ବଲାଙ୍ଗୀର:ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ଅପରାଧିକ ମାମଲା । ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତଙ୍କ ଲୁଟତରାଜ ଓ ଗୁଳିମାଡ । ବଲାଙ୍ଗୀର ଜିଲ୍ଲା ଡୁମେରମୁଣ୍ଡା ଗାଁ ଖୋର୍ଦ୍ଧା ଜାତୀୟ ରାଜପଥ କଡରେ ଥିବା ଏକ ହୋଟେଲରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ରଚିଛନ୍ତି । ହୋଟେଲରେ ପଶି ଗୁଳିକାଣ୍ଡ କରିବା ଲୁଟତରାଜ କରି ଚମ୍ପଟ ମାରିଲେ ୧୫ ରୁ ଉର୍ଦ୍ଧ୍ୱ ମୁଖାପିନ୍ଧା ଦୁର୍ବୃତ୍ତ । ସେପଟେ ନିର୍ବାଚନ ସମୟରେ ଚେକିଂ କଡାକଡି ଥିବା ସମୟରେ ଏଭଳି ଦିନ ଦ୍ୱିପହରେ ଲୁଟ ଘଟଣାକୁ ନେଇ ପୋଲିସର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଅଭିଯୋଗ ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାର ଡୁମେରମୁଣ୍ଡା ଗାଁରେ ଖୋର୍ଦ୍ଧା ରାଜପଥ କଡରେ ଶ୍ରୀରାମ ରଣାଙ୍କର ଏକ ହୋଟେଲ ରହିଛି । ନିତିଦିନ ଭଳି ରବିବାର ଦିନ ମଧ୍ୟ ହୋଟେଲ କାର୍ଯ୍ୟ ଜାରି ରହିଥିଲା । ଏହି ସମୟରେ ୧୫ରୁ ଅଧିକ ମୁଖାପିନ୍ଧା ଦୁର୍ବୃତ୍ତ ହୋଟେଲ ମଧ୍ୟରେ ପଶି ଆତଙ୍କରାଜ ଚଳାଇଥିଲେ । ପ୍ରଥମେ ବନ୍ଧୁକରୁ ୨ ରାଉଣ୍ଡ ଗୁଳି ଫୁଟାଇ ସମସ୍ତଙ୍କୁ ପ୍ରବଳ ମାଡ ମାରିଥିଲେ । ହୋଟେଲରେ ଥିବା ସବୁ ସାମଗ୍ରୀ ଓ ଆସବାବପତ୍ର ଭଙ୍ଗାରୁଜା କରିଥିଲେ । ଏହାପରେ ସେମାନେ ଧରିଥିବା ବିଭିନ୍ନ ମାରଣାସ୍ତ୍ରରେ ହୋଟେଲ ମାଲିକ ଶ୍ରୀରାମ ରଣା ଓ ତାଙ୍କ ବାପାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ବ୍ୟାପକ ଭଙ୍ଗାରୁଜା ଓ ମାରପିଟ ପରେ ସେଠାରୁ ୩୦ହଜାର ଟଙ୍କା ନେଇ ଫେରାର ମାରିଥିଲେ ମୁଖାପିନ୍ଧା ଦୁର୍ବୃତ୍ତମାନେ ।