ଓଡିଶା

odisha

କଂଗ୍ରେସକୁ ମୋଦିଙ୍କ କଟାକ୍ଷ, କାଉଣ୍ଟର କଲେ ଜୟରାମ

By

Published : Aug 11, 2022, 1:12 PM IST

ଦରଦାମ ବିରୁଦ୍ଧରେ କଂଗ୍ରେସ କଳା ପୋଷାକ ପିନ୍ଧି ଆନ୍ଦୋଳନ କରିବାକୁ ନେଇ ବର୍ଷିଲେ ମୋଦି । କହିଲେ କଳା ଯାଦୁ ଦ୍ବାରା ଖରାପ ଦିନ ଶେଷ ହେବନି । ଅଧିକ ପଢନ୍ତୁ

କଂଗ୍ରେସକୁ ମୋଦୀଙ୍କ କଟାକ୍ଷ, କଳା ଯାଦୁ ଦ୍ବାରା ଖରାପ ସମୟ ସରିବନି
କଂଗ୍ରେସକୁ ମୋଦୀଙ୍କ କଟାକ୍ଷ, କଳା ଯାଦୁ ଦ୍ବାରା ଖରାପ ସମୟ ସରିବନି

ନୂଆଦିଲ୍ଲୀ: ଦରଦାମ ବିରୁଦ୍ଧରେ ଅଗଷ୍ଟ ୫ ତାରିଖରେ କଂଗ୍ରେସ ନେତାମାନେ କଳା ପୋଷାକ ପିନ୍ଧି ଆନ୍ଦୋଳନ କରିଥିଲେ । କଂଗ୍ରେସର ଏପରି ଆନ୍ଦୋଳନକୁ ନେଇ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କଂଗ୍ରେସର ନାଁ ନେଇ ମୋଦି କଟାକ୍ଷ କରିଛନ୍ତି, ''କିଛି ଲୋକ କଳା ଯାଦୁ କରୁଛନ୍ତି । କାରଣ ସେମାନେ ନକରାତ୍ମକ ଏବଂ ନିରାଶାରେ ବୁଡି ରହିଛନ୍ତି । କଳା ଯାଦୁ ଉପରେ ବିଶ୍ବାସ କରୁଥିବା ଲୋକେ, କେବେ ବି ଜନତାଙ୍କ ବିଶ୍ବାସ ଜିତିପାରିବେ ନାହିଁ । ସେମାନଙ୍କ କଳା ଯାଦୁ କାମ ଦେବନି । ''

କୌଣସି ଦଳ ନାଁ ନନେଇ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ''ଆତ୍ମନିର୍ଭର ଭାରତ ଗଠନ ପ୍ରୟାସରେ ମାଗଣା ଉପହାର ଏକ ପ୍ରତିବନ୍ଧକ ଅଟେ । କରଦାତାଙ୍କ ପାଇଁ ଏହା ବୋଝ ମଧ୍ୟ । କିଛି ଲୋକେ ହତାଶ ହୋଇ ଅଗଷ୍ଟ ୫ ତାରିଖରେ କଳା ଯାଦୁ କରିଥିଲେ । ସେମାନେ କଳା ପୋଷାକ ପିନ୍ଧିଥିବାର ଆମେ ଦେଖିବାକୁ ପାଇଥିଲୁ । କଳା ପୋଷାକ ପିନ୍ଧିଥିବା ଲୋକ ଭାବୁଛନ୍ତି ସେମାନଙ୍କ ଖରାପ ସମୟ ସରିଯିବ । କିନ୍ତୁ ତନ୍ତ୍ର ମନ୍ତ୍ର, କଳା ଯାଦୁ ଏବଂ ଅନ୍ଧବିଶ୍ବାସରେ ବୁଡି ରହି ସେମାନେ ପୁଣିଥିରେ ଲୋକଙ୍କ ବିଶ୍ବାସ ଜିତିପାରିବେ ନାହିଁ । କଳା ଯାଦୁ ଦ୍ବାରା ସେମାନଙ୍କ ଖରାପ ଦିନ ଶେଷ ହେବନି ।'' ହରିୟାଣାର ପାନିପଥରେ ଜୈବିକ ଇନ୍ଧନ ପ୍ଲାଣ୍ଟର ଉଦଘାଟନୀ ଅବସରରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅନ୍ୟପଟେ ମୋଦିଙ୍କ ଏପରି କଳା ଯାଦୁ ଟିପ୍ପଣୀ ଉପରେ ପାଲଟା ଜବାବ ଦେଇଛି କଂଗ୍ରେସ । କଂଗ୍ରେସ ନେତା ଜୟରାମ ରମେଶ, ମୋଦି କଳା ପୋଷାକରେ ଗଙ୍ଗାନଦୀରେ ବୁଡ ପକାଉଥିବାର ଏକ ଫଟୋ ଟ୍ବିଟ୍ କରି କହିଛନ୍ତି, ''ପ୍ରଧାନମନ୍ତ୍ରୀ କଳାଧନ ଫେରାଇ ଆଣିବାକୁ କିଛି କରିପାରିଲେନି । ତେଣୁ ଏବେ କଳା କପଡାକୁ ନେଇ ମୂଲ୍ୟହୀନ ମୁଦ୍ଦା କରୁଛନ୍ତି । ଦେଶବାସୀ ଚାହୁଁଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରନ୍ତୁ । କିନ୍ତୁ ଏଠାରେ ମିଥ୍ୟାବାଦୀମାନେ କେତେବେଳେ କିଛି ବି କହୁଛନ୍ତି ।''

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୫ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଏବଂ ଦଳର ଅନ୍ୟାନ୍ୟ ବରିଷ୍ଠ ନେତାମାନେ ଦରବୃଦ୍ଧି ବିରୁଦ୍ଧରେ ଆନ୍ଦୋଳନ କରିଥିଲେ । କିଛି ନିର୍ଦ୍ଦିଷ୍ଟ ସାମଗ୍ରୀ ଉପରେ ଜିଏସଟି ବୃଦ୍ଧି ଏବଂ ବେକାରୀ ସମସ୍ୟାକୁ ନେଇ ସେମାନେ କଳାପୋଷାକ ପିନ୍ଧି ପ୍ରତିବାଦ କରିଥିଲେ ।

ABOUT THE AUTHOR

...view details