ଓଡିଶା

odisha

ଲଣ୍ଡନରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଘଟଣା, ଭିଡିଓ ଜାରି କଲା NIA

By

Published : Jun 12, 2023, 9:08 PM IST

ଲଣ୍ଡନରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଘଟଣାରେ ଭିଡିଓ ଜାରି କଲା ଜାତୀୟ ତଦନ୍ତକାରୀ ସଂସ୍ଥା । ସୂଚନା ଦେବା ପାଇଁ ଜାରି ହେଲା ହ୍ବାଟ୍ସଆପ ନମ୍ବର । ଚିହ୍ନଟ ପରେ ହେବେ କଠୋର କାର୍ଯ୍ୟାନୁଷ୍ଠାନ । ଅଧିକ ପଢନ୍ତୁ

ଲଣ୍ଡନରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଘଟଣା, ଭିଡିଓ ଜାରି କଲା NIA
ଲଣ୍ଡନରେ ଭାରତୀୟ ଦୂତାବାସ ଉପରେ ଆକ୍ରମଣ ଘଟଣା, ଭିଡିଓ ଜାରି କଲା NIA

ନୂଆଦିଲ୍ଲୀ:ପଞ୍ଜାବରେଖଲିସ୍ତାନୀ ସପକ୍ଷବାଦୀ ନେତା ଅମ୍ରିତପାଲ ସିଂର ଗିରଫଦାରୀ ସମୟରେ ଲଣ୍ଡନରେ ଭାରତୀୟ ଦୂତାବାସ ଉପରେ ହୋଇଥିବା ଆକ୍ରମଣ ମାମଲାରେ କାର୍ଯ୍ୟାନୁଷ୍ଠାନ ମୋଡକୁ ଆସିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଏନେଇ ଆକ୍ରମଣ ଓ ଭଙ୍ଗାରୁଜା ସମୟର ପ୍ରାୟ 2 ଘଣ୍ଚାରୁ ଅଧିକ ସମୟର ସିସିଟିଭି ଭିଡିଓ ଜାରି କରାଯାଇଛି । ଏହି ଭିଡିଓ ଆଧାରରେ ଆକ୍ରମଣରେ ସାମିଲ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବା ଉଦ୍ଦେଶ୍ୟରେ ସାଧାରଣ ଲୋକଙ୍କ ଠାରୁ ସହଯୋଗ ମାଗିଛି ସଂସ୍ଥା । କେହି ସୂଚନା ପାଇଲେ ଜଣାଇବା ପାଇଁ ଏନଆଇଏ ଏକ ହ୍ବାଟ୍ସଆପ ନମ୍ବର ମଧ୍ୟ ଜାରି କରିଛି ।

ଚଳିତ ମାର୍ଚ୍ଚ 19 ତାରିଖରେ ଏହି ଆକ୍ରମଣ ହୋଇଥିଲା । ଏଥିରେ ଦୂତାବାସ କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ହେବା ସହ ତ୍ରିରଙ୍ଗାକୁ ମଧ୍ୟ ଅପମାନିତ କରାଯାଇଥିଲା । ଏଥିରେ ପ୍ରାୟ ଶତାଧିକ ଖଲିସ୍ତାନୀ ସମର୍ଥକ ସାମିଲ ହୋଇଥିଲେ । ପରଦିନ ମଧ୍ୟ ସେମାନେ ପୁଣି ଦୂତାବାସ କାର୍ଯ୍ୟାଳୟକୁ ଅଣ୍ଡା ମାଡ କରିବା ସହ ଭାରତ ବିରୋଧୀ ସ୍ଲୋଗାନ ଦେଇଥିଲେ । ତେବେ ଏହି ମାମଲାରେ ସେତେବେଳେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବେଳେ ଏବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରକ୍ରିୟା ଆରମ୍ଭ କରିଛି । ଏଥିରେ ସମ୍ପୃକ୍ତ ଥିବା ଭାରତୀୟଙ୍କୁ ଚିହ୍ନଟ କରିବା ଉଦ୍ଦେଶ୍ୟରେ ଏକ ଦୀର୍ଘକାଳୀନ ଭିଡିଓ ଜାରି କରିବା ସହ ସୂଚନା ପ୍ରଦାନ କରିବା ପାଇଁ ଏକ ହ୍ବାଟ୍ସଆପ ନମ୍ବର (+91 7290009373) ମଧ୍ୟ ଜାରି କରାଯାଇଛି । ଏହି ଖଲିସ୍ତାନୀ ସମର୍ଥକଙ୍କ ସମ୍ପର୍କରେ କେହି ସୂଚନା ପାଇଲେ ସଂସ୍ଥା ସହ ଯୋଗାଯୋଗ କରିପାରିବେ । ସେମାନଙ୍କୁ ଚିହ୍ନଟ କରାଯିବା ପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଶା କରାଯାଉଛି ।

କେବଳ ଲଣ୍ଡନ ନୁହେଁ ବରଂ ଆମେରିକାର ସାନ ଫ୍ରାନ୍ସିସକୋରେ ଥିବା ଭାରତୀୟ ଦୂତାବାସ ଉପରେ ମଧ୍ୟ ଖଲିସ୍ତାନୀ ସମର୍ଥକମାନେ ଆକ୍ରମଣ କରିଥିଲେ । ଅନୁରୂପ ଲଣ୍ଡନ ପରି ସେଠାରେ ମଧ୍ୟ ଦୂତାବାସ କାର୍ଯ୍ୟାଳୟରେ ଭଙ୍ଗାରୁଜା କରାଯିବା ସହ ତ୍ରିରଙ୍ଗାକୁ ଅସମ୍ମାନ କରାଯାଇଥିଲା । କାର୍ଯ୍ୟାଳୟ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଛି । ଘଟଣା ସମ୍ପର୍କରେ ଖବର ପ୍ରଘଟ ହେବା ପରେ ସେଠାରେ ଥିବା ପ୍ରବାସୀ ଭାରତୀୟ ସମୁଦାୟ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଯାଇଥିଲା । ନୂଆଦିଲ୍ଲୀରେ ଅବସ୍ଥାପିତ ବ୍ରିଟେନ ଉପ-ଉଚ୍ଚାୟୁକ୍ତଙ୍କୁ ଘଟଣା ସମ୍ପର୍କରେ ବିସ୍ତୃତ ତଥ୍ୟ ରଖିବା ପାଇଁ ବୈଦେଶିକ ମନ୍ତ୍ରଣାଳୟ ସମନ ଜାରି କରିଥିଲା । ଏକାଧିକ ଦିନ ଫେରାର ରହିବା ପରେ ଖଲିସ୍ତାନୀ ଉଗ୍ରବାଦୀ ଅମ୍ରିତପାଲ ସିଂକୁ ଗିରଫ କରିବାରେ ପୋଲିସ ସଫଳ ହୋଇଥିଲା । ଏବେ ସେ ସୁଦୂର ଆସମର ଦିବୃଗଡ ଜେଲରେ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details