ନୂଆଦିଲ୍ଲୀ:ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନ ତାଲିବାନର ବର୍ବରତା ସାଙ୍ଗକୁ ଆଉ ଏକ ବଡ ସଙ୍କଟର ସାମ୍ନା କରିବାକୁ ଯାଉଛି । ଦେଶରେ ମହଜୁଦ ଥିବା ଔଷଧ ସାମଗ୍ରୀ ଆଉ କିଛି ଦିନ ମଧ୍ୟରେ ଶେଷ ହୋଇଯିବ । ଯାହା ଫଳରେ ଉତ୍କଟ ସ୍ବାସ୍ଥ୍ୟ ସଙ୍କଟ ଦେଖାଯିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ଏପରି ଏକ ଆଶଙ୍କିତ କଲା ଭଳି ତଥ୍ୟ ଦେଇଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ।
WHOର ପୂର୍ବାଞ୍ଚଳ ଭୂମଧ୍ୟସାଗରୀୟ କ୍ଷେତ୍ରର ଜରୁରୀକାଳୀନ ନିର୍ଦ୍ଦେଶକ ରିକ୍ ବ୍ରେନାନ କହିଛନ୍ତି ‘ଆମର ମାତ୍ର କିଛି ଦିନର ଔଷଧ ସାମଗ୍ରୀ ବାକି ଅଛି ଏବଂ ଆଫଗାନିସ୍ତାନକୁ ଅଧିକ ଜରୁରୀ ସାମଗ୍ରୀ ପଠାଇବାର ସମସ୍ତ ପନ୍ଥା ବର୍ତ୍ତମାନ ସୁଦ୍ଧା ବନ୍ଦ ରହିଛି । ଆମେ ଜରୁରୀ ସାମଗ୍ରୀ ପହଞ୍ଚାଇବା ପାଇଁ ଯଥା ସମ୍ଭବ ପ୍ରୟାସ ଜାରି ରଖିବା ବିକଳ୍ପ ବ୍ୟବସ୍ଥା ଅନୁସନ୍ଧାନ କରୁଛୁ ।
ଗୁରୁବାର କାବୁଲ ବିମାନବନ୍ଦର ବାହାରେ ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ବହୁ ସଂଖ୍ୟାରେ ଆଫଗାନ ନାଗରିକଙ୍କ ତଥା 13 ଜଣ ଆମେରିକୀୟ ସୈନ୍ୟ ପ୍ରାଣ ହରାଇଛନ୍ତି । ଫଳରେ ସମସ୍ତ ଅନ୍ତର୍ଜାତୀୟ ବିମାନ ଉଡାଣ ବାତିଲ କରାଯାଇଛି । ଚିକିତ୍ସା ଉପକରଣ ଏବଂ ଔଷଧ ଯୋଗାଇବା ପାଇଁ ହେଉଥିବା ସମସ୍ୟା ଦ୍ବିଗୁଣିତ ହେବାରେ ଲାଗିଛି ।