ଓଡିଶା

odisha

କିଞ୍ଜିରକେଲାରେ ଗୁଳିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ବିଜେପି ନେତା ଭବାନୀ ପଟେଲ - Firing on BJP Leader

By ETV Bharat Odisha Team

Published : Apr 16, 2024, 10:58 PM IST

Firing on BJP leader Bhabani Patel: ବିଜେପି ନେତା ଭବାନୀ ପଟେଲଙ୍କ ଉପରକୁ ଗୁଳିମାଡ଼, ଅଳ୍ପକେ ବର୍ତ୍ତିଲେ ଭବାନୀ । ଅନ୍ୟପଟେ ପତ୍ନୀଙ୍କ ସୁନାଚେନ୍କୁ‌ ଝାମ୍ପି ଟମ୍ପଟ ମାରିଲେ ଦୁର୍ବୃତ୍ତ। ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ହୋଇଥିବା ପୋଲିସ କହିଛି। ଅଧିକ ପଢ଼ନ୍ତୁ,

କିଞ୍ଜିରକେଲାରେ ଗୁଳିକାଣ୍ଡ
କିଞ୍ଜିରକେଲାରେ ଗୁଳିକାଣ୍ଡ

କିଞ୍ଜିରକେଲାରେ ଗୁଳିକାଣ୍ଡ

ରାଉରକେଲା: ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ବିଜେପି ନେତା। ଗତକାଲି ରାତିରେ ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା କୁଲବାରେ ଫୁଟିଲା ଗୁଳି। ୬ ଜଣ ଦୁର୍ବୃତ୍ତ ୩ଟି ବାଇକ୍‌ରେ ଆସି ଗାଁ ମଝିରେ କୁଲବାର ବିଜେପି ନେତା ଭବାନୀ ପଟେଲଙ୍କ ଉପରକୁ ଗୁଳି ଚଳାଇଥିଲେ। ତା ସହିତ ତାଙ୍କ ପତ୍ନୀ କୁଲବାର ପୂର୍ବତନ ସମିତିସଭ୍ୟା ସୁଶୀଳା ପଟେଲଙ୍କ ବେକରୁ ସୁନାଚେନ୍ ଟାଣିନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ। ସେମାନଙ୍କ ମଧ୍ୟରୁ ପାଞ୍ଚଜଣ ଧରା ପଡ଼ିଥିବା ବେଳେ ଜଣେ ଫେରାର ହୋଇଯାଇଛି। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଯାହାର ସୂଚନା ସାମ୍ବାଦିକ ସମ୍ମିଳନୀ ଯୋଗେ ପୋଲିସ ଦେଇଛନ୍ତି। ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତାରୁ ଗୁଳିକାଣ୍ଡ ହୋଇଥିବା ପୋଲିସ କହିଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ୩ଟି ବାଇକ୍‌ରେ ୬ ଜଣ ଦୁର୍ବୃତ୍ତ ହେଲମେଟ ପିନ୍ଧି ଆସି ଏହି ଗୁଳିକାଣ୍ଡ ଘଟାଇଥିବା ଜଣା ପଡ଼ିଛି। ତେବେ ଏହି ଗୁଳିକାଣ୍ଡରେ ଭବାନୀ ଅଳ୍ପକେ ବର୍ତ୍ତିଥିବା ବେଳେ ଭବାନୀଙ୍କୁ ଜୀବନରୁ ମାରିଦେବା ପାଇଁ ସେମାନେ ଉଦ୍ୟମ କରିଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କ ହାତରେ ଦୁର୍ବୃତ୍ତମାନେ ଧରାପଡ଼ିଥିବା ବେଳେ ଜଣେ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି। ତେବେ ଆଜି ଟାଉନ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଘଟଣାର ସବିଶେଷ ସୂଚନା ଦେଇଛି। ପୋଲିସ ସୂଚନା ଅନୁଯାୟୀ, ରାତି ୧୧ ଟାରେ ବିଜେପି ନେତା ଭବାନୀ ସୁନ୍ଦରଗଡ଼ରୁ ପରିବାର ସ‌ହ ୨ଟି ବାଇକ୍‌ରେ କୁଲବା ଫେରୁଥିଲେ। କିଛି ଦୂରରେ ଥିବା ଅନ୍ୟ ଏକ ଘରେ ଗାଡ଼ିରଖି ପ୍ରଥମେ ତାଙ୍କ ପତ୍ନୀ ଜଣେ ସମ୍ପର୍କୀୟ ପିଲା ସହ ଚାଲିଚାଲି ଘରକୁ ଫେରିଲା ବେଳେ ହଠାତ ଅଭିଯୁକ୍ତମାନେ ଆସି ତାଙ୍କ ବେକରୁ ସୁନାଚେନ୍ ଝାମ୍ପି ନେଇଥିଲେ । ପତ୍ନୀଙ୍କ ଚିତ୍କାର ଶୁଣି ଭବାନୀ ଘଟଣାସ୍ଥଳକୁ ଦୌଡ଼ି ଆସିବା ବେଳକୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଗୁଳିଟି ତାଙ୍କ ଦେହରେ ବାଜି ନଥିଲା।

ଏହା ମଧ୍ୟ ପଢ଼ନ୍ତୁ... ପିପିଲି ଖରିଜା ଗାଁ ଲୁଟ୍ ଘଟଣାର ପର୍ଦ୍ଦାଫାସ, ୧୧ ଡକାୟତି ଗିରଫ - Pipili Loot

ଖବର ପାଇ ଉପଖଣ୍ଡ ପୋଲିସ ଅଧିକାରୀ ହିମାଂଶୁ ବେହେରା ଏବଂ ଟାଉନ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତ ଥାନା ଏବଂ ବୋର୍ଡର ଅଞ୍ଚଳରେ ପୋଲିସ ପକ୍ଷରୁ ଚେକିଙ୍ଗ କରାଯାଇଥିଲା। ଅନ୍ୟପଟେ ସେହି ୫ ଅଭିଯୁକ୍ତଙ୍କୁ ହେପାଜତକୁ ନେଇଥିଲା ପୋଲିସ। ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଧନୁପାଲିର ଶରତ ନାଏକ (୪୦), ଟାଉନ ଥାନା ପଣସପଡ଼ାର ରାଜା ଶର୍ମା ଓରଫ ଠାକୁର(୨୬), କୁଲବାର ବିଜୟ କୁମାର ଦେଉରିଆ(୨୯), ଧରୁଆଡିହି ଥାନା ଥମସରଙ୍ଗାର ସୁଜନ ପ୍ରଧାନ(୨୭) ଓ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଚିଚିଣ୍ଡାର ଦାଶରଥି ଟୁଡୁ(୨୭)। ଫେରାର ଅଭିଯୁକ୍ତ ହେଲେ କିଞ୍ଜିରକେଲା ଥାନା ଝାରମୁଣ୍ଡାର ବିଶାଳ କର। କୁଲବାର ବିଜୟ କୁମାର ଦେଉରିଆ ଏହି ଘଟଣାର ମାଷ୍ଟରମାଇଣ୍ଡ ଥିବା ପୋଲିସ କହିଛି। ସେମାନଙ୍କ ଠାରୁ ୩ଟି ପିସ୍ତଲ, ୩ଟି ବାଇକ୍, ୭ଟି ମୋବାଇଲ୍‌ ଓ ଗୋଟିଏ ଛୁରି ଜବତ କରାଯାଇଛି।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details