ଓଡିଶା

odisha

Dope Test: ୨ ବର୍ଷରେ ରୋହିତ ଦେଇଛନ୍ତି ୬ ଥର, ଥରେ ବି ଦେଇନାହାନ୍ତି କୋହଲି-ପାଣ୍ଡ୍ୟା

By

Published : Jul 23, 2023, 10:32 PM IST

ଗତ ୨ ବର୍ଷରେ ୬ ଥର ଡୋପ୍‌ ଟେଷ୍ଟ୍‌ର ସାମ୍ନା କରିଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା । ସେପଟେ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି କ୍ରିକେଟର ଥରୁଟିଏ ମଧ୍ୟ ଏହି ପରୀକ୍ଷା ଦେଇନଥିବା ଏକ ଆର୍‌ଟିଆଇ ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢ଼ନ୍ତୁ

୨ ବର୍ଷରେ ୬ ଥର ଡୋପ ଟେଷ୍ଟ ଦେଇଛନ୍ତି ରୋହିତ ଶର୍ମା
୨ ବର୍ଷରେ ୬ ଥର ଡୋପ ଟେଷ୍ଟ ଦେଇଛନ୍ତି ରୋହିତ ଶର୍ମା

ନୂଆଦିଲ୍ଲୀ: ବିଭିନ୍ନ କ୍ରୀଡ଼ାରେ ଖେଳାଳୀଙ୍କୁ ଡୋପ୍‌ ଟେଷ୍ଟ୍‌ ଦେବାକୁ ପଡ଼ିଥାଏ । ତେବେ ଏକ ଆର୍‌ଟିଆଇ ରିପୋର୍ଟ ଅନୁସାରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ ଗତ ୨ ବର୍ଷରେ ସର୍ବାଧିକ ୬ ଥର ଡୋପ୍ ଟେଷ୍ଟର ସାମ୍ନା କରିବାକୁ ପଡିଛି । ଗତ ୨ ବର୍ଷରେ ସବୁଠାରୁ ଅଧିକ ଥର ଡୋପ୍ ଟେଷ୍ଟ ଦେଇଥିବା କ୍ରିକେଟର ହେଉଛନ୍ତି ଅଧିନାୟକ ରୋହିତ ଶର୍ମା । ରୋହିତଙ୍କ ଏହି ପରୀକ୍ଷା ମୁମ୍ବାଇ, ଅହମ୍ମଦାବାଦ, ଚେନ୍ନାଇ ଏବଂ ୟୁଏଇରେ କରାଯାଇଛି । ଅନ୍ୟପଟେ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି କ୍ରିକେଟର ଏହି ସମୟ ମଧ୍ୟରେ ଥରେ ମଧ୍ୟ ଡୋପ୍‌ ଟେଷ୍ଟର ସାମ୍ନା କରିନଥିବା ଜଣାପଡ଼ିଛି ।

ଏହି ରିପୋର୍ଟ ଅନୁସାରେ ଗତ ୨ ବର୍ଷରେ ଋଷଭ ପନ୍ତ, ସୂର୍ଯ୍ୟକୁମାର ଯାଦବ ଓ ଚେତେଶ୍ବର ପୂଜାରାଙ୍କ ସମେତ ୭ ଜଣ ଖେଳାଳୀଙ୍କର ଥରେ ଲେଖାଁଏ ଡୋପ ଟେଷ୍ଟ କରାଯାଇଛି । ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ଅନ୍ୟ କେତେଜଣ ଖେଳାଳୀଙ୍କ କୌଣସି ଟେଷ୍ଟ କରାଯାଇ ନାହିଁ । ବିସିସିଆଇ ଦ୍ବାରା ଚୁକ୍ତିବଦ୍ଧ ୨୫ ଖେଳାଳୀଙ୍କ ମଧ୍ୟରୁ ୧୨ ଜଣଙ୍କର କୌଣସି ଟେଷ୍ଟ ହୋଇ ନାହିଁ । ଏହି କ୍ରିକେଟରମାନଙ୍କ ମଧ୍ୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଦ୍ରୁତ ବୋଲର ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ, ଶାର୍ଦ୍ଦୁଲ ଠାକୁର, ଅର୍ଶଦୀପ ସିଂ, ଶ୍ରେୟସ୍ ଆୟର, ଦୀପକ ହୁଡ୍ଡା, ୱିକେଟ୍ କିପର ବ୍ୟାଟର ସଞ୍ଜୁ ସାମସନ୍, ଶ୍ରୀକର ଭରତ ଏବଂ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଅଛନ୍ତି । ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସି(WADA) ପକ୍ଷରୁ ଏହି ରିପୋର୍ଟ ଜାରି କରାଯାଇଛି । ଏକ ଆରଟିଆଇ ଅବେଦନ ଯୋଗୁଁ ନାଡା ଏହି ତଥ୍ୟ ପ୍ରଦାନ କରିଛି ।

ଏହା ମଧ୍ୟ ପଢ଼ନ୍ତୁ...ଡୋପ ଟେଷ୍ଟରେ ଧରାପଡିଲେ ଜିମନାଷ୍ଟ ଦୀପା କର୍ମାକର, 21 ମାସ ପାଇଁ ବାସନ୍ଦ କଲା ଆଇଟିଏ

ୱାଡା ଗତ ୨ ବର୍ଷରେ ୫୯୬୧ ଟେଷ୍ଟ କରିଥିବା ରିପୋର୍ଟରେ ପ୍ରକାଶ କରିଛି । ଏଥିରେ ଆଥଲେଟିକ୍ସଙ୍କର ସର୍ବାଧିକ ୧୭୧୭ ଟେଷ୍ଟ ହୋଇଛି । ମହିଳା କ୍ରିକେଟରଙ୍କ ମଧ୍ୟରେ ହରମନପ୍ରୀତ କୌର ଏବଂ ସ୍ମୃତି ମାନ୍ଧାନାଙ୍କୁ ସର୍ବାଧିକ ୩-୩ ଥର ପରୀକ୍ଷା ଦେବାକୁ ପଡ଼ିଛି । ବିସିସିଆଇ ୨୦୨୨-୨୩ ଋତୁ ପାଇଁ କେନ୍ଦ୍ରୀୟ ଚୁକ୍ତି ତାଲିକାରେ ଏଥର ୨୬ ଖେଳାଳୀଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବାରୁ ଏହି ଖେଳାଳୀମାନଙ୍କୁ ଏହି ବର୍ଷ ଡୋପ୍‌ ଟେଷ୍ଟ ଦେବାକୁ ପଡ଼ିପାରେ । ଭାରତର ଅନ୍ୟ ଷ୍ଟାର ଆଥଲେଟ୍‌ଙ୍କ ମଧ୍ୟରେ ରବି ଦହିୟାଙ୍କର ୧୮ ଥର ଓ ମୀରାବାଇ ଚାନୁଙ୍କ ୮ ଥର ଡୋପ ଟେଷ୍ଟ କରାଯାଇଛି । ଟୋକିଓ ଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ୫ ଥର ଡୋପ ଟେଷ୍ଟ ଦେବାକୁ ପଡ଼ିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details