ଲକ୍ଷ୍ନୌ: ଲଖିମପୁର ଖେରୀ ହିଂସାକାଣ୍ଡ (Lakhimpur Kheri Violence) ମାମଲା । ହିଂସାକାଣ୍ଡ ସ୍ଥଳରେ ତିନି ବିଜେପି କର୍ମୀଙ୍କୁ ପିଟିପିଟି ହତ୍ୟା କରିବା ଅଭିଯୋଗରେ ଦୁଇ ଚାଷୀ ଗିରଫ । ଶନିବାର ସ୍ବତନ୍ତ୍ର ତଦନ୍ତକାରୀ ଦଳ(SIT) ଦୁଇ ଚାଷୀଙ୍କୁ ଗିରଫ କରିଛି । ସେମାନେ ହେଲେ କମଲଜିତ୍ ସିଂ(୨୯) ଏବଂ କୱଲଜିତ୍ ସିଂ ସୋନୁ(୩୫) ।
ଗତ ଦୁଇ ମାସ ହେଲା ଉଭୟ ଅଭିଯୁକ୍ତ ପୋଲିସ ଠାରୁ ଲୁଚି ବୁଲୁଥିଲେ । ନିକଟରେ ଖେରୀ ହିଂସା ମାମଲାରେ କିଛି ସନ୍ଦିଗ୍ଧଙ୍କ ଫଟୋ ଜାରି କରିଥିଲା SIT । ଯାହମଧ୍ୟରେ ସମ୍ପୃକ୍ତ ଦୁଇ ଚାଷୀ ରହିଥିଲେ । ଶନିବାର ଦୁହିଁଙ୍କ ଗିରଫଦାରୀ ପରେ ଏବେ ତାଙ୍କୁ ମାଜିଷ୍ଟ୍ରେଟଙ୍କ ଆଗରେ ହାଜର କରାଯିବ ଏବଂ ତଦନ୍ତକାରୀ ଅଧିକାରୀଙ୍କ ପକ୍ଷରୁ ସେମାନଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରାଯିବ । ବିଜେପି କର୍ମୀଙ୍କୁ ପିଟି ପିଟି ହତ୍ୟା ମାମଲାରେ ଏ ପର୍ଯ୍ୟନ୍ତ ୬ ଜଣ କୃଷକଙ୍କୁ ଗିରଫ କରିଛି ତଦନ୍ତକାରୀ ଟିମ୍ । ଏଥିସହ କୃଷକଙ୍କୁ ଗାଡି ମଡାଇବା ଘଟଣାରେ ଗିରଫ ବିଜେପି ନେତା ସୁମିତ୍ ଜୈସୱାଲ କିଛି ଅଜ୍ଞାତ ଚାଷୀଙ୍କ ବିରୁଦ୍ଧରେ କରିଥିବା ହିଂସାକାଣ୍ଡ ଅଭିଯୋଗ ଆଧାରରେ ସମ୍ପୃକ୍ତ ଚାଷୀଙ୍କ ବିରୁଦ୍ଧରେ ମଧ୍ୟ ହିଂସା ଏବଂ ହତ୍ୟା ଚାର୍ଜ ଲଗାଯାଇଛି ।