ଓଡିଶା

odisha

କଲେଜ ଅଧ୍ୟକ୍ଷଙ୍କ ଭାଇରାଲ ମେସେଜ ! ୧୫୦ ଟଙ୍କିଆ ଟିଫିନ୍, ୩୫୦ ଟଙ୍କାର ବିରିୟାନୀ, ସଭାକୁ ନଗଲେ କଟାଯିବ ମାର୍କ

By ETV Bharat Odisha Team

Published : Jan 26, 2024, 1:17 PM IST

Satyabadi Viral Message: ସରକାରୀ ସଭାସ୍ଥଳକୁ ଯିବାକୁ ଛାତ୍ରଛାତ୍ରୀଙ୍କୁ କରାଯାଉଛି ବାଧ୍ୟ ! ଖାଇବା ଲୋଭ ଦେଖାଇ ଓ ମାର୍କ କଟାଯିବାର ଭୟ ଦେଖାଇ ପିଲାମାନଙ୍କୁ ନିଆଯାଉଛି ସରକାରୀ ସଭାକୁ । ଏଭଳି କିଛି ହ୍ବାଟ୍ସଆପ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ

Satyabadi Viral Message
କଲେଜ ଅଧ୍ୟକ୍ଷଙ୍କ ଭାଇରାଲ ମେସେଜ !

କଲେଜ ଅଧ୍ୟକ୍ଷଙ୍କ ଭାଇରାଲ ମେସେଜ !

ନିମାପଡା:ସରକାରୀ ସଭାସ୍ଥଳକୁ ଯିବାକୁ ଛାତ୍ରଛାତ୍ରୀମାନଙ୍କୁ କରାଯାଉଛି ବାଧ୍ୟ ! ଖାଦ୍ୟର ଲୋଭ ଓ ମାର୍କ କଟାଯିବାର ଭୟ ଦେଖାଇ ଛାତ୍ରଛାତ୍ରୀଙ୍କୁ ନିଆଯାଉଛି ସଭାସ୍ଥଳକୁ ! ଓଡ଼ିଆ ବିଶ୍ବବିଦ୍ୟାଳୟ ଉଦଘାଟନ ସଭାରେ ସାମିଲ ହେଲେ ମିଳିବ ୧୫୦ ଟଙ୍କିଆ ଟିଫିନ୍ ସହିତ ୩୫୦ ଟଙ୍କାର ବିରିୟାନୀ । ପରୀକ୍ଷା ଥିଲେ ବି ସଭାସ୍ଥଳକୁ ଯିବାକୁ ବାଧ୍ୟ । ନଚେତ କଟାଯିବ ପ୍ରାକ୍ଟିକାଲ ମାର୍କ ! ସତ୍ୟବାଦୀ ଗୋପବନ୍ଧୁ କଲେଜ ଅଧ୍ୟକ୍ଷଙ୍କ ଫୋନ୍ ନମ୍ବରରୁ ପଠାଯାଇଥିବା ଏଭଳି କିଛି ହ୍ବାଟ୍ସଆପ(Whatsapp) ମେସେଜ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯଦିଓ ମେସେଜର ସତ୍ୟତାକୁ ନେଇ କଲେଜ ଅଧ୍ୟକ୍ଷ ଖଣ୍ଡନ କରିଛନ୍ତି କିନ୍ତୁ ଭାଇରାଲ ମେସେଜର ତଦନ୍ତ ହେବାକୁ ସାଧାରଣରେ ଦାବି ହୋଇଛି ।

ସରକାରୀ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ସାମିଲ ହେବାକୁ କରାଯାଉଛି ବାଧ୍ୟ । ଖାଦ୍ୟର ଲୋଭ ନଚେତ ମାର୍କ କାଟିଦେବାର ଭୟ ଦେଖାଇ ସେମାନଙ୍କୁ ସରକାରୀ ସଭାରେ ଯୋଗ ଦେବାକୁ ଛାତ୍ରଛାତ୍ରୀମାନଙ୍କୁ ଏକପ୍ରକାର ବାଧ୍ୟ କରାଯାଉଥିବାର ଏକ ମେସେଜ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହା ଶିକ୍ଷା ବ୍ୟବସ୍ଥା ଉପରକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଏହାମଧ୍ୟ ପଢନ୍ତୁ..ନିର୍ବାଚନ ପାଇଁ ତରବରିଆ ଭାବେ ଓଡ଼ିଆ ବିଶ୍ବବିଦ୍ୟାଳୟ ଉଦଘାଟନ କରିଛନ୍ତି ରାଜ୍ୟ ସରକାର: ବିଜେପି

ଭାଇରାଲ ମେସେଜଟି ପୁରୀ ଜିଲ୍ଲା ସତ୍ୟବାଦୀ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ନମ୍ବରରୁ ଦିଆଯାଇଥିବା ଦେଖିବାକୁ ମିଳିଛି । ମେସେଜରେ ଉଲ୍ଲେଖ ରହିଛି ଯେ, ଏତତଦ୍ୱାରା ୟୁଜିଏସର ସମସ୍ତ ଛାତ୍ର, ଛାତ୍ରୀମାନଙ୍କ ଅବଗତି ନିମନ୍ତେ ଜଣାଇ ଦିଆଯାଉଛି ଯେ, ଆସନ୍ତା 24 ଜାନୁଆରୀରେ ସତ୍ୟବାଦୀ ଓଡିଆ ୟୁନିଭର୍ସିଟି, ଆନୁଷ୍ଠାନିକ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହେବ । ତେଣୁ ତୁମେମାନେ ସମସ୍ତେ କଲେଜରେ ସକାଳ 9ଟା ବେଳକୁ ଆସିବ । 10ଗୋଟି ବସ ଦ୍ବାରା ଆମେମାନେ ସମସ୍ତେ ପଞ୍ଚସଖା ପଡିଆକୁ ଯିବା । ସେଠାରେ ଦିନ 10ଟାରେ ତୁମମାନଙ୍କ ପାଇଁ 150 ଟଙ୍କିଆ ଟିଫିନ ପ୍ରଥମେ ଦିଆଯିବ । ଶାନ୍ତିଶୃଙ୍ଖଳା ସହ ଆମେମାନେ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଶୁଣିବା । ଏହାପରେ ଆମେମାନେ ସମସ୍ତେ ବସ ଦ୍ବାରା ଦିନ 12ଟା ଭିତରେ କଲେଜ ଆସିବା । କଲେଜରେ ଦିନ 1.30 ଭିତରେ ତୁମମାନଙ୍କୁ 350 ଟଙ୍କିଆ ବିରିୟାନି ଖାଦ୍ୟ ପ୍ୟାକେଟ ପାଣି ବୋତଲ ସହ ଦିଆଯିବ । ଏସବୁ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ଦ୍ବାରା ହୋଇଛି । ଏକ ହଜାର ପିଲାମାନଙ୍କ ପାଇଁ ବ୍ୟବସ୍ଥା ହୋଇଛି । ମନେରଖ ପିଲାମାନେ କାର୍ଯ୍ୟକ୍ରମ ଜମାରୁ 2 ଘଣ୍ଟା ପାଇଁ ହେଉଛି. ତେଣୁ ତୁମେ ସମସ୍ତେ ଏଠାକୁ ଆସିବ । ପରୀକ୍ଷା ଥିଲେ ମଧ୍ୟ ଆସ ବେଶି ସମୟ ନଷ୍ଟ ହେବ ନାହିଁ । ତା ଛଡା ଇଣ୍ଟରନାଲ ଏବଂ ପ୍ରାକ୍ଟିକାଲ ମାର୍କରେ କିଛି ଭୁଲ ହୋଇଛି ତେଣୁ ତୁମେମାନେ ଆସିବା ବାଧ୍ୟତାମୂଳକ ।... ମନେରଖ 24ତାରିଖରେ ଯେଉଁମାନେ ଦିନ 9ଟା ବେଳକୁ କଲେଜରେ ପହଞ୍ଚିବନାହିଁ, ତାହାହେଲେ ତୁମେମାନେ ଆମ୍ଭମାନଙ୍କୁ ପରେ ଦୋଷ ଦେବ ନାହିଁ ।..."

ଏହାମଧ୍ୟ ପଢନ୍ତୁ..ଆଜି ଓଡ଼ିଆ ବିଶ୍ବବିଦ୍ୟାଳୟ ଉଦଘାଟନ, ପୂରଣ ହେବ କୋଟି ଓଡ଼ିଆଙ୍କ ସ୍ବପ୍ନ

ତେବେ 24 ଜାନୁଆରୀରେ ଭିଡିଓ କନଫରେନ୍ସିଂ ଜରିଆରେ ଓଡ଼ିଶା ବିଶ୍ୱବିଦ୍ୟାଳୟର ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଜିଲ୍ଲା ସତ୍ୟବାଦୀ ପଞ୍ଚସଖା ପଡିଆରେ ଏନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭିସି ଯୋଗେ ଯୋଡି ହୋଇଥିବା ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ, ସ୍ଥାନୀୟ ବିଧାୟକ, କୁଳପତି ପ୍ରମୁଖ ଯୋଗ ଦେଇଥିଲେ । ତେବେ ଏହି କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଥିଲେ । ସରକାରୀ ସଭାକୁ ପିଲାମାନଙ୍କୁ ଧମକ ଦେଇ ଡାକିବା ତଥା ସଭାରେ ଯୋଗ ଦେବାକୁ ବାଧ୍ୟ କରାଇବା ମେସେଜ ଏବେ ଭାଇରାଲ ହେବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ଏହାର ସତ୍ୟାସତ୍ୟ ଜାଣିବା ପାଇଁ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି ।

ଅନ୍ୟପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସମ୍ପୃକ୍ତ ସତ୍ୟବାଦୀ ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର କଲେଜ ଅଧ୍ୟକ୍ଷ ସତ୍ୟ ଶିବ ସୁନ୍ଦର ମିଶ୍ର । ଏହି ମେସେଜଟି ତାଙ୍କ ବ୍ୟକ୍ତିଗତ ମୋବାଇଲ ନମ୍ବରରୁ ଯାଇଥିବା ନେଇ ସ୍ୱୀକାର କରୁଥିବା ବେଳେ ଏହି ମେସେଜ ସେ ପଠାଇନଥିବା କହିଛନ୍ତି । କିଭଳି ଏ ମେସେଜ ତାଙ୍କ ନମ୍ବରରୁ ଗଲା ସେ ବିଷୟରେ ଜାଣିନଥିବା କହିଛନ୍ତି କଲେଜ ଅଧ୍ୟକ୍ଷ ।

ଇଟିଭି ଭାରତ, ନିମାପଡା

ABOUT THE AUTHOR

...view details