ଭୋପାଳ: ମଧ୍ୟପ୍ରଦେଶରେ ବୋଲବମ୍ ଯାତ୍ରା ବେଳେ ପଥରମାଡ । ସୋମବାର ରାତିରେ ଖଣ୍ଡୱା ଜିଲ୍ଲାରେ ହିନ୍ଦୁ ସମ୍ପ୍ରଦାୟର ବୋଲବମ୍ ବା କାଉଡି ଯାତ୍ରା ସମୟରେ ପଥରମାଡ ହୋଇଛି । ଏହାକୁ ନେଇ ସେଠାରେ ହିଂସାଜନକ ପରିସ୍ଥିତି ଦେଖିବାକୁ ମିଳିଛି । ତେବେ ପୋଲିସ ଲାଠିଚାର୍ଜ କରି ସ୍ଥିତି ନିୟନ୍ତ୍ରଣକୁ ଆଣିଛି । ହେଲେ ପଥର ମାଡରେ ସ୍ଥାନୀୟ ତହସିଲଦାରଙ୍କ କାର୍ କାଚ ଭାଙ୍ଗି ଯାଇଥିବା ବେଳେ ଦୁଇଟି ମୋଟର ସାଇକେଲ କ୍ଷତିଗ୍ରସ୍ତ ହୋଇଛି । ଏଥିରେ କେହି ମୃତାହତ ହୋଇଥିବାର କୌଣସି ସୂଚନା ନାହିଁ ।
ଖଣ୍ଡୱା ଜିଲ୍ଲାର କହରୱାଡି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି । ଗତକାଲି ଗୋଟିଏ ଧାର୍ମିକ ଅନୁଷ୍ଠାନ ପକ୍ଷରୁ କାଉଡ଼ି ଯାତ୍ରା ଆୟୋଜିତ ହୋଇଥିଲା । ମହାଦେବଗଡ଼ ମନ୍ଦିରରେ ଜଳଲାଗି ପାଇଁ ଶତାଧିକ କାଉଡ଼ିଆ ନର୍ମଦା ନଦୀରେ ପାଣି ଉଠାଇ ସହରର ମୁଖ୍ୟ ରାସ୍ତା ଦେଇ ଯାତ୍ରା କରିଥିଲେ । ହେଲେ କହରୱାଡିରେ ପହଞ୍ଚିବା ମାତ୍ରେ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା । ଅଚାନକ ଅନ୍ୟ ଗୋଷ୍ଠୀର ଲୋକେ କାଉଡି ଯାତ୍ରାକୁ ପଥରମାଡ କରିଥିଲେ । ଖବର ପାଇ ପୋଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲା । ଲାଠି ଚାର୍ଜ କରିବା ପରେ ସ୍ଥିତି ସାମାନ୍ୟ ସ୍ବାଭାବିକ ହୋଇଥିଲା । ଏହାପରେ କାଉଡିଆଙ୍କୁ ସେଠାରୁ ବାହାର କରାଯାଇଥିଲା । କିଛି କାଉଡିଆ ବମ୍ବେ ବଜାର ଦେଇ ମହାଦେବଗଡ଼ ମନ୍ଦିରରେ ପହଞ୍ଚିଥିଲେ ।
ଏହାମଧ୍ୟ ପଢନ୍ତୁ: Haryana clash: ହିନ୍ଦୁ ସଂଗଠନର ଶୋଭାଯାତ୍ରାରେ ପଥରମାଡ, ଜଣେ ହୋମଗାର୍ଡଙ୍କୁ ଗୁଳି କରି ହତ୍ୟା