ମୁମ୍ବାଇ:କ୍ରିକେଟରେ କେତେବେଳେ ଜଣେ ଖେଳାଳି ହିରୋରୁ ଜିରୋ ଓ ଜିରୋରୁ ହିରୋ ହୋଇଯିବେ ତାହା ପରିକଳ୍ପନା କରିବା ମୁସ୍କିଲ । ଏହାସତ୍ତ୍ବେ ଅବିରତ ପ୍ରୟାସ ଓ ପ୍ରଚେଷ୍ଟା ବଳରେ ହିଁ ବାରମ୍ବାର ଜଣେ କ୍ରିକେଟର ନିଜକୁ ପ୍ରମାଣିତ କରିଥିବା ନଜୀର ରହିଛି । କେତେବେଳେ କିଛି ବି ହୋଇପାରେ ତେଣୁ ପ୍ରୟାସ କେବେ ଛାଡିବା କଥା ନୁହେଁ । ଏମିତି କିଛି କହିଛନ୍ତି ଭାରତୀୟ କ୍ରିକେଟର ଆଜିଙ୍କ୍ୟ ରାହାଣେ । ବର୍ତ୍ତମାନ ହିରୋ ବନିବା ଲକ୍ଷ୍ୟରେ ରହିଛନ୍ତି ରାହାଣେ । ଚଳିତ ଆଇପିଏଲରେ ମୁମ୍ବାଇ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ଚର୍ଚ୍ଚାକୁ ଆସିଛନ୍ତି ଚେନ୍ନାଇ ସୁପରକିଙ୍ଗ୍ସ୍ର ଆଜିଙ୍କ୍ୟ ରାହାଣେ । ଭାରତୀୟ ଟେଷ୍ଟ ଦଳକୁ ଫେରିବାକୁ ଆଶା ରଖିଛନ୍ତି ରାହାଣେ । WTC ଫାଇନାଲ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ।
15 ମାସ ତଳେ ସେଞ୍ଚୁରିଆନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଟେଷ୍ଟ ମ୍ୟାଚ ଖେଳିଥିଲେ ରାହାଣେ । ଏହା ପରଠୁ ଟେଷ୍ଟ ଦଳରେ ରାହାଣେ ସ୍ଥାନ ପାଇନାହାନ୍ତି । ତାଙ୍କ ସ୍ଥାନରେ ଶ୍ରେୟାସ ଆୟର ଖେଳୁଛନ୍ତି । ମୁମ୍ବାଇ ବିପକ୍ଷ ମ୍ୟାଚରେ ରାହାଣେଙ୍କ ବ୍ୟାଟିଂ ସମସ୍ତଙ୍କୁ ଚକିତ କରିଥିଲା । 27 ବଲରେ 61 ରନ ସଂଗ୍ରହ କରିଥିଲେ । ତାଙ୍କର ଏହି ପ୍ରଦର୍ଶନ ବଳରେ ସିଏସକେ 7 ୱିକେଟରେ ବିଜୟ ହାସଲ କରିଥିଲା । ରାହାଣେଙ୍କ ନୂଆ ବ୍ୟାଟିଂ ଷ୍ଟାଇଲ ପାଇଁ ସେ ଚର୍ଚ୍ଚାରେ ରହିଛନ୍ତି ।