କଟକ:ପୋକ୍ସୋ କୋର୍ଟର ବିଚାରପତି ସୁବାସ କୁମାର ବିହାରୀଙ୍କ ମୃତ୍ୟୁ ମାମଲାରେ ଏବେ ବି ଲାଗି ରହିଛି ସସପେନ୍ସ(POCSO Court Judge Death) । କିପରି ଏବଂ କେଉଁ ପରିସ୍ଥିତିରେ ତାଙ୍କର ମୃତୁ ଘଟିଲା ସେନେଇ ପୋଲିସ୍ ଛାନଭିନ କରୁଛି । ଏହି ଘଟଣାରେ ହତ୍ୟା ମାମଲା ରୁଜୁ କରିବା ପରେ ଅଧିକ କ୍ରିୟାଶୀଳ ହୋଇଛି କମିଶନରେଟ ପୋଲିସ । ଏହି କ୍ରମରେ ପୋଲିସ ତଦନ୍ତକୁ ଜୋରଦାର କରିବା ସହ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛି । ବିଚାରପତିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଏ ପର୍ଯ୍ୟନ୍ତ ୧୪ ଜଣ ଲୋକଙ୍କୁ ପଚରାଉଚରା ସରିଲାଣି ।
ସେମାନଙ୍କ ମଧ୍ୟରେ ସୁବାସଙ୍କ ପତ୍ନୀ ଅପରାଜିତା ରାୟ, ଅପରାଜିତାଙ୍କ ସମ୍ପର୍କୀୟ ଭାଇ ସର୍ବୋଜିତ ରାୟ, ସୁବାସଙ୍କ ମାଆ ତୁଳଶୀ ବିହାରୀ, ତାଙ୍କ ଭାଇ ସୁବୋଧ ବିହାରୀ, ସୁବୋଧଙ୍କ ଡ୍ରାଇଭର, ଘରୋଇ ସହାୟକ, ପଡୋଶୀ ଓ ପୋକ୍ସୋ କୋର୍ଟର କିଛି କର୍ମଚାରୀ ମଧ୍ୟ ଅଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କ ବୟାନ ରେକର୍ଡ କରାଯାଇ ଥିବାବେଳେ ଆଉ କିଛି ଲୋକଙ୍କୁ କେବଳ ପଚରାଉଚରା କରାଯାଇଛି । ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପୁଣି ଦ୍ବିତୀୟ ପର୍ଯ୍ୟାୟ ପଚରାଉଚରା କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
ବିଭିନ୍ନ ଲୋକଙ୍କୁ ପଚରାଉଚରା କରିବା ସହ ବୟାନ ମଧ୍ୟ ରେକର୍ଡ କରୁଛି ମର୍କତନଗର ଥାନା ପୋଲିସ । ଏହି କ୍ରମରେ ୧୪ ଜଣ ଲୋକଙ୍କୁ ପଚରାଉଚରା ଶେଷ ହୋଇଥିବା ବେଳେ ସୁବାସଙ୍କ ପତ୍ନୀ ଅପରାଜିତା ରାୟଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି । ତେବେ ଅପରାଜିତା ପୋଲିସକୁ ଦେଇଥିବା ନିଜ ବୟାନରେ ''ତାଙ୍କ ସ୍ବାମୀ ବିଭିନ୍ନ ରୋଗରେ ପୀଡ଼ିତ ଥିଲେ । ମଧୁମେୟ ରୋଗ ସହିତ ଆଣ୍ଠୁ ଗଣ୍ଠି ପୀଡ଼ା ଓ ପାଟି ଭିତରେ ଘା' ଭଳି ଅନେକ ରୋଗରେ ସେ ଆକ୍ରନ୍ତ ଥିଲେ । ଏଥିପାଇଁ ସେ ଅନେକ ସମୟରେ ଶାରିରୀକ କଷ୍ଟ ମଧ୍ୟ ଅନୁଭବ କରୁଥିଲେ । ସେହି ରୋଗ କଷ୍ଟରୁ ମୁକ୍ତି ପାଇବା ପାଇଁ ସେ ଆତ୍ମହତ୍ୟା କରିଥାଇପାରନ୍ତି'' ବୋଲି କହିଛନ୍ତି ପତ୍ନୀ ଅପରାଜିତା ରାୟ ।