ଓଡିଶା

odisha

ବିଶ୍ବ ପାଇଁ ବିପଦ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ! ସତର୍କ କଲେ ବୈଜ୍ଞାନିକ

By

Published : May 5, 2023, 11:43 AM IST

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(AI)ର ବିପଦ ବାବଦରେ ମୁହଁ ଖୋଲିଲେ ଏହାକୁ ପ୍ରସ୍ତୁତ କରିଥିବା କମ୍ପ୍ୟୁଟର୍ ବୈଜ୍ଞାନିକ । ଅଧିକ ପଢନ୍ତୁ

AI
AI

କେମ୍ବ୍ରିଜ୍: ସ୍ରଷ୍ଟାଙ୍କର ଚମତ୍କାର ସୃଷ୍ଟି ହେଉଛି ମାନବ । ମନୁଷ୍ୟର ବୁଦ୍ଧିମତା ସୃଷ୍ଟିର ସମସ୍ତ ଜୀବ-ପ୍ରାଣୀଙ୍କଠୁ ଊର୍ଦ୍ଧ୍ବରେ । ଆଉ ଏହି ମାନବର ବିଚକ୍ଷଣତାକୁ ଅତିକ୍ରମ କରିଯାଇଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା । ମନୁଷ୍ୟ ପ୍ରସ୍ତୁତ କରିଥିବା ଏହି ଜ୍ଞାନକୌଶଳ ଆଜି ମାନବ ଜାତି ପାଇଁ ବିପଦ ସଙ୍କେତ ସୃଷ୍ଟି କରିଛି । ଯେଉଁ କମ୍ପ୍ୟୁଟର୍ ବୈଜ୍ଞାନିକମାନେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ(AI) ଉଦ୍ଭାବନ କରିଥିଲେ ସେମାନେ ହିଁ ଏହି ଭବିଷ୍ୟବାଣୀ କରିଛନ୍ତି । ମାତ୍ର ବୈଜ୍ଞାନିକଙ୍କର ଏପରି କହିବାର ଅର୍ଥ ନୁହେଁ, ସେମାନେ ଏଆଇର ବ୍ୟବହାରକୁ ରୋକିବାକୁ ଚାହୁଁଛନ୍ତି । ସେମାନେ ବିପଦ ଆଶଙ୍କା କରିଥିଲେ ମଧ୍ୟ ଏଆଇକୁ ନିଷିଦ୍ଧ କରିବାକୁ ନେଇ ରାଜି ନାହାନ୍ତି ।

ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ବୁଧବାର ଏକ ସମ୍ମିଳନୀରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ଗଡଫାଦର୍ କୁହାଯାଉଥିବା ଜିଓଫ୍ରେ ହିଣ୍ଟନ୍ କହିଛନ୍ତି ଯେ, "ଯେତେବେଳେ ସ୍ମାର୍ଟ ଜିନିଷ ମାନବର ବୁଦ୍ଧିମତାକୁ ଅତିକ୍ରମ କରିଯାଏ, ସେତେବେଳେ ମାନବ ଜାତି ତିଷ୍ଠି ରହିବା ବିପଦପୂର୍ଣ୍ଣ ହୋଇଯାଏ ।" ବିଦ୍ୟୁତ୍ ଷ୍ଟେସନ୍ ଚଳାଇବା ପାଇଁ ଏହା ହୁଏତ ଆମକୁ କିଛି ସମୟ ପାଇଁ ରଖିପାରେ "କିନ୍ତୁ ଏହା ପରେ, ବୋଧହୁଏ ନୁହେଁ" ବୋଲି ହିଣ୍ଟନ୍ କହିଛନ୍ତି । 75 ବର୍ଷିୟ ହିଣ୍ଟନ୍ ଆହୁରି ମଧ୍ୟ କହିଛନ୍ତି ଯେ, "ଦୀର୍ଘଦିନ ଧରି ଅନୁସନ୍ଧାନ କରିବା ପରେ କମ୍ପ୍ୟୁଟର ସିଷ୍ଟମର ଯୁକ୍ତିଯୁକ୍ତ କ୍ଷମତା(ରିଜୋନିଂ କାପାବିଲିଟିଜ୍) ବାବଦରେ ମୋର ମତ ପରିବର୍ତ୍ତନ ହୋଇଛି ।"

ଭିଡିଓ କନ୍‌ଫରେନ୍ସ ମାଧ୍ୟମରେ MIT ଟେକ୍ନୋଲୋଜି ରିଭ୍ୟୁର ଏମଟେକ୍ ଡିଜିଟାଲ୍ ସମ୍ମିଳନୀରେ ଯୋଗ ଦେଇଥିବା ଜନତାଙ୍କୁ ସମ୍ବୋଧିତ କରି ହିଣ୍ଟନ୍ କହିଛନ୍ତି, "ଏହିସବୁ ଉପକରଣ ଗୁଡିକ ଆମଠାରୁ ଶିଖିଛନ୍ତି । ମଣିଷକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେଥିପାଇଁ ବିଭିନ୍ନ ଉପନ୍ୟାସ ପଢିଛନ୍ତି, ପୂର୍ବରୁ ଉଲ୍ଲେଖ ଥିବା ପ୍ରତିଟି ତଥ୍ୟକୁ ଅନୁସରଣ କରିଛନ୍ତି । ଯଦିଓ ଏହି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସିଧାସଳଖ ଲିଭଜ୍‌କୁ ଗ୍ରହଣ କରି ପାରିବେ ନାହିଁ, ତଥାପି ସେମାନେ ନିଶ୍ଚିତ ଭାବରେ ଆମକୁ ଲିଭଜ୍‌କୁ ପ୍ରାପ୍ତ କରାଇବାରେ ସକ୍ଷମ ହୋଇପାରିବେ ।" ଲିଭଜ୍‌ ହେଉଛି ଏକ ସରଳ ଯନ୍ତ୍ର, ଯାହା କଠିନ ବିମ୍ ଏବଂ ଫୁଲ୍‌କ୍ରମ୍ ଦ୍ବାରା ନିର୍ମିତ । ହିଣ୍ଟନ ଏଠାରେ ଲିଭଜ୍‌କୁ ଉଦାହରଣ ସ୍ବରୂପ ନେଇ ଦର୍ଶାଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, "ମୁଁ ଭାବୁଛି କି ମୋ ପାଖରେ ଏକ ସୁନ୍ଦର ସରଳ ସମାଧାନ ଥାଇପାରେ, କିନ୍ତୁ ମୁଁ ତାହା କରିବାକୁ ଚାହୁଁ ନାହିଁ । କାରଣ ସମାଧାନ ଅଛି ବୋଲି ମୁଁ ନିଶ୍ଚିତ ନୁହେଁ ।" ତେବେ କହି ରଖୁଛୁ ଯେ, ସମଗ୍ର ବିଶ୍ବରେ ବର୍ତ୍ତମାନ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର କାର୍ଯ୍ୟପନ୍ଥାକୁ ନେଇ ଖୁବ୍ ଚର୍ଚ୍ଚା । ଏହାକୁ ସରଳ ଭଷାରେ କମ୍ପ୍ୟୁଟର୍ ମାନବ କୁହାଯାଇପାରିବ । ଏହାର କାର୍ଯ୍ୟ ଦକ୍ଷତାରେ ମାନବ ମଧ୍ୟ ଚକିତ । କାରଣ ଭୂତ-ଭବିଷ୍ୟତର ସବୁ କଳ୍ପନା-ଜଳ୍ପନା ସହ ସମାଧାନ କରି ଥୋଇ ଦେଉଛି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ।

ନିକଟରେ ପ୍ରଭୁ ରାମଚନ୍ଦ୍ର 22 ବର୍ଷ ବୟସରେ କିପରି ଦେଖାଯାଉଥିଲେ ତା'ର ଏକ ଚିତ୍ର ପ୍ରସ୍ତୁତ କରିଥିଲା ଏହି ଉପକରଣ, ଯାହାକୁ ନେଇ ସମସ୍ତେ ଚକିତ ହୋଇଯାଇଥିଲେ । ସେହିପରି ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସକୁ କୌଣସି ପ୍ରଶ୍ନ ପଚାରିଲେ ମୁହୂର୍ତ୍ତ ମଧ୍ୟରେ ସମାଧାନ କରିଦେଉଛି । ମାନବର କାର୍ଯ୍ୟଭାରକୁ ମଧ୍ୟ ହ୍ରାସ କରୁଛି, ଯାହା ଫଳରେ ଆଗକୁ ବହୁ କର୍ମଚାରୀ ଚାକିରି ହରାଇବେ ବୋଲି ଆଶଙ୍କା କରାଯାଉଛି । ତେଣୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ବ୍ୟବହାର ଉପରେ ରୋକ୍ ଲଗାଇବାକୁ ବିଭିନ୍ନ ଅନୁଷ୍ଠାନ ଦାବି କରି ଆସୁଛନ୍ତି । ଆଗକୁ ଏ ଉପରେ କି କି ନୂଆ ଖବର ସାମ୍ନାକୁ ଆସୁଛି ତା' ଉପରେ ସମସ୍ତଙ୍କ ନଜର ରହିବ ନିଶ୍ଚୟ ।

ABOUT THE AUTHOR

...view details