କେନ୍ଦ୍ରାପଡା:ଲୋକଙ୍କୁ ଘାରିଛି ବଜ୍ରାଘାତ ଭୟ ।ବର୍ଷା ହେଲା ମାତ୍ରେ ସତେ ଯେମିତି ଆକାଶରୁ ଖସୁଛି ମୃତ୍ୟୁ । ମାସ ସରିନାହିଁ ହେଲେ ଗଲାଣି ୮ ଜୀବନ । ଗ୍ରୀଷ୍ମ ଆରମ୍ଭ ବୈଶାଖ ମାସ ଆରମ୍ଭର ମାତ୍ର ଦୁଇଦିନ ପରେ ବଜ୍ରାଘାତରେ ଜିଲ୍ଲାର 5ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ 27 ତାରିଖରେ ଦୁଇଜଣ ଓ ରବିବାର ସନ୍ଧ୍ୟାରେ ଆଉଜଣଙ୍କ ମୃତ୍ୟୁ ହୋଇଛି । ତେବେ କେବଳ ଏପ୍ରିଲ ମାସରେ 8ଜଣ ପ୍ରାଣ ହରାଇଥିବା ବେଳେ ସମଗ୍ର ଜଲ୍ଲାରେ ଦୁଃଖର ଲହରୀ ଖେଳିଯାଇଛି । ତେବେ ଏନେଇ ବ୍ୟାପକ ଜନସଚେତନତା ଦାବି କରିଛନ୍ତି ଲୋକେ ।
ସୂଚନାଅନୁଯାୟୀ, କେନ୍ଦ୍ରାପଡା ଜିଲ୍ଲାରେ ଚଳିତମାସ ୧୬ ତାରିଖରେ କାଳ ବୈଶାଖି ପ୍ରଭାବରେ ହୋଇଥିବା ବର୍ଷା ପବନରେ ବଜ୍ରପାତ କାରଣରୁ କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ ବଙ୍ଗାରୀ, ପୁଣ୍ଡିଲୋ, ବିରିଜଙ୍ଗା ଗାଁର ତିନିଜଣଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଆଳି ଶାଳିଅଞ୍ଚ ଗାଁର ଜଣେ ଓ ମାର୍ଶାଘାଇ ଅଞ୍ଚଳର ଜଣଙ୍କୁ ମିଶାଇ ଗୋଟିଏ ଦିନରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହିପରି ୨୭ ତାରିଖ ଦିନ କାଳ ବୈଶାଖି ପ୍ରଭାବରେ ହୋଇଥିବା ବଜ୍ରାଘାତରେ ଡେରାବିଶ୍ ଥାନା ଅନ୍ତର୍ଗତ ଜହ୍ନିମୁଳ ଗାଁର ମା’ ଶଶୀରେଖା ଓ ପୁଅ ରବୀନ୍ଦ୍ର ବିଲରେ ମୁଗ ଉପାଡୁଥିବା ବେଳେ ପ୍ରାଣ ହରାଇଥିଲେ । ତେବେ ପୁନଃ ରବିବାର ସନ୍ଧ୍ୟାରେ ବଜ୍ରାଘାତରେ ଆଉ ଜଣଙ୍କ ଜୀବନ ଯିବାକୁ ନେଇ ଶୋକାସିକ୍ତ ଆଳି ଥାନା ଅନ୍ତର୍ଗତ ଜେନାବଳୀ ଗାଁ ।