ରାଞ୍ଚି:ପ୍ରଧାନ ଶିକ୍ଷକ ଓ ଅନ୍ୟଜଣେ ଶିକ୍ଷକଙ୍କ ମାଡରେ ଜଣେ 6ଷ୍ଠ ଶ୍ରେଣୀ ଛାତ୍ରର ମେରୁଦଣ୍ଡ ହାଡ ଭାଙ୍ଗିଯିବାରୁ ସେ ଗୁରୁତର ହୋଇପଡିଛି । ଏପରି ଏକ ଅଭାବନୀୟ ଘଟଣା ଝାଡଖଣ୍ଡର ପାଲାମୁ ଜିଲ୍ଲାରେ ଥିବା ଏକ ସ୍କୁଲରେ ଦେଖିବାକୁ ମିଳିଛି । ଘଟଣାଟି ସୋମବାର (ଜୁଲାଇ 24) ତାରିଖରେ ତାରସି ବ୍ଲକରେ ଥିବା ଏକ ସ୍କୁଲରେ ଘଟିଥିବା ମଧ୍ୟ ସୂଚନା ମିଳିଛି । ହେଲେ ଘଟଣା ସମ୍ପର୍କରେ ଜଣାପଡିବା ପରେ 25 ତାରିଖରେ ପୋଲିସ ମାମଲା ରୁଜୁ କରିଛି ।
ପିଲାଟି ଶିକ୍ଷକଙ୍କ ମାଡ଼ରେ ଗୁରୁତର ହୋଇପଡିଥିଲା । ତାକୁ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ତାର ମେରୁଦଣ୍ଡ ହାଡ଼ରେ ଆଘାତ ଲାଗିଥିବା ସହ ମେରୁଦଣ୍ଡ ଫ୍ୟାକ୍ଚର ସୃଷ୍ଟି ହୋଇଥିବା ଡାକ୍ତରୀ ପରୀକ୍ଷାରୁ ଜଣାପଡିଥିଲା । ପରେ ପରିବାର ସଦସ୍ୟ ଏନେଇ ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ । ପରିବାର ସଦସ୍ୟଙ୍କ ଅଭିଯୋଗ ପରେ ପାଲାମୁ ଜିଲ୍ଲା ଅଧିକାରୀ ଏ.ଡୋଡେ ପୁରା ଘଟଣା ବିଷୟରେ ମଣ୍ଡଳ ପ୍ରଶାସନକୁ ତଥ୍ୟ ମାଗିଥିଲେ । ତଦନ୍ତ ପରେ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସମ୍ପର୍କରେ ଜିଲ୍ଲାଧିକାରୀ କହିଛନ୍ତି ।
ଘଟଣା ସମ୍ପର୍କରେ ଜଣାପଡିବା ପରେ ଯନ୍ତ୍ରଣାରେ ଛଟପଟ ହେଉଥିବା ଛାତ୍ରଙ୍କୁ ସମ୍ପର୍କୀୟମାନେ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ MMCH କୁ ପଠାଇଥିଲେ । ଦାୟିତ୍ୱରେ ଥିବା ସ୍ଥାନୀୟ ତହସି ପୋଲିସ ଷ୍ଟେସନ ଏହି ଘଟଣାକୁ ନିଶ୍ଚିତ କରିଛି । ଏସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ପୋଲିସ କହିଛି ।