ଜୟପୁର:ରାଜସ୍ଥାନ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । କଂଗ୍ରେସ ହାତରୁ ଶାସନ କ୍ଷମତାକୁ ଛଡାଇ ଆଣି ବିଜେପି ବହୁମତ ସହିତ ସରକାର ଗଢିବାକୁ ଯାଉଛି । ହେଲେ କିଛି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀଙ୍କୁ ପରାଜୟ ସ୍ବୀକାର କରିବାକୁ ପଡ଼ୁଛି । କୋଟା ଉତ୍ତର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ପ୍ରହ୍ଲାଦ ଗୁଞ୍ଜଲ ହାରିବା ପରେ ଏହାକୁ ସ୍ବୀକାର କରିପାରିନାହାନ୍ତି ଜଣେ ବିଜେପି କର୍ମୀ । ଏହାପରେ ସେ ଟଏଲଟ କ୍ଲିନର ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏହାପରେ ତାଙ୍କୁ ତୁରନ୍ତ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
କୋଟାରେ ବିଜେପି ପ୍ରାର୍ଥୀ ପ୍ରହ୍ଲାଦ ଗୁଞ୍ଜଲଙ୍କୁ କଂଗ୍ରେସର ହେବିୱେଟ ନେତା ଶାନ୍ତି ଧାରିବାଲ ହରାଇଛନ୍ତି । ନିଜ ପ୍ରିୟ ନେତାଙ୍କ ହାରକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବିଜେପି କର୍ମୀ ତଥା କୋଟାର ନୟାପୁରା ମୁକ୍ତିଧାମ ରୋଡ ଅଧିବାସୀ ସୁରଜିତ ସିଂ । ସେ ବିଷାକ୍ତ ପଦାର୍ଥ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିବା ପରେ ତାଙ୍କୁ ଏମବିଏମସ ହସ୍ପିଟାଲରେ ବର୍ତ୍ତି କରାଯାଇଛି । ଏ ନେଇ ଏମବିଏସ ପୋଲିସ କହିଛନ୍ତି ଯେ ଏ ନେଇ ନୟାପୁରା ଥାନାକୁ ସୂଚନା ଦିଆଯାଇଥିଲା । ଯୁବକଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି । ନୟାପୁରା ପୋଲିସ ହସ୍ପିଟାଲ ଯାଇ ଯୁବକଙ୍କ ବୟାନ ରେକର୍ଡ କରିବା ପରେ ତଦନ୍ତ ପ୍ରକ୍ରିୟା ଆଗକୁ ନେବ ।