ଜୟପୁର: କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବାତଙ୍କ ବିରୋଧରେ ମାନହାନୀ ମନ୍ତବ୍ୟ ଦେବା ମାମଲାରେ ଆଜି ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟରେ ହାଜର ହୋଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ । ଗେହେଲଟ ଆଜି ଭର୍ଚ୍ଚୁଆଲି ହାଜର ହୋଇଥିଲେ । ସେ ଏବେ ସରକାରୀ କାର୍ଯ୍ୟରେ ଯୋଧପୁରରେ ଥିବା ବେଳେ ସେଠାରୁ ହିଁ ଭର୍ଚ୍ଚୁଆଲି ହାଜର ହୋଇଥିଲେ । ଅବଶ୍ୟ ସେ ଏଥିପାଇଁ କୋର୍ଟଙ୍କ ଅନୁମତି ମଧ୍ୟ ପାଇଥିଲେ ।
ତେବେ ଆଜି କୋର୍ଟ ଶୁଣାଣି ସ୍ଥଗିତ ରଖିବା ସହ ଆସନ୍ତାମାସ (ସେପ୍ଟେମ୍ବର) 6କୁ ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ କରିଛନ୍ତି । ପରବର୍ତ୍ତୀ ଶୁଣାଣିରେ ଆବେଦନକାରୀ ତଥା କେନ୍ଦ୍ରମନ୍ତ୍ରୀ ଶେଖାଓ୍ବତଙ୍କୁ ମଧ୍ୟ ଉପସ୍ଥିତ ରହିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସଞ୍ଜିବନୀ କୋପରଟିଭି ସୋସାଇଟ ଘୋଟାଲାରେ ଶେଖାଓ୍ବତ ଓ ତାଙ୍କର ପରିବାର ସଦସ୍ୟଙ୍କ ସମ୍ପୃକ୍ତି ଅଭିଯୋଗ ଆଣିଥିଲେ ଗେହେଲଟ । ତେବେ ଏହି ଅଭିଯୋଗ ସହ ମୁଖ୍ୟମନ୍ତ୍ରୀ ଗେହେଲଟ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଶେଖାଓ୍ବାତ ଓ ତାଙ୍କ ପରିବାର ସଦସ୍ୟଙ୍କ ସମ୍ପର୍କରେ ଆପତ୍ତିଜନକ ତଥା ଅପମାନିତ କରିବା ପରି ମନ୍ତବ୍ୟ ଦେଇଥିବା ନିଜେ ଶେଖାଓ୍ବାତ ଅଭିଯୋଗ କରି ଏକ ମାନହାନୀ ମାମଲା ମଧ୍ୟ ଦାଏର କରିଥିଲେ ।
ତେବେ କୋର୍ଟ ମାମଲା ପଞ୍ଜିକୃତ ହେବା ପରେ ଗତବର୍ଷ (ଜୁଲାଇ) 6 ତାରିଖରେ କୋର୍ଟରେ ହାଜର ହେବା ପାଇଁ ଗେହେଲଟଙ୍କୁ ନ୍ୟାୟିକ ନୋଟିସ ପଠାଯାଇଥିଲା । ପରେ ଗେହେଲଟ ମଧ୍ୟ କୋର୍ଟରେ ହାଜର ହୋଇ ପ୍ରତ୍ୟେକ୍ଷ ହାଜିରା ପରିବର୍ତ୍ତେ ଭର୍ଚ୍ଚୁଆଲି ହାଜର ହେବାକୁ ଅନୁମତି ମାଗିଥିଲେ । ଯାହା କୋର୍ଟ ଗ୍ରହଣ ମଧ୍ୟ କରିଥିଲେ । ଆଜି ଗେହେଲଟ ଦିଲ୍ଲୀ କୋର୍ଟରେ ଭର୍ଚ୍ଚୁଆଲି ହାଜର ହୋଇ ପକ୍ଷ ରଖିଛନ୍ତି । ଆସନ୍ତା ଶୁଣାଣି ତାରିଖ ଆସନ୍ତାମାସ 6 ତାରିଖକୁ ଧାର୍ଯ୍ୟ କରାଯାଇଛି ।