ଓଡିଶା

odisha

ଓସ୍କାରରେ ଭାରତୀୟ ସିନେମାର ସଫଳତା, ଶୁଭେଚ୍ଛା ଜଣାଇଲେ ନେତା ଅଭିନେତା

By

Published : Mar 13, 2023, 3:57 PM IST

ସୁପରହିଟ୍‌ ଚଳଚ୍ଚିତ୍ର RRRର ନାଟୁନାଟୁ ଗୀତ ଏବଂ ଭାରତୀୟ କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ଫିଲ୍ମ 'ଦ ଏଲିଫେଣ୍ଟ୍‌ ହ୍ୱିସ୍ପର୍‌'କୁ ଓସ୍କାର ପୁରସ୍କାର ମିଳିଛି । ଏଥିପାଇଁ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ରାଜନେତା ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ

ଓସ୍କାରରେ ଭାରତୀୟ ସିନେମାର ସଫଳତା ପାଇଁ ଶୁଭେଚ୍ଛା ବାର୍ତ୍ତା
ଓସ୍କାରରେ ଭାରତୀୟ ସିନେମାର ସଫଳତା ପାଇଁ ଶୁଭେଚ୍ଛା ବାର୍ତ୍ତା

ହାଇଦ୍ରାବାଦ: ଆଜି ଭାରତ ପାଇଁ ଗୌରବର ଦିନ, 95ତମ ଓସ୍କାର ପୁରସ୍କାର 2023 ସମାରୋହରେ, ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ବ୍ଲକବଷ୍ଟର ଫିଲ୍ମ RRRର ସୁପରହିଟ୍ ଗୀତ ନାଟୁନାଟୁ ଏବଂ କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ଫିଲ୍ମ 'ଦ ଏଲିଫେଣ୍ଟ୍‌ ହ୍ୱିସ୍ପର୍‌' ଓସ୍କାର ପୁରସ୍କାର ଜିତି ଦେଶବାସୀଙ୍କୁ ଗର୍ବିତ କରିଛନ୍ତି । ଏହି ଐତିହାସିକ ବିଜୟ ଉପରେ ସୋସିଆଲ ମିଡିଆରେ ବଲିଉଡ ଏବଂ ଟଲିଉଡ ତାରକାମାନେ ଶୁଭେଚ୍ଛା ଜଣାଇଛନ୍ତି । କେବଳ ତାରକା ନୁହଁନ୍ତି ଅନେକ ରାଜନେତା ମଧ୍ୟ ଭାରତର ଏହି ଓସ୍କାର ବିଜୟକୁ ନେଇ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ପ୍ରଶଂସକଙ୍କ ତରଫରୁ ଅଭିନନ୍ଦନର ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି ।

ତେବେ ଓସ୍କାର ପୁରସ୍କାର ପାଇଁ 3ଟି କାଟାଗୋରୀରେ ଭାରତୀୟ ଚଳଚ୍ଚିତ୍ର ତଥା ଗୀତ ନୋମିନେଟ୍‌ ହୋଇଥିଲା । ସେଥିମଧ୍ୟରୁ ଗୋଟିଏ ଗୀତ ଓ ଗୋଟିଏ କ୍ଷୁଦ୍ର ଚଳଚ୍ଚିତ୍ରକୁ ଓସ୍କାର ପୁରସ୍କାର ମିଳିଛି । ଓସ୍କାର ପୁରସ୍କାର ଜିତି ଦେଶ ପାଇଁ ସମ୍ମାନ ଆଣିଛି ନାଟୁନାଟୁ ଗୀତ ଓ 'ଦ ଏଲିଫେଣ୍ଟ୍‌ ହ୍ୱିସ୍ପର୍‌' । ଏନେଇ ରାଜନୈତିକ ବ୍ୟକ୍ତି ବିଶେଷ, ସିନେ ସେଲିବ୍ରିଟି ଏବଂ ସାହିତ୍ୟ ଜଗତର ଲୋକମାନେ ଓସ୍କାର ବିଜେତା ଏବଂ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ବିଜୟ ପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଥିଲେ । ଏହାପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ଉଭୟ ଓସ୍କାର ବିଜେତା ଚଳଚ୍ଚିତ୍ରର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି। ନାଟୁ-ନାଟୁ ଗୀତର ସଫଳତା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, "ଏହା ଦେଶ ପାଇଁ ଗର୍ବ ଆଣିଥିବା ବେଳେ ଭାରତୀୟ ଫିଲ୍ମ ନିର୍ମାତାମାନଙ୍କୁ ପ୍ରେରଣା ଦେଇଛି ।"

ସେହିପରି କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ମଧ୍ୟ ଦେଶକୁ ଓସ୍କାର ଜିତିଥିବା ଉଭୟ ଟିମମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ସେପଟେ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ RRRର ସୁପରହିଟ୍ ଟ୍ରାକ୍ ନାଟୁ-ନାଟୁର ଓସ୍କାର ବିଜୟ ପାଇଁ ଫିଲ୍ମର ପୁରା ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି ।

ସେହିପରି ଟଲିଉଡ ଲୋକପ୍ରିୟ ଅଭିନେତା ତଥା ରାମଚରଣଙ୍କ ପିତା ଚିରଞ୍ଜିବୀ ମଧ୍ୟ ନାଟୁ-ନାଟୁର ଐତିହାସିକ ବିଜୟ ନେଇ ଶୁଭେଚ୍ଛା ଜଣାଇଛନ୍ତି ।

ସୂଚନା ଥାଉ କି, ଏସ୍ ରାଜାମୌଲି ଏବଂ ରାମ ଚରଣ-ଜୁନିଅର ଏନଟିଆରଙ୍କ ଅଭିନୀତ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ମେଗା-ବ୍ଲକବଷ୍ଟର ଫିଲ୍ମ 'ଆରଆରଆର' ବେଶ୍‌ ସଫଳତା ହାସଲ କରିଥିବା ବେଳେ ନାଟୁନାଟୁ ଗୀତ ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିଥିଲା । ସେହିପରି କ୍ଷୁଦ୍ର ଡକ୍ୟୁମେଣ୍ଟାରୀ ଫିଲ୍ମ 'ଦ ଏଲିଫେଣ୍ଟ୍‌ ହ୍ୱିସ୍ପର୍‌'। ଯାହା 39 ମିନିଟର ତାମିଲ ଭାଷାରେ ନିର୍ମିତ ଫିଲ୍ମ । ଶିଶୁ ହାତୀ ଓ ଦମ୍ପତ୍ତିଙ୍କ ମଧ୍ୟରେ ଗଢି ଉଠିଥିବା ସମ୍ପର୍କକୁ ନେଇ ଫିଲ୍ମ କାହାଣୀର ପ୍ରସ୍ତୁତ ହୋଇଥିଲା । ତେବେ ଆଜି ଉଭୟ ଫିଲ୍ମର ଏହି ଐତିହାସିକ ବିଜୟ ପାଇଁ ସାରା ଦେଶ ଗୌରବାନ୍ବିତ ହୋଇଛି ।

ABOUT THE AUTHOR

...view details