ହାଇଦ୍ରାବାଦ:2-18 ବୟସ୍କଙ୍କ ମଧ୍ୟରେ କୋଭିଡ ଟିକା କୋଭାକ୍ସିନର କ୍ଲିନିକାଲ ଟ୍ରାଏଲ ସଫଳ ହୋଇଥିବା ନେଇ ଦାବି କରିଛି ପ୍ରସ୍ତୁତକାରୀ ସଂସ୍ଥା ତଥା ଭାରତର ଅଗ୍ରଣୀ ଟିକା ଉତ୍ପାଦନକାରୀ ସଂସ୍ଥା ଭାରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ (BBIL) । 2ୟ ଓ 3ୟ ପର୍ଯ୍ୟାୟର ପରୀକ୍ଷଣରୁ ଏହି ଟିକା 2-18 ବୟସ୍କଙ୍କ ମଧ୍ୟରେ ପ୍ରଭାବଶାଳୀ ଭାବେ କାର୍ଯ୍ୟ କରୁଥିବା ସ୍ପଷ୍ଟ ହୋଇଛି । ଏହା ବ୍ୟବହାରରେ ସମ୍ପୂର୍ଣ୍ଣ ସୁରକ୍ଷିତ ଓ ପ୍ରଭାବୀ ବୋଲି ମଧ୍ୟ ସଂସ୍ଥା ଦାବି କରିଛି ।
ସଂସ୍ଥା କହିଛି ଟ୍ରାଏଲରେ କୌଣସି ଗମ୍ଭୀର ତଥା ପ୍ରତିକୂଳ ଘଟଣା ରିପୋର୍ଟ ହୋଇନାହିଁ । ପ୍ରାୟ 374 ଟି ମାମଲାରେ ସାମାନ୍ୟ କିମ୍ବା ମଧ୍ୟମ ଗମ୍ଭୀରତାର ଲକ୍ଷଣ ସାମ୍ନାକୁ ଆସିଥିବା ବେଳେ ଏହା ମଧ୍ୟ ଗୋଟିଏ ଦିନ ମଧ୍ୟରେ 78.6% ସମାଧାନ ହୋଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି । ଟିକା ନେବା ପରେ ଶରୀରରେ ଟିକା ନେଇଥିବା ସ୍ଥାନରେ ସାମାନ୍ୟ ଯନ୍ତ୍ରଣା ହେବା ଏକ ସ୍ବାଭାବିକ ପ୍ରକ୍ରିୟା ଓ ସେଥିରେ କୌଣସି ଚିନ୍ତାଜନକ କାରଣ ନଥିବା ସଂସ୍ଥା କହିଛି ।