‌ ଉପରେ କାମ କରୁଛନ୍ତି ଏବଂ ସମ୍ଭାବ୍ୟ ପ୍ରଯୋଜକମାନଙ୍କ ସହିତ ଅନ୍ୟାନ୍ୟ ହିତାଧିକାରୀମାନେ ଏହି ଲିଗ୍‌କୁ ନେଇ ବିଭିନ୍ନ ସମ୍ଭାବନାକୁ ଅନୁଧ୍ୟାନ କରୁଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଏପରିକି ଭାରତୀୟ କ୍ରିକେଟ୍‌ ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ମଧ୍ୟରେ ଏହି ନୂତନ କ୍ରିକେଟ୍‌ ଲିଗ୍‌ ସ୍ଲଟ୍‌ କରିବାକୁ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଏକ ଫାଙ୍କା ସମୟ ବିସିସିଆଇ ଖୋଜୁଥିବା ସୂଚନା ମିଳିଛି ।

ଚରମ ସଫଳତା ପାଇଛି IPL: ୨୦୦୮ରେ ଫଟାଫଟ୍‌ ଟି୨୦ ଫର୍ମାଟ୍‌ରେ ଆରମ୍ଭ ହୋଇଥିଲା ଇଣ୍ଡିଆନ୍‌ ପ୍ରିମିୟର୍‌ ଲିଗ୍‌ (ଆଇପିଏଲ୍‌) । ଏହା ସାରା ବିଶ୍ବରେ ଟି୨୦ କ୍ରିକେଟ୍‌ର ଲୋକପ୍ରିୟତାକୁ ବଢ଼ାଇଥିଲା । ପ୍ରାୟୋଜକ ତଥା ପ୍ରସାରଣ ଅଧିକାର ମାଧ୍ୟମରେ ବୋର୍ଡ ପାଇଁ ବିପୁଳ ରାଜସ୍ବ ମଧ୍ୟ ଆଣିଥିଲା ଏହି ପ୍ରିମିୟର ଲିଗ୍‌ । ଫଳରେ ଏହାର ସଫଳତା ଅନ୍ୟ ଦେଶମାନଙ୍କୁ ସମାନ ଲିଗ୍ ଆରମ୍ଭ କରିବାକୁ ଉତ୍ସାହିତ କରିଥିଲା । ବର୍ତ୍ତମାନ ସମୟରେ ବିଶ୍ବବ୍ୟାପୀ ଟି୨୦ ଫର୍ମାଟ୍‌ ଖେଳର ପ୍ରାଧାନ୍ୟ ବୃଦ୍ଧି ପାଇଛି । ବିଶ୍ବରେ ବିସିସିଆଇ ସବୁଠାରୁ ଧନୀ କ୍ରିକେଟ୍‌ ବୋର୍ଡ ହୋଇଥିବାବେଳେ ଏହି ତାଲିକାରେ ଦ୍ବିତୀୟରେ ରହିଛି କ୍ରିକେଟ୍‌ ଅଷ୍ଟ୍ରେଲିଆ । ହେଲେ ଅଷ୍ଟ୍ରେଲିଆ କ୍ରିକେଟ୍‌ ବୋର୍ଡ ଠାରୁ ବିସିସିଆଇର ସମ୍ପତ୍ତି ୨୮ ଗୁଣ ଅଧିକା । ସବୁଠାରୁ ବଡ଼ କଥା ହେଉଛି ଆଇସିସିର ପ୍ରାୟ ୮୦ ପ୍ରତିଶତରୁ ଅଧିକ ଆୟ ରୋଜଗାର କରୁଥିବା ବିସିସିଆଇ ସର୍ବାଧିକ ରୋଜଗାର ଏହି ଘରୋଇ ଟି୨୦ ଲିଗ୍‌ ଆଇପିଏଲ୍‌ରୁ କରୁଛି । ଫଳରେ ଏବେ ୧୦ ଓଭର ଫର୍ମାଟ୍‌ରେ ପୁଣି ଏକ ଘରୋଇ ଲିଗ୍‌ ନେଇ ପ୍ରସ୍ତୁତି ଆରମ୍ଭ କରିଛି ବିସିସିଆଇ ।

ଏହା ମଧ୍ୟ ପଢ଼ନ୍ତୁ...ବିଶ୍ବର ସବୁଠୁ ଧନୀ ବୋର୍ଡ BCCI, କ୍ରିକେଟ୍‌ ଅଷ୍ଟ୍ରେଲିଆ ଠାରୁ ୨୮ ଗୁଣ ଅଧିକା ସମ୍ପତ୍ତି

ଟାୟାର-୨ ଟି୧୦ ଲିଗ୍‌ କରିବ ବିସିସିଆଇ: ଏକ ରିପୋର୍ଟରୁ ମିଳିଥିବା ଖବର ଅନୁଯାୟୀ ୧୦ ଓଭର ଫର୍ମାଟ୍‌ରେ ଏକ କ୍ରିକେଟ୍‌ ଲିଗ୍‌ ଆରମ୍ଭ କରିବାକୁ ଯୋଜନା କରୁଛି ବିସିସିଆଇ । ଏହି ଯୋଜନାକୁ ବୋର୍ଡର ସେୟାର-ହୋଲ୍ଡରମାନେ ମଧ୍ୟ ସ୍ବାଗତ କରିଛନ୍ତି । ହେଲେ ଏନେଇ ଏବେ ପର୍ଯ୍ୟନ୍ତ କୌଣସି ଆଧିକାରୀକ ଘୋଷଣା ହୋଇନାହିଁ । ଯୋଜନା ଅନୁସାରେ ଅଂଶଗ୍ରହଣକାରୀ ଖେଳାଳିଙ୍କ ବୟସ ସୀମା ଉପରେ ମଧ୍ୟ ବିଚାର କରାଯାଉଛି । ଆଇପିଏଲ୍‌ କିମ୍ବା ଅନ୍ତର୍ଜାତୀୟ କ୍ରିକେଟ୍ ଉପରେ ଯେପରି ଏହାର ପ୍ରଭାବ ନପଡ଼ିବ, ସେନେଇ ଖେଳାଳିଙ୍କ ବୟସ ସୀମା ଧାର୍ଯ୍ୟ କରିବାକୁ ବିଚାର କରାଯାଉଥିବା ଆଲୋଚନା ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details