ଈଟିଭି ଭାରତ ଦ୍ବାରା ସମୀକ୍ଷା କରାଯାଇଥିବା କେନ୍ଦ୍ର ବସ୍ତ୍ର ମନ୍ତ୍ରାଳୟର ଏକ ନିର୍ଦ୍ଦେଶନାମାରେ କୁହାଯାଇଛି, “ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ସଂକ୍ରମିତ ଅଧିକାରୀମାନଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଅଧିକାରୀମାନଙ୍କ ସୁରକ୍ଷା ପାଇଁ ସର୍ବାଧିକ ସତର୍କତାମୂଳକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।” ପ୍ରସଙ୍ଗ ସହ ସଂପର୍କିତ ଜଣେ ବ୍ୟକ୍ତିଙ୍କ କହିବା ଅନୁସାରେ ବିଭିନ୍ନ ଅନ୍ୟାନ୍ୟ ମନ୍ତ୍ରାଳୟ ମଧ୍ୟ ଦିନେ ଦୁଇଦିନ ଭିତରେ ଅନୁରୂପ ନିର୍ଦ୍ଦେଶ ଜାରି କରିବାକୁ ଯାଉଛନ୍ତି । ଯେ କୌଣସି ସମୟରେ ଗୋଟିଏ କୋଠରିରେ 2 ଜଣରୁ ଅଧିକ ବ୍ୟକ୍ତି ରହିବା ଉଚିତ ନୁହେଁ ବୋଲି ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯିବା ସହିତ ବେସରକାରୀ ଟ୍ୟାକ୍ସି ସମେତ ସାଧାରଣ ପରିବହନ ବ୍ୟବସ୍ଥାର ଉପଯୋଗ କରୁଥିବା କିମ୍ବା କୌଣସି କଣ୍ଟେନ୍ମେଣ୍ଟ୍ ଜୋନ୍ ଆଖପାଖ ଅଞ୍ଚଳରେ ରହୁଥିବା କର୍ମଚାରୀମାନେ ଅଫିସ୍ ଆସିବାକୁ ବାରଣ କରାଯାଇଛି ।
ମଙ୍ଗଳବାର ଦିନ, ଦ୍ବିତୀୟ ସଚିବସ୍ତରୀୟ ଅଧିକାରୀ ଭାବରେ ପୁଞ୍ଜିନିବେଶ ଏବଂ ସାର୍ବଜନିକ ସଂପତ୍ତି ପରିଚାଳନା ବିଭାଗ ସଚିବ ତୁହିନ କାନ୍ତ ପାଣ୍ଡେ କୋରୋନା ପଜିଟିଭ ବୋଲି ସାଧାରଣରେ ରିପୋର୍ଟ ପ୍ରକାଶ ପାଇବା ପରେ ଏହି ବିଷୟକୁ ଜରୁରୀକାଳୀନ ପ୍ରାସଙ୍ଗିକତା ପ୍ରଦାନ କରାଯାଇଥିଲା ।
ପୁଞ୍ଜିନିବେଶ ଓ ସାର୍ବଜନିକ ସଂପତ୍ତି ପରିଚାଳନା ବିଭାଗ ରହିଥିବା କୋଠାକୁ ସାନିଟାଇଜ୍ କରିବା ଉଦ୍ଦେଶ୍ୟରେ ବନ୍ଦ କରାଗଲା ବୋଲି ବିଭାଗୀୟ କର୍ମଚାରୀମାନଙ୍କୁ ସୂଚିତ କରାଇ ଦିଆଯାଇଥିବା ସରକାରୀ ଚିଠିରେ ପୁଞ୍ଜି ପ୍ରତ୍ୟାହାର ବିଭାଗ ସଚିବଙ୍କ ସମେତ ଆଉ ଦୁଇ ଜଣ ଅଧିକାରୀ କୋରୋନା ପଜିଟିଭ୍ ବୋଲି ଜଣାପଡ଼ିଥିବା ବିଷୟ ମଧ୍ୟ ଉଲ୍ଲେଖ କରାଯାଇଥିଲା ।
ସରକାରୀ ମହଲରେ ଆଶଙ୍କାର କାରଣ ହେଉଛି ଯେ ତୁହିନ କାନ୍ତ ପାଣ୍ଡେ ଏକମାତ୍ର ସଂକ୍ରମିତ ଅଧିକାରୀ ନୁହନ୍ତି । ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର ଏବଂ ପିଆଇବି ମୁଖ୍ୟ କେ.ଏସ୍.ଧତୱାଲିଆଙ୍କ ସମେତ ନିକଟରେ ଅନ୍ୟ ଅନେକ ବରିଷ୍ଠ ଅଧିକାରୀ କୋରୋନା ପଜିଟିଭ୍ ବୋଲି ଚିହ୍ନଟ ହୋଇଥିଲେ । ଅର୍ଥ ମନ୍ତ୍ରାଳୟର ଜଣେ ଅନୁସଚିବ ରୀତା ମଲ ଏବଂ ଆଇନ ଓ ନ୍ୟାୟ ମନ୍ତ୍ରାଳୟର ଜଣେ ଯୁଗ୍ମ ସଚିବ ଡକ୍ଟର ନାରାୟଣ ରାଓ ବାଟ୍ଟୁ ମଧ୍ୟ ପଜିଟିଭ୍ ବୋଲି ପରୀକ୍ଷଣରୁ ଜଣାପଡ଼ିଥିଲା ।
କେନ୍ଦ୍ର ସରକାରଙ୍କ ପ୍ରଚାର ବିଭାଗର ପ୍ରମୁଖ ମହାନିର୍ଦ୍ଦେଶକ ଭାବରେ ଧତୱାଲିଆ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଗୃହ ବିଭାଗ ପକ୍ଷରୁ ମିଳିତ ଭାବେ ଆୟୋଜିତ କୋଭିଡ୍-19 ସଂପର୍କିତ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନୋତ୍ତର ଅଧିବେଶନର ସଂଯୋଜନା କରିଆସୁଥିଲେ ।
ଏହି ପ୍ରସଙ୍ଗ ସହ ସୁସଂପର୍କିତ ବ୍ୟକ୍ତିମାନଙ୍କ କହିବା ଅନୁସାରେ, କେ.ଏସ.ଧତୱାଲିଆଙ୍କ ଡ୍ରାଇଭର ଏବଂ ଅନ୍ୟ ଜଣେ କର୍ମଚାରୀ ସଂକ୍ରମିତ ବୋଲି ଜଣାପଡ଼ିବା ପରେ ତାଙ୍କ ପାଖରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ନିଜେ ନିଜେ ପୃଥକ୍ବାସରେ ରହିଆସୁଛନ୍ତି ।
ହେଲେ, ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ମହଲରେ ସତର୍କ ଘଣ୍ଟି ବାଜିବାର ବାସ୍ତବ କାରଣ ହେଉଛି ଯେ କେନ୍ଦ୍ର ସରକାରଙ୍କର ପ୍ରଚାର ବିଭାଗର ମୁଖ୍ୟ ହିସାବରେ କେ.ଏସ୍.ଧତୱାଲିଆ ବିଭିନ୍ନ କେନ୍ଦ୍ର ମନ୍ତ୍ରୀ ଏବଂ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରାଳୟର ବଡ଼ ବଡ଼ ଅଧିକାରୀମାନଙ୍କ ନିୟମିତ ସଂସ୍ପର୍ଶରେ ଆସୁଥିଲେ ।
ଗତ ସପ୍ତାହରେ, ସୋମବାର (ଜୁନ୍ 1) ଏବଂ ବୁଧବାର (ଜୁନ୍ 3) ଦିନ, କେ.ଏସ୍. ଧତୱାଲିଆ କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କିତ ଦୁଇଟି ସମ୍ମିଳନୀର ସଂଯୋଜନା ମଧ୍ୟ କରିଥିଲେ । ସେତେବେଳେ ସେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଏବଂ ପରିବହନ ଏବଂ ଏମ୍ଏସ୍ଏମ୍ଇ ମନ୍ତ୍ରୀ ନୀତିନ ଗଡ଼କରି ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ସହ ସମ୍ମିଳନୀରେ ଉପସ୍ଥିତ ଥିଲେ ।
ମଙ୍ଗଳବାର ଦିନ ଶ୍ରୀ ଧତୱାଲିଆ, ଯୋଗାଯୋଗ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବି ଶଙ୍କର ପ୍ରସାଦଙ୍କର ଆଉ ଏକ ସାମ୍ବାଦିକ ସମ୍ମିଳନୀର ସଂଯୋଜନା କରିଥିଲେ ଏବଂ ଏଥିରେ ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ଏବଂ ଯୋଗାଯୋଗ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଚିବ ସଞ୍ଜୟ ଧୋତ୍ରେ ମଧ୍ୟ ଯୋଗ ଦେଇଥିଲେ ।
ବୁଧବାର ଦିନ ଏହି ମନ୍ତ୍ରୀମାନେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମଧ୍ୟ ଯୋଗ ଦେଇଥିଲେ ଏବଂ ବୈଠକରେ ଅତ୍ୟାବଶ୍ୟକ ସେବା ଆଇନରେ କେତେକ ସୁଦୂରପ୍ରସାରୀ ସଂଶୋଧନ ପ୍ରସ୍ତାବ ଅନୁମୋଦିତ ହେବା ସହିତ ସାରା ଦେଶର ଯେ କୌଣସି ବଜାରରେ ନିଜ ଉତ୍ପାଦିତ ଫସଲ ବିକିବା ପାଇଁ କୃଷକମାନଙ୍କୁ ଅଧିକ ସ୍ବାଧୀନତା ପ୍ରଦାନ ସଂପର୍କିତ ଦୁଇଟି ଅଧ୍ୟାଦେଶ ମଧ୍ୟ ଅନୁମୋଦନ ଲାଭ କରିଥିଲା ।
ଶ୍ରୀ ଧତୱାଲିଆ କୋରୋନା ପଜିଟିଭ ବୋଲି ଚିହ୍ନଟ ହେବା ପରେ କେତେ ଜଣ କେନ୍ଦ୍ର ମନ୍ତ୍ରୀ ଏବଂ ଶୀର୍ଷସ୍ଥାନୀୟ ଅଧିକାରୀ ନିଜେ ନିଜେ ପୃଥକ୍ବାସର ନିୟମ ପାଳନ କରୁଛନ୍ତି, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ହେଲେ, ସାନିଟାଇଜେସନ୍ ପାଇଁ ପିଆଇବି କୋଠାକୁ ସିଲ୍ କରିଦିଆଯାଇଛି । ଏବଂ ନିୟମିତ ଭାବେ ସାଧାରଣତଃ ବୁଧବାର ଦିନ ବସୁଥିବା କ୍ୟାବିନେଟ୍ ବୈଠକ ଏଥର ଆୟୋଜିତ ହୋଇନାହିଁ ।
ପିଆଇବିର ଶୀର୍ଷ ଅଧିକାରୀ ଜଣକ କୋରୋନା ପଜିଟିଭ୍ ବୋଲି ସାଧାରଣରେ ଖବର ପ୍ରକାଶିତ ହେବା ପରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବଂ ଗୃହ ମନ୍ତ୍ରାଳୟ ପକ୍ଷରୁ ନିୟମିତ ଭାବେ ଆୟୋଜିତ ହେଉଥିବା କୋଭିଡ୍ ସଂପର୍କିତ ସାମ୍ବାଦିକ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇନାହିଁ ।