ହାଇଦ୍ରାବାଦ: କୋଭାକ୍ସିନ୍ ବୁଷ୍ଟର୍ ଡୋଜ କୋଭିଡର ସମସ୍ତ ପ୍ରକାର ଭ୍ୟାରିଏଣ୍ଟ ବିରୋଧରେ ଆଣ୍ଟିବଡି ସୃଷ୍ଟି କରିବାରେ ସକ୍ଷମ । ଏହା ସମ୍ପୂର୍ଣ୍ଣ ନିରାପଦ ଓ ଅତ୍ୟଧିକ ରୋଗ ପ୍ରତିରୋଧକାରୀ ଶକ୍ତି (ଇମ୍ୟୁନୋଜେନିକ୍) ସୃଷ୍ଟି କରିବାରେ ସକ୍ଷମ ବୋଲି ଦାବି କରିଛି ପ୍ରସ୍ତୁତକାରୀ ସଂସ୍ଥା ଭାରତ ବାୟୋଟେକ । ସଂସ୍ଥା ଦ୍ବାରା କରାଯାଇଥିବା ସଦ୍ୟତମ ଟ୍ରାଏଲରେ ଏହି ଫଳାଫଳ ସାମ୍ନାକୁ ଆସିଥିବା ଦାବି କରିଛି ଭାରତ ବାୟୋଟେକ ।
ଭାରତ ବାୟୋଟେକ୍ ଆଜି (ଶନିବାର) ଘୋଷଣା କରିଛି ଯେ କୋଭାକ୍ସିନର ତୃତୀୟ ତଥା ପୂର୍ବରୁ ଦୁଇ ଡୋଜ ଏବଂ ପରେ ଗୋଟିଏ ବୁଷ୍ଟର ଡୋଜ ଗ୍ରହଣ କଲା ପରେ SARS-CoV-2 ର ସମସ୍ତ ଭ୍ୟାରିଏଣ୍ଟ ବିରୋଧରେ 19 ରୁ 265 ଗୁଣ ରୋଗ ପ୍ରତିରୋଧୀ ଶକ୍ତି ବୃଦ୍ଧି କରିଥିବା ଅଧ୍ୟୟନରୁ ସ୍ପଷ୍ଟ ହୋଇଛି । ସେହିପରି ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।