ଓଡିଶା

odisha

ବାସ୍ତବରେ ଯୋଜନାକୁ କୃଷକ ଉପଯୋଗୀ କରାଇବା ପାଇଁ ରାଜ୍ୟଗୁଡ଼ିକ ପ୍ରୟାସ କରିବା ଉଚିତ

By

Published : Mar 19, 2020, 10:06 AM IST

ଶସ୍ୟ ବୀମା ଯୋଜନାରେ ଯଦି ରାଜ୍ୟ ଗୁଡ଼ିକ ଅଧିକ ଆର୍ଥିକ ଭାର ବହନ କରିବାକୁ ରାଜି ନ ହୁଅନ୍ତି, ତେବେ ନିକଟରେ ହୋଇଥିବା ପରିବର୍ତ୍ତନ ଯୋଗୁଁ ହୁଏତ ଏହାର କାର୍ଯ୍ୟକ୍ଷମତା ଉପରେ ପ୍ରଶ୍ନ ଉଠିପାରେ । ସମ୍ପୂର୍ଣ୍ଣ ଖବର ପଢନ୍ତୁ...

aa
ବାସ୍ତବରେ ଯୋଜନାକୁ କୃଷକ ଉପଯୋଗୀ କରାଇବା ପାଇଁ ରାଜ୍ୟଗୁଡ଼ିକ ପ୍ରୟାସ କରିବା ଉଚିତ

ନିକଟରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY)ରେ କେତେକ ବଡ଼ ଧରଣର ପରିବର୍ତ୍ତନକୁ ଅନୁମୋଦନ କରିଛନ୍ତି । ଏହି ଚାଷ ବୀମା ଯୋଜନାରେ ଥିବା ଦୋଷ ଦୁର୍ବଳତା ଦୂର କରିବା ଲାଗି ଏହାକୁ କୃଷକମାନଙ୍କର ଇଚ୍ଛାଧୀନ କରାଯାଇଛି । 2016 ଫେବୃଆରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ଏହି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଋଣ ନେଉଥିବା କୃଷକମାନେ ଫସଲର ବୀମା କରାଇବା ବାଧ୍ୟତାମୂଳକ ଥିଲା । ସଂପ୍ରତି ଏହି ଯୋଜନାର 58 ପ୍ରତିଶତ କୃଷକ ଋଣଗ୍ରହୀତା । 2016 ଖରିଫ୍‌ ଋତୁରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାର ଏହି ବହୁ ଆଲୋଚିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY) ଆରମ୍ଭ କରିବା ପରଠାରୁ ଏହାକୁ ଚାଷୀମାନଙ୍କୁ ସୁହାଇଲା ଭଳି କରିବା ଲାଗି ଏଥିରେ ବହୁ ସଂଖ୍ୟକ ପରିବର୍ତ୍ତନ କରାଯାଇଛି ।

ଗତ ପକ୍ଷରେ (19 ଫେବୃଆରୀ, 2020) କେନ୍ଦ୍ର କ୍ୟାବିନେଟ୍‌ ପୁଣି ଏଭଳି ଏକ ପଦକ୍ଷେପ ନେଇ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅନେକ ପରିବର୍ତ୍ତନ ଘୋଷଣା କରିଥିଲେ । ଏଥିରେ ମୁଖ୍ୟତଃ ଦୁଇଟି ପରିବର୍ତ୍ତନ କରାଯାଇଥିଲା । ପ୍ରଥମଟି ହେଲା ଋଣ ନେଇ ନଥିବା କୃଷକମାନଙ୍କ ପାଇଁ ଏହାକୁ ଇଚ୍ଛାଧୀନ କରିବାର ନିଷ୍ପତ୍ତି । ଦ୍ବିତୀୟରେ, ବୀମା କିସ୍ତି ଉପରେ ସବ୍‌ସିଡି ପରିମାଣକୁ ଅଣ-ଜଳସେଚିତ ଅଞ୍ଚଳ ଓ ଫସଲ ଉପରେ 30 ପ୍ରତିଶତରେ ଏବଂ ଜଳସେଚିତ ଅଞ୍ଚଳ ଓ ଫସଲ ଉପରେ 25 ପ୍ରତିଶତରେ ସୀମିତ ରଖିବା ବ୍ୟବସ୍ଥା । ଏକତ୍ର ଭାବରେ ଏହି ଦୁଇଟି ନିଷ୍ପତ୍ତିର ବଡ଼ ଧରଣର ପ୍ରଭାବ ଏହି ଯୋଜନା ଉପରେ ପଡ଼ିପାରେ ଏବଂ ଆଗାମୀ ଫସଲ ଋତୁରେ ଏହା ଉପରେ ତୀକ୍ଷ୍‌ଣ ନଜର ରଖିବା ଆବଶ୍ୟକ ।

ଅଗ୍ରଣୀ ବୀମା କମ୍ପାନୀଗୁଡ଼ିକରେ କାର୍ଯ୍ୟରତ ବିଶେଷଜ୍ଞମାନଙ୍କ ମତାମତ ଅନୁସାରେ ଋଣ ନେଇ ନଥିବା କୃଷକଙ୍କ ପାଇଁ ଏହାକୁ ସ୍ବେଚ୍ଛାଧୀନ (ଏବେ ଋଣ ନେଇଥିବା କୃଷକଙ୍କ ପାଇଁ ଏହା ସ୍ବେଚ୍ଛାଧୀନ ରହିଛି) କରାଗଲେ ଏହି ଯୋଜନାରେ ସାମିଲ ହେଉଥିବା କୃଷକଙ୍କ ସଂଖ୍ୟା କମିବ । କାରଣ, କେବଳ ଯେଉଁମାନେ ସେମାନଙ୍କ ଫସଲ ପ୍ରତି ସଙ୍କଟ ଅଧିକ ବୋଲି ମନେ କରିବେ, ସେମାନେ ହିଁ ଏହି ଯୋଜନାରେ ସାମିଲ ହେବେ ।

ସ୍ବଳ୍ପ ଅବଧି ପାଇଁ ହେଲେ ବି ଏହି ବ୍ୟବସ୍ଥା ଯୋଗୁଁ ଯୋଜନା ଅନ୍ତର୍ଗତ କ୍ଷେତ୍ର ପରିମାଣ ହ୍ରାସ ପାଇବ । କୃଷି ମନ୍ତ୍ରାଳୟ (କେନ୍ଦ୍ର ସରକାରଙ୍କ)ର ଉଚ୍ଚ ସରକାରୀ ଅଧିକାରୀମାନଙ୍କ ଆକଳନ ଅନୁସାରେ, ସ୍ବଳ୍ପ ଅବଧି ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅନ୍ତର୍ଗତ ଜମି ପରିମାଣ 10 ରୁ 20 ପ୍ରତିଶତ କମିଯିବ । ଏଠାରେ ଏହା ଲକ୍ଷ୍ୟ କରିବା ଗୁରୁତ୍ବପୂର୍ଣ୍ଣ ଯେ, 2016 ମସିହାରେ ଏହାର ପ୍ରବର୍ତ୍ତନ ପରଠାରୁ, ଏହି ଯୋଜନା ପ୍ରତି ବିଶେଷ ଧ୍ୟାନ ଦିଆଯାଇ ଏହାର ପ୍ରଚାର କରାଯାଇଥିଲେ ହେଁ, ଏ ପର୍ଯ୍ୟନ୍ତ ଫସଲ ବୀମା ଅନ୍ତର୍ଗତ ଚାଷଜମି ପରିମାଣ 22 ପ୍ରତିଶତରୁ 30 ପ୍ରତିଶତକୁ ବୃଦ୍ଧି ପାଇଛି ।

ଏହା ବ୍ୟତୀତ, 2020 ଖରିଫ୍‌ ଋତୁରୁ ଏଥିରେ ସାମିଲ ହୋଇଥିବା ମୋଟ ଚାଷୀଙ୍କ ସଂଖ୍ୟା କମିଥିବା ଲକ୍ଷ୍ୟ କରାଯାଇଛି । ଉପଲବ୍ଧ ତଥ୍ୟରୁ ଜଣାଯାଏ ଯେ 2016 ରୁ 2018 ର ଖରିଫ୍‌ ଋତୁ ମଧ୍ୟରେ ଏହି ଯୋଜନାରେ ତାଲିକାଭୁକ୍ତ କୃଷକଙ୍କ ସଂଖ୍ୟା ପ୍ରାୟ 14 ପ୍ରତିଶତ କମ୍‌ ହୋଇଛି ଏବଂ ସର୍ବାଧିକ 4 କୋଟି 4 ଲକ୍ଷରୁ 3 କୋଟି 48 ଲକ୍ଷକୁ ହ୍ରାସ ପାଇଛି ।

ଅଧିକାରୀମାନଙ୍କ ମତରେ ତାଲିକାଭୁକ୍ତ ଚାଷୀଙ୍କ ସଂଖ୍ୟା ହ୍ରାସ ପଛର ବଡ଼ କାରଣ ହେଉଛି ବିଭିନ୍ନ ରାଜ୍ୟ ସରକାରଙ୍କ ଦ୍ବାରା ବହୁ ପ୍ରକାରର ଋଣଛାଡ଼ ଘୋଷଣା ଏବଂ ବାଧ୍ୟତାମୂଳକ ଆଧାର କାର୍ଡ ସଂଯୋଗୀକରଣ- ଯାହା ଫଳରେ ଦୁଇ ଦୁଇ ଥର ରହିଥିବା କେତେକ ଦାବିଦାରଙ୍କ ନାଁ କଟି ଯାଇଥିଲା । ଏହି ଯୋଜନାରେ ତାଲିକାଭୁକ୍ତ ଚାଷୀଙ୍କ ସଂଖ୍ୟା କମିଯାଉଥିବା ବେଳେ, ଗତ କିଛି ବର୍ଷ ହେଲା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ବୀମା କିସ୍ତି ପରିମାଣ ରବି ଋତୁରେ 12 ପ୍ରତିଶତକୁ ଏବଂ ଖରିଫ ଋତୁ ପାଇଁ 14 ପ୍ରତିଶତକୁ ବୃଦ୍ଧି ପାଇଛି ।

ଏବେ, ଯଦିବା ଏହି ଯୋଜନାରେ କମ୍‌ ସଂଖ୍ୟକ ଚାଷୀ ସାମିଲ ହୁଅନ୍ତି, ତେବେ ବୀମା କିସ୍ତି ପରିମାଣ ବୃଦ୍ଧି ପାଇବା ଅବଶ୍ୟମ୍ଭାବୀ । ଏଭଳି ସ୍ଥିତିରେ ସବ୍‌ସିଡି ଉପରେ କେନ୍ଦ୍ର ସରକାରଙ୍କ ସୀମା ହିଁ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବ । ଏହି ଯୋଜନା ଅନୁସାରେ, ଯଦି କୌଣସି ଫସଲ କିମ୍ବା ଚାଷ ଜମିର ବୀମା କିସ୍ତି ପରିମାଣ ଅଣ-ଜଳସେଚିତ ଅଞ୍ଚଳ ପାଇଁ 30 ପ୍ରତିଶତ ଏବଂ ଜଳସେଚିତ ଅଞ୍ଚଳରେ 25 ପ୍ରତିଶତରୁ ଅଧିକ ହୁଏ, ତେବେ କେବଳ ସେହି ପରିମାଣ ପର୍ଯ୍ୟନ୍ତ କେନ୍ଦ୍ର ସରକାର ସବ୍‌ସିଡି ଭାର ବହନ କରିବେ ।

ଉଦାହରଣ ସ୍ବରୂପ, ଧରି ନିଆଯାଉ ଯେ କୌଣସି ଅଣ-ଜଳସେଚିତ ଅଞ୍ଚଳରେ ହୋଇଥିବା ଗୋଟିଏ ଫସଲର ବୀମା କିସ୍ତି ପରିମାଣ 40 ପ୍ରତିଶତ ହେଉଛି । ଏ କ୍ଷେତ୍ରରେ କୃଷକ ସର୍ବାଧିକ 2 ପ୍ରତିଶତ ଦେବେ ଏବଂ ଅବଶିଷ୍ଟ 38 ପ୍ରତିଶତସବ୍‌ସିଡି କେନ୍ଦ୍ର ଓ ରାଜ୍ୟ ସରକାର ସମାନ ଭାବରେ, 50:50 ଅନୁପାତରେ ବହନ କରିବେ । ହେଲେ, ଆସନ୍ତା ଖରିଫ୍‌ ଋତୁରୁ (2020) ବୀମା କିସ୍ତି ଉପରେ ଚାଷୀଙ୍କ ଭାଗ 2 ପ୍ରତିଶତରେ ସୀମିତ ରହିବ, କିନ୍ତୁ କେନ୍ଦ୍ର ସରକାର କେବଳ 30 ପ୍ରତିଶତ ପର୍ଯ୍ୟନ୍ତ ସବ୍‌ସିଡି ଭାର ବହନ କରିବେ, ଯାହାର ଅର୍ଥ 50:50 ଅନୁପାତରେ 14 ପ୍ରତିଶତ । ବଳକା ରାଶି ପରିମାଣ, ଯାହାକି ଏ କ୍ଷେତ୍ରରେ 24 ପ୍ରତିଶତ, ରାଜ୍ୟ ସରକାରଙ୍କୁ ବହନ କରିବାକୁ ପଡ଼ିବ । ତାହା ବି ଯଦି ରାଜ୍ୟ ସରକାର ଏହି ଯୋଜନାରେ ସାମିଲ ହେବାକୁ ଚାହାନ୍ତି ।

ଏବେ ଯଦି କୌଣସି ରାଜ୍ୟ ଏହି ଅତିରିକ୍ତ ଭାର ବହନ କରିବାକୁ ରାଜି ନ ହୁଏ, ତେବେ ସେଠାକାର ଚାଷୀ ହୁଏତ ଏହି ବିଶ୍ବସନୀୟ ବୀମା ବ୍ୟବସ୍ଥା ବାହାରେ ରହିଯିବେ ଏବଂ ଫସଲହାନି କ୍ଷେତ୍ରରେ ସାଧାରଣତଃ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି (SDRF)ରୁ ମିଳୁଥିବା ଫସଲହାନି କ୍ଷତିପୂରଣ ଉପରେ ନିର୍ଭର କରିବେ । ଏହା ହୁଏତ ଏହି ଯୋଜନାର କାର୍ଯ୍ୟକାରିତାକୁ ଗୁରୁତର ଭାବେ ପ୍ରଭାବିତ କରିପାରେ । ( ଏହି ଯୋଜନାରେ କେନ୍ଦ୍ର ସରକାର କରିଥିବା ପରିବର୍ତ୍ତନ ଜନିତ ଆର୍ଥିକ ଆବଶ୍ୟକତା ପୂରଣ ଦିଗରେ ଆନ୍ଧ୍ର ପ୍ରଦେଶ ଭଳି କେତେକ ଆର୍ଥିକ ଚାପଗ୍ରସ୍ତ ରାଜ୍ୟ ନିଜକୁ ପ୍ରସ୍ତୁତ କରିବାରେ ସକ୍ଷମ ହେବେ କି ନାହିଁ ବୋଲି କେତେକ ବରିଷ୍ଠ ଅଧିକାରୀ ସଂଶୟ ପ୍ରକାଶ କରିଛନ୍ତି ।)

ଫସଲହାନୀ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମାରାଶି ପ୍ରଦାନ ନିମନ୍ତେ ଆର୍ଥିକ ଆବଶ୍ୟକତା ତୁଳନାରେ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ଚାଷୀଙ୍କୁ ପ୍ରଦାନ କରାଯାଉଥିବା ଫସଲହାନି କ୍ଷତିପୂରଣ ଯଥେଷ୍ଟ କମ୍‌ । କୃଷି, ଉଦ୍ୟାନ କୃଷି ଏବଂ ବାର୍ଷିକ ରୋପଣ କରାଯାଉଥିବା ଫସଲ କ୍ଷେତ୍ରରେ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ କ୍ଷତିପୂରଣ ରାଶି, ଅଣ ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା 6,800 ଟଙ୍କା (ବିହନ ବୁଣାଯାଇଥିବା ଜମି ପାଇଁ) ଏବଂ ଜଳସେଚିତ ଜମି ପାଇଁ 13,500 ଟଙ୍କା ରହିଛି ।

ଚାଷୀ 2 ହେକ୍ଟରରୁ ଅଧିକ ଜମିର ମାଲିକ ହୋଇଥିଲେ, ସେ କ୍ଷେତ୍ରରେ ସର୍ବାଧିକ 2 ଏକର ପାଇଁ ସହାୟତା ମିଳିବ ବୋଲି ସୀମା ଧାର୍ଯ୍ୟ କରାଯାଇଛି । ତୁଳନାତ୍ମକ ଭାବେ ଗୁଜରାଟର ରାଜକୋଟ ଜିଲ୍ଲାରେ (ଉଦାହରଣ ସ୍ବରୂପ) ଆର୍ଥିକ ହାରକୁ ଦେଖିଲେ ପ୍ରତି ହେକ୍ଟର ପିଛା ରାଶି ପାଇଁ 39,000 ଟଙ୍କା, ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା କପା ପାଇଁ 58,000 ଟଙ୍କା ଏବଂ ଚିନାବାଦାମ ପାଇଁ ହେକ୍ଟର ପିଛା 42,000 ଟଙ୍କା ରହିଥିଲା ।ସୁତରାଂ, ଫସଲ ବୀମା ନ ଥିଲେ, ସଂପ୍ରତି ପ୍ରଚଳିତ ନିୟମ ଅନୁସାରେ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ କ୍ଷତିପୂରଣ ବାବଦରେ ଚାଷୀମାନେ ନିହାତି ଅଳ୍ପ ପରିମାଣର ଅର୍ଥରାଶି ପାଇବେ।

ରାଜ୍ୟଗୁଡ଼ିକ ପାଇଁ ସେମାନଙ୍କ ସବସିଡି କମ ରଖିବା ସହିତ ଚାଷୀମାନଙ୍କୁ ଭଲ ବୀମା ବ୍ୟବସ୍ଥା ପ୍ରଦାନ କରିବାର ଏକ ଉପାୟ ରହିଛି । ତାହା ହେଲା ଯଦି ସେମାନେ ନିର୍ଦ୍ଦିଷ୍ଟ ଭାବରେ ଏଭଳି ଏକ ବ୍ୟବସ୍ଥା ପ୍ରଣୟନ କରନ୍ତି, ଯେଉଁଥିରେ କି ମୂଳରୂପରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ସଂପୂର୍ଣ୍ଣ ଭାବରେ ଗ୍ରହଣ କରି ହେଉ ବା ଗ୍ରହଣ ନକରି ହେଉ, କୁଆପଥର ବର୍ଷା ଭଳି ଏକ ନିର୍ଦ୍ଦିଷ୍ଟ ବିପତ୍ତିରୁ କ୍ଷତିପୂରଣ ମିଳୁଥିବ । ନିକଟରେ ଆୟୋଜିତ କ୍ୟାବିନେଟ୍‌ ବୈଠକର ନିଷ୍ପତ୍ତିରେ ଏହି ବ୍ୟବସ୍ଥାକୁ ଅନୁମୋଦନ କରାଯାଇଛି । ସ୍ବାଭାବିକ ଭାବରେ ଏଭଳି ଏକ ବୀମା ବ୍ୟବସ୍ଥାରେ ଏକ ନିର୍ଦ୍ଦିଷ୍ଟ ବିପତ୍ତି ଜନିତ କ୍ଷତି ଭରଣା ପାଇଁ କିସ୍ତି ପରିମାଣ କମ୍‌ ରହିବ । ଏହାଦ୍ବାରା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଗତିଶୀଳ ହେବ କି ନାହିଁ, ଆଗାମୀ ବର୍ଷ ଗୁଡ଼ିକରେ ତାହା ଉପରେ ନଜର ରହିବା ଆବଶ୍ୟକ ।

@ ପି ପୁରୁଷୋତ୍ତମ

ABOUT THE AUTHOR

...view details