ନୂଆଦିଲ୍ଲୀ:ଆସନ୍ତାକାଲି (ଏପ୍ରିଲ 6) ବିଜେପି ପାଳନ କରିବାକୁ ଯାଉଛି ପ୍ରତିଷ୍ଠା ଦିବସ । ଏହି ଅବସରରେ ଭିନ୍ନ ଯୋଜନା ରଖିଛି ଦଳ । ବିଭିନ୍ନ ଦେଶର କୂଟନୀତିଜ୍ଞ ତଥା ରାଷ୍ଟ୍ରଦୂତମାନଙ୍କୁ ଦଳୀୟ ମୁଖ୍ୟାଳୟ ପରିଦର୍ଶନ କରିବା ପାଇଁ ଦଳ ନିମନ୍ତ୍ରଣ ଦେଇଛି । ଫଳରେ ଦଳ ଅନ୍ୟ ଦେଶ ସହ ମଧ୍ୟ ସୁସମ୍ପର୍କକୁ ବଢାଇ ପାରିବ।
ଏହି ଅଭିଯାନର ନାମ ରଖାଯାଇଛି ବିଜେପିକୁ ଜାଣନ୍ତୁ 'To Know BJP'। ପ୍ରତିଷ୍ଠା ଦିବସରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, ରାଷ୍ଟ୍ରୀୟ ପ୍ରବକ୍ତା ଶୁଧାଶୁଂ ଦ୍ବିବେଦୀ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସମେତ ବୈଦେଶିକ ମନ୍ତ୍ରଣାଳୟର କିଛି ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ହେବା ନେଇ ସୂଚନା ମିଳିଛି ।
ଏହା ବ୍ୟତୀତ କିଛି ବିଦେଶୀ କୂଟନୈତିଜ୍ଞଙ୍କୁ ମଧ୍ୟ ମୁଖ୍ୟାଳୟ ପରଦର୍ଶନ କରିବାକୁ ଦଳ ପକ୍ଷରୁ ନିମନ୍ତ୍ରଣ କରାଯାଇ ସରିଛି । ଏପର୍ଯ୍ୟନ୍ତ ଫ୍ରାନ୍ସର ରାଷ୍ଟ୍ରଦୂତ ଇମାନୁଏଲ୍ ଲେନେନ, ୟୁରୋପୀୟ ୟୁନିଅନର ରାଷ୍ଟ୍ରଦୂତ ଉଗୋ ଆଷ୍ଟୁଟୋ, ପର୍ତ୍ତୁଗାଲର ରାଷ୍ଟ୍ରଦୂତ କାର୍ଲୋସ ପେରେରା ମାର୍କସ, ସ୍ୱିଜରଲ୍ୟାଣ୍ଡର ରାଲଫ ହେକନର୍ ପୋଲାଣ୍ଡର ରାଷ୍ଟ୍ରଦୂତ ଆଡାମ ବୁରାକୋସ୍କି, ରୋମାନିଆର ପ୍ରତିନିଧିତ୍ବ କରୁଥିବା ଡାନିଏଲା ସେଜୋନୋଭ ଟେନ କାର୍ଯ୍ୟକ୍ରମରେ ଯୋଗ ଦେବା ନେଇ ସ୍ପଷ୍ଟ ହୋଇଛି ।