ଭୁବନେଶ୍ବର: ଆରମ୍ଭ ହୋଇଛି ପଶୁପକ୍ଷୀ ଅଦଳବଦଳ ପ୍ରକ୍ରିୟା । ନନ୍ଦନକାନନ ଓ ଆସାମ ମଧ୍ୟରେ ପଶୁପକ୍ଷୀ ଅଦଳ ବଦଳ କରାଯିବ । ନନ୍ଦନକାନନରେ ଆସାମର ପଶୁପକ୍ଷୀ ସାଜିବେ ମୁଖ୍ୟ ଆକର୍ଷଣ । ଆସାମରୁ ନନ୍ଦନକାନନକୁ ଦୁଇଟି କଇଁଛ, ଦୁଇଟି ପେଲିକାନ, ଦୁଇଟି ହିମାଲୟନ ଶାଗୁଣା ଏବଂ ଆଡଜୁଟାଣ୍ଟ ଷ୍ଟୋର୍କ ପକ୍ଷୀ ଆସିବାର ସୂଚନା ରହିଛି । ଅନ୍ୟପଟେ ବତକ ସହିତ ପ୍ରାୟ ୧୭ଟି ପଶୁପକ୍ଷୀଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ ଆସାମକୁ ପଠାଯିବ ବୋଲି ନନ୍ଦନକାନନ ପକ୍ଷରୁ କୁହାଯାଇଛି । ତେବେ ଅନୁମୋଦିତ ମାଷ୍ଟରପ୍ଲାନ ଅନୁଯାୟୀ ପଶୁପକ୍ଷୀ ମାନଙ୍କ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଏହା ହେଉଛି ଚତୁର୍ଥ ପଶୁ ବିନିମୟ କାର୍ଯ୍ୟକ୍ରମ ।
ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ସୂଚନା ମୁତାବକ, କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣ ଦ୍ବାରା ଏହି ଅଦଳବଦଳ ପ୍ରକ୍ରିୟାକୁ ଅନୁମୋଦନ କରାଯାଇଛି । ଆସାମର ଗୌହାଟୀ ପ୍ରାଣୀ ଉଦ୍ୟାନରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଏକାଧିକ ପ୍ରାଣୀ ଆସିବେ । ଯାହାକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଏକ ଟିମ ଆସାମ ବାହାରିଛନ୍ତି । ମାର୍ଚ୍ଚ ୨୧ ତାରିଖ ସୁଦ୍ଧା ଆସାମରୁ ଆସିଥିବା ଜୀବଜନ୍ତୁ ନନ୍ଦନକାନନରେ ପହଞ୍ଚିବେ । ଯାହା ପର୍ଯ୍ୟଟକଙ୍କ ପାଇଁ ଏକ ଆକର୍ଷଣୀୟ କେନ୍ଦ୍ରବିନ୍ଦୁ ପାଲଟିବ ବୋଲି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପକ୍ଷରୁ କୁହାଯାଇଛି ।