କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାରୁ ନବଜାତ ଶିଶୁ ମୃତ୍ୟୁ ଅଭିଯୋଗ
ନବଜାତକକୁ ହରାଇଥିବା ପରିବାର ହସ୍ପିଟାଲ ପରିସରରେ ପ୍ରତିବାଦ କରିବା ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
Published : September 2, 2026 at 3:03 PM IST
ଭବାନୀପାଟଣା:ଚିକିତ୍ସାରେ ଅବହେଳା ଯୋଗୁଁ ପୁଣି ଜଣେ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ଅଭିଯୋଗ । କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୁଣି ଚିକିତ୍ସାରେ ଅବହେଳା ହୋଇଥିବା ଖବର ସାମ୍ନାକୁ ଆସିଛି । ନବଜାତକକୁ ହରାଇଥିବା ପରିବାର ହସ୍ପିଟାଲ ପରିସରରେ ପ୍ରତିବାଦ କରିବା ସହ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
ମିଳିଲାନି ସଠିକ ସମୟରେ ଚିକିତ୍ସା:
ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ପ୍ରତାପପୁରଗ୍ରାମର ମାର୍କଣ୍ଡ ବଗର୍ତ୍ତୀଙ୍କ ପତ୍ନୀଙ୍କୁ ପ୍ରସବ ପାଇଁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କର ଅସ୍ତ୍ରୋପଚାର କରାଯିବା ପରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ତେବେ ଜନ୍ମ ପରେ ନବଜାତ ଶିଶୁର ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଆବଶ୍ୟକ ସମୟରେ ଚିକିତ୍ସା ମିଳିନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ପରିବାରର ଅଭିଯୋଗ ଅନୁସାରେ, ଶିଶୁକୁ କୋଳରେ ଧରି ସେମାନେ ଦୀର୍ଘ ସମୟ ଧରି ଚିକିତ୍ସା ପାଇଁ ଅପେକ୍ଷା କରିଥିଲେ । ପରେ ଶିଶୁର ସ୍ଥିତି ଜଟିଳ ହେବାରୁ ତାକୁ ଏସ୍ଏନ୍ସିୟୁ (SNCU)କୁ ନେବା ପାଇଁ ପରାମର୍ଶ ଦିଆଯାଇଥିଲା । ହେଲେ ଓଟି ରିପୋର୍ଟ ଦିଆଯାଇନଥିବାରୁ ଶିଶୁକୁ SNCUରେ ଆଡମିଟ୍ କରାଯାଇନଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏହାର କିଛି ସମୟ ପରେ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ପରିବାର କହିଛି ।
ପୋଲିସର ହସ୍ତକ୍ଷେପ:
ଘଟଣା ପରେ ପରିବାର ଲୋକେ ହସ୍ପିଟାଲ ପରିସରରେ ପ୍ରତିବାଦ କରିଥିଲେ। ଖବର ପାଇ ଭବାନୀପାଟଣା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲା । ଅନ୍ୟପକ୍ଷରେ, ଏହି ଘଟଣାର ତଦନ୍ତ କରାଯିବ ବୋଲି କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ହରେକୃଷ୍ଣ ଶତପଥୀ କହିଛନ୍ତି ।
ଆସିଲେନି ଡାକ୍ତର:
ଏନେଇ ମୃତ ଶିଶୁର ବାପା ମାର୍କଣ୍ଡ ବଗର୍ତ୍ତୀ କହିଛନ୍ତି, "ଦିନ ୩ ଟାରେ ମୁଁ ମୋ ସ୍ତ୍ରୀକୁ ମେଡ଼ିକାଲରେ ପ୍ରସ୍ରବ ପାଇଁ ଭର୍ତ୍ତି କରିଥିଲି । ଡାକ୍ତର ଶୀଘ୍ର ଯିବେ ବୋଲି ତୁରନ୍ତ ଦେଖାଇବାକୁ କହିଥିଲେ । ଅସ୍ତ୍ରୋପଚାର ହେବା ପାଇଁ ମୁଁ ତୁରନ୍ତ ରକ୍ତ ପରୀକ୍ଷା କରିବା ସହ ରିପୋର୍ଟ୍ ନେଇକ ଦେଇଥିଲି । ପରେ ଅସ୍ତ୍ରୋପଚାର ଦ୍ବାରା ଶିଶୁ ପୁତ୍ର ଜନ୍ମ ହୋଇଥିଲା । ପୁଅକୁ ମୋତେ ଦେଲେ ମୁଁ ଧରିଥିଲି । ହେଲେ ଶିଶୁର ଦେହ କେମିତି ଅଛି କିଛି କହିଲେ ନାହିଁ । ଯେଉଁ ସମୟରେ ଶିଶୁକୁ ଚିକିତ୍ସା କରିବା ଆବଶ୍ୟକ ଥିଲା, ତାହା କଲେ ନାହିଁ ଫଳରେ ଶିଶୁର ମୃତ୍ୟୁ ହେଲା । ବାରମ୍ୱାର ଡାକ୍ତରଙ୍କୁ ଡାକିବା ପରେ ବି ସେ ଆସିଲେ ନାହିଁ । ଆମକୁ ନ୍ୟାୟ ଦରକାର ।"
ତଦନ୍ତ ନିର୍ଦ୍ଦେଶ:
କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ଼ା ହରେକୃଷ୍ଣ ଶତପଥୀ କହିଛନ୍ତି, "ଏହା ଏକ ଦୁଃଖଦ ଘଟଣା । ମେଡିକାଲ କଲେଜ ହସ୍ପିଟାଲରେ ଏପରି ଅବହେଳା ଦୁଖଦାୟକ । ଏହା ବଡ଼ ଦୁଃଖର କଥା । ଏ ସମ୍ପର୍କରେ ଦାୟିତ୍ବରେ ଥିବା ଡାକ୍ତର ପ୍ରେସମିଟ୍ କରିବେ । ନବଜାତକ ଜନ୍ମ ହେବା ପରେ ତା' ବାପାଙ୍କୁ ଦିଆଯାଇଥିଲା । ତା' ବାପା ସେମିତି ଥଣ୍ଡା ମାହୋଲରେ ଘୋଡ଼ାଘୋଡ଼ି କରି ରଖିନଥିବେ, ଯେଉଁଥିପାଇଁ ଏପରି ହୋଇଥାଇପାରେ । ସୁପରିଣ୍ଟେଣ୍ଡେଣ୍ଟ ଏହି ମାମଲାରେ ତଦନ୍ତ କରି କଡ଼ା ପଦକ୍ଷେପ ଗ୍ରହଣ କରିବେ ।"
ତେବେ ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଅବହେଳାକୁ ନେଇ ଅଭିଯୋଗ ଏବଂ ରୋଗୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିବା ଅଭିଯୋଗ ରହିଛି । ପ୍ରତ୍ୟେକ ଘଟଣା ପରେ ତଦନ୍ତର ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ଏହାର ଫଳାଫଳ ସାଧାରଣରେ ସ୍ପଷ୍ଟ ହେଉନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ଦେଖିବାକୁ ମିଳୁଛି ।
| ଏହା ମଧ୍ୟ ପଢନ୍ତୁ: ଐତିହାସିକ ଜଳାଶୟ 'ହରିହର ସାଗର' ପୁନରୁଦ୍ଧାର ପାଇଁ ତେଜୁଛି ଆନ୍ଦୋଳନ ଜୋର ଧରିଲା ତୁର୍କେଲ୍ ବ୍ରିଜ ନିର୍ମାଣ ଦାବି, 35 କିମି ପଦଯାତ୍ରା କଲେ ଭବାନୀପାଟଣା ବିଧାୟକ |
ଇଟିଭି ଭାରତ,ଭବାନୀପାଟଣା