ଓଡିଶା

odisha

ବର୍ଷାଦିନ ପୂର୍ବରୁ ଜଗନ୍ନାଥ ସାଗର ପୁନରୁଦ୍ଧାରକୁ ନେଇ ଜୟପୁରବାସୀଙ୍କ ମଧ୍ୟରେ ଆଶା ଓ ଆଶଙ୍କା - Renovation Of Jagannath Sagar

By ETV Bharat Odisha Team

Published : Mar 23, 2024, 10:26 PM IST

Renovation Of Jagannath Sagar: ଜୟପୁର ସ୍ଥିତ ଐତିହାସିକ ଜଗନ୍ନାଥ ସାଗରର ହେବ ପୁନରୁଦ୍ଧାର । ସେପଟେ ବର୍ଷାଦିନ ପୂର୍ବରୁ ଜଗନ୍ନାଥ ସାଗର ପୁନରୁଦ୍ଧାରକୁ ନେଇ ଆଶା ଓ ଆଶଙ୍କା ମଧ୍ୟରେ ଜୟପୁରବାସୀ । ଅଧିକ ପଢ଼ନ୍ତୁ

ଜଗନ୍ନାଥ ସାଗର
ଜଗନ୍ନାଥ ସାଗର

ଜଗନ୍ନାଥ ସାଗର

କୋରାପୁଟ:ଜୟପୁର ସ୍ଥିତ ଐତିହାସିକ ଜଗନ୍ନାଥ ସାଗରର ହେବ ପୁନରୁଦ୍ଧାର । ସହରବାସୀଙ୍କ ଜୀବନରେଖା କୁହାଯାଉଥିବା ଏହି ଜଗନ୍ନାଥ ସାଗର ପାଇବ ନୂଆ ରୂପ । ପୋଖରୀ ପୁନରୁଦ୍ଧାର କରି ଆନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିବା ଲେକ ମ୍ୟାନ ଅଫ ଇଣ୍ଡିଆ ଭାବେ ପରିଚିତ କର୍ଣ୍ଣାଟକ ବାସିନ୍ଦା ଆନନ୍ଦ ମାଲ୍ଲିଗାଭାଡ ଏହାର ପୁନରୁଦ୍ଧାର କରିବେ । ଜିଲ୍ଲାର ଜୟପୁରସ୍ଥିତ ଜଗନ୍ନାଥ ସାଗର ଓ କୋଟପାଡ ସ୍ଥିତ ଦମୟନ୍ତି ସାଗରର ପୁନରୁଦ୍ଧାରର ଦାୟିତ୍ବ ତାଙ୍କୁ ଦିଆଯାଇଛି । ତେବେ ବର୍ଷାଦିନ ପୂର୍ବରୁ ଜଗନ୍ନାଥ ସାଗର ପୁନରୁଦ୍ଧାର ଶେଷ ହେବାକୁ ନେଇ ଜୟପୁରବାସୀଙ୍କ ମଧ୍ୟରେ ଆଶା ଓ ଆଶଙ୍କା ପ୍ରକାଶ ପାଇଛି । ଏହାସହ ବର୍ଷା ହେବା ପୂର୍ବରୁ ପୁନରୁଦ୍ଧାର କାମ ଶେଷ କରିବାକୁ ଦେବି ହୋଇଛି ।

ଜୟପୁରର ଜଗନ୍ନାଥ ସାଗରର ପୁନରୁଦ୍ଧାର କରିବା ପାଇଁ ବିଭିନ୍ନ ସମୟରେ ଛୋଟ ଛୋଟ ପ୍ରୟାସ କରାଯାଇଥିଲେ ମଧ୍ୟ ସଫଳତା ମିଳିପାରିନାହିଁ । ତେଣୁ ଗତ ଜୁଲାଇ ମାସରେ ରାଜ୍ୟ ସରକାରଙ୍କ ଦ୍ବାରା ଆମ ପୋଖରୀ ଯୋଜନାର ଘୋଷଣା କରାଯିବା ପରେ ଭାରତ ବର୍ଷରେ ପ୍ରାକୃତିକ ଉପାୟରେ ପୋଖରୀ ପୁନରୁଦ୍ଧାର କରି ଆନ୍ତର୍ଜାତୀୟ ଖ୍ୟାତି ଅର୍ଜନ କରିଥିବା ଲେକ ମ୍ୟାନ ଅଫ ଇଣ୍ଡିଆ ଭାବେ ପରିଚିତ କର୍ଣ୍ଣାଟକ ବାସିନ୍ଦା ଆନନ୍ଦ ମାଲ୍ଲିଗାଭାଡଙ୍କୁ କୋରାପୁଟ ଜିଲ୍ଲାର ଜୟପୁରସ୍ଥିତ ଜଗନ୍ନାଥ ସାଗର ଓ କୋଟପାଡ ସ୍ଥିତ ଦମୟନ୍ତି ସାଗରର ପୁନରୁଦ୍ଧାର କରିବାର ଦାୟିତ୍ୱ ଦିଆଯାଇଥିବା ଜୟପୁର ପୌରାଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଜଣାଇଛନ୍ତି ।

ଏହି କ୍ରମରେ ଉଭୟ ସାଗର ପରିଦର୍ଶନ କରି ବିସ୍ତୃତ ଯୋଜନା ପ୍ରସ୍ତୁତ କରିବା ସହ କୋରାପୁଟ ଜିଲ୍ଲାର ବ୍ୟବସାୟିକ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର ଜୟପୁରର 230 ବର୍ଷର ଇତିହାସର ମୁକସାକ୍ଷୀ ଜଗନ୍ନାଥ ସାଗରକୁ ସଙ୍କୁଚିତ କଳେବରୁ ତାର ଅସ୍ତିତ୍ୱକୁ ଫେରାଇ ଆଣିବା ଆଦି ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇଛନ୍ତି । ଲୋକମାନଙ୍କ ମାର୍ଗଦର୍ଶନ ପ୍ରକାରେ ଓ ସୁନାବେଡାସ୍ଥିତ ହାଲର ଆର୍ଥିକ ସହଯୋଗରେ ବର୍ତ୍ତମାନ ସାଗରର ଜଳ ନିଷ୍କାସନ କରି ପଙ୍କ କଢ଼ାଯିବା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଛି ବୋଲି ସିଦ୍ଧାର୍ଥ ସ୍ପଷ୍ଟ କରିଛନ୍ତି ।

ସେପଟେ ସ୍ଥାନୀୟ ଗବେଷକ ପରେଶ ରଥଙ୍କ କହିବାନୁଯାୟୀ, ଜଗନ୍ନାଥ ସାଗର କେବଳ ଏକ ବିରାଟ ପୋଖରୀ ନୁହେଁ । ତଳମୁଣ୍ଡରେ ଜଳସେଚନ କରିବା ପାଇଁ ତତ୍କାଳୀନ ଜୟପୁର ମହାରାଜାଙ୍କ ଦ୍ୱାରା 1792 ମସିହାରେ ଏହାକୁ ଏକ ଜଳସେଚନ କରୁଥିବା ବିଶାଳ ଜଳାଶୟ ଭାବେ ନିର୍ମାଣ କରାଯାଇଥିଲା । ସେତେବେଳେ ଏହା 400 ଏକର ଜାଗାରେ ବ୍ୟାପି ଥିଲା । ବର୍ତ୍ତମାନ ରକ୍ଷଣାବେକ୍ଷଣ ଅଭାବରୁ ସାଗର ମଧ୍ୟରେ ମାଟି ପଙ୍କ ଜମିଯାଇ ୩୦ ଫୁଟ ଗଭୀରତାରୁ ୧୨-୧୫ ଫୁଟ ଗଭୀରତାରେ ପହଞ୍ଚିଛି । ଜୟପୁର ସହରର ସୌନ୍ଦଯ୍ୟ ବୃଦ୍ଧି କରୁଥିବା ଏହି ସାଗରର ଭଲମନ୍ଦ ବୁଝିବା ପାଇଁ ରାଜସ୍ୱ ବିଭାଗ, ମତ୍ସ୍ୟ ବିଭାଗ, ଜଳସମ୍ପଦ ବିଭାଗ ଓ ପୌରପରିଷଦ ଦାୟିତ୍ୱ ନେଇଛନ୍ତି । ତେଣୁ ସମସ୍ତ ବିଭାଗ ଏକାଠି ବସି ସାମଗ୍ରିକ ଭାବେ କିପରି ଏହାର ଉନ୍ନତି ହୋଇପାରିବ ସେନେଇ ଯୋଜନା କରାଯିବାର ଆବଶ୍ୟକତା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ନୂଆ ରୂପ ପାଇବ ଐତିହାସିକ 'ଆଶା ସାଗର'; ସର୍ବବୃହତ ପୁଷ୍କରିଣୀର ହେବ ପୁନରୁଦ୍ଧାର

ତେବେ ବହୁ କାଳରୁ ଏହି ସାଗରରେ ଶୀତ ଓ ବସନ୍ତର ସଂଧିକ୍ଷଣରେ ଦୁରଦୁରାନ୍ତରୁ ବିଭିନ୍ନ ପ୍ରକାରର ପକ୍ଷୀ ଆସିଥାନ୍ତି । କିନ୍ତୁ ବର୍ଷ ପରେ ବର୍ଷ ସାଗର ମଧ୍ୟରେ ପାଣି ଅପେକ୍ଷା ଦଳ ବଢି ଚାଲିଥିବା ଓ ସାଗରର ପରିସୀମା କମିଯିବା ଫଳରେ ପକ୍ଷୀଙ୍କ ସଂଖ୍ୟା ମଧ୍ୟ କମି କମି ଆସୁଛି । ବର୍ତ୍ତମାନ ଜଗନ୍ନାଥ ସାଗରରୁ ଜଳ ସମ୍ପୂର୍ଣ୍ଣ ଭାବେ ନିଷ୍କାସିତ ହୋଇଯାଇଥିବାରୁ ଲୁଗା ସଫା କରି ଗୁଜୁରାଣ ମେଣ୍ଟାଉଥିବା ଧୋବା ତଥା ମାଛ ଧରି ବଞ୍ଚୁଥିବା ଧୀବରମାନେ ବିଶେଷ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ସେମାନଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେବା ପାଇଁ ସେମାନେ ଦାବି ଜଣାଇଛନ୍ତି । ଖରା ଦିନରେ ଆରମ୍ଭ କରାଯାଇଥିବା ବିଶାଳ ସାଗର ପୁନରୁଦ୍ଧାର କାର୍ଯ୍ୟକ୍ରମ ବର୍ଷାଦିନ ସୁଦ୍ଧା ସମାପ୍ତ ନହେଲେ ଏହି ସାଗର ଉପରେ ନିର୍ଭର କରୁଥିବା ଅନେକ ପରିବାର ଅସୁବିଧାରେ ପଡିବେ ବୋଲି ସେମାନେ ଆଶଙ୍କା ପ୍ରକାଶ ପାଇଛି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details