ଓଡିଶା

odisha

୫ ଜିଲ୍ଲାରେ ଗଡିଲା ଲକ୍ଷ୍ମୀ; ୧୩୪୦ ପଞ୍ଚାୟତକୁ ୩୦୧ ବସ, ଉପକୃତ ହେବେ ୮୩ ଲକ୍ଷ

By ETV Bharat Odisha Team

Published : Feb 12, 2024, 3:47 PM IST

Updated : Feb 12, 2024, 6:05 PM IST

Laxmi Bus Service: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିସି ଜରିଆରେ ୫ ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିଛନ୍ତି । ୫ଟି ଜିଲ୍ଲାର ୧୩୪୦ଟି ପଞ୍ଚାୟତରେ ୩୦୧ଟି ବସ ଗଡିବ । ୮୩ ଲକ୍ଷରୁ ଅଧିକ ଲୋକ ଏହା ଦ୍ବାରା ଉପକୃତ ହେବେ । ଅଧିକ ପଢନ୍ତୁ

Laxmi Bus Service
Laxmi Bus Service

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିସି ଜରିଆରେ ୫ ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିଛନ୍ତି । ବଲାଙ୍ଗୀର, ବରଗଡ, କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ ଜିଲ୍ଲାରେ ଆଜି ଠାରୁ ଗଡ଼ିଛି ଲକ୍ଷ୍ମୀ ବସ । ୫ଟି ଜିଲ୍ଲାର ୧୩୪୦ଟି ପଞ୍ଚାୟତରେ ୩୦୧ଟି ବସ ଗଡିବ । ୮୩ ଲକ୍ଷରୁ ଅଧିକ ଲୋକ ଏହା ଦ୍ବାରା ଉପକୃତ ହେବେ । 5T ଉପକ୍ରମରେ ଚାଲିଥିବା ଲକ୍ଷ୍ମୀ ବସ ଫେବୃଆରୀ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଚାଲିବ ।

ଆଜି ଶୁଭାରମ୍ଭ ପରେ ୫ ଜିଲ୍ଲାର ୧୩୪୦ ପଞ୍ଚାୟତରେ ୩୦୧ ବସ ଚାଲିଛି । ଏହା ଦ୍ବାରା ୮୩ ଲକ୍ଷରୁ ଅଧିକ ଲୋକ ଉପକାର ପାଇଲେ । ବଲାଙ୍ଗୀରର ୩୧୩ ପଞ୍ଚାୟତରେ ୪୪ ବସ ଗଡ଼ିଲା । ଜିଲ୍ଲାର ୧୬.୫୦ ଲକ୍ଷ ଲୋକ ଉପକୃତ ହେବେ । ବରଗଡର ୨୪୩ ପଞ୍ଚାୟତରେ ୬୦ ବସ ଚାଲିଲା । ଜିଲ୍ଲାର ୧୪ ଲକ୍ଷ ୨୨ ହଜାର ଲୋକ ଉପକୃତ ହେବେ । କେନ୍ଦୁଝରର ୧୫୮ ପଞ୍ଚାୟତରେ ୨୫ ବସ ଚାଲିବା ଦ୍ୱାରା ୧୦ ଲକ୍ଷ ୮୦ ହଜାର ଲୋକ ଉପକୃତ ହେବେ । ମୟୂରଭଞ୍ଜର ୩୮୬ ପଞ୍ଚାୟତରେ ୧୦୭ ବସ ଚାଲିଛି । ଜିଲ୍ଲାର ୨୪ ଲକ୍ଷ ୨୦ ହଜାର ଲୋକ ଉପକୃତ ହେବେ । ସୁନ୍ଦରଗଡର ୨୪୦ଟି ପଞ୍ଚାୟତରେ ୬୫ ବସ ଚାଲିବା ଦ୍ବାରା ୧୭ ଲକ୍ଷ ୨୦ ହଜାର ଲୋକ ଉପକୃତ ହେବେ ।

ଅଧିକ ପଢନ୍ତୁ- କୋରାପୁଟରେ ଗଡିଲା ଲକ୍ଷ୍ମୀ; ଯୋଡିହେବ ୨୩୪ ପଞ୍ଚାୟତ, ଉପକୃତ ହେବେ ୧୩ ଲକ୍ଷ

ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ ଚଳାଚଳର ସୁବିଧା କରାଯାଇଛି । ସାରା ରାଜ୍ୟରେ ୧୦୦୦ରୁ ଅଧିକ ବସ ଚାଲିବ । 5T ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ ପରିଚଳନା ଦାୟିତ୍ବ ଦିଆଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲକ୍ଷ୍ମୀ ବସ ଆମ ଜୀବନକୁ ସହଜ କରିଛି । ଗାଁର ଅର୍ଥନୀତିକୁ ମଜବୁତ କରିବାରେ ଏହା ଗୁରୁତ୍ବପୁର୍ଣ୍ଣ ଭୂମିକା ଗ୍ରହଣ କରିବ । ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ଆମର ଲକ୍ଷ୍ୟ ରହିଛି । ଗାଁର ଅର୍ଥନୀତିକୁ ମଜବୁତ କରିବା ଆମର ଲକ୍ଷ୍ୟ । ଲକ୍ଷ୍ମୀ ବସ ଏଥିରେ ଗୁରୁତ୍ବପୁର୍ଣ୍ଣ ଭୂମିକା ଗ୍ରହଣ କରିବ । ଲକ୍ଷ୍ମୀ ବସ ଲୋକଙ୍କୁ ଲୋକ ସହିତ ଯୋଡିବ । ସାମାଜିକ ଓ ଆର୍ଥିକ ଜୀବନକୁ ମଜବୁତ କରିବ । ପିଲାଙ୍କୁ ସ୍କୁଲ କଲେଜ ନେବ । ଚାଷୀଙ୍କୁ ମାର୍କେଟ ସହିତ ଯୋଡିବ । ମହିଳା ଓ ଛାତ୍ରଛାତ୍ରୀ ମାତ୍ର ୫ ଟଙ୍କାରେ ବସରେ ଯିବା ଆସିବା କରିପାରିବେ ।

ବଲାଙ୍ଗୀରରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ସୁନ୍ଦରଗଡରେ ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ମୟୂରଭଞ୍ଜରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡି ଏବଂ ମହିଳା ଶିଶୁ ବିକାଶ ମନ୍ତ୍ରୀ ବାସନ୍ତି ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ । 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବରଗଡବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଚଳିତ ମାସ ୨୦ ତାରିଖରେ ବହୁ ପ୍ରତିକ୍ଷିତ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ ଓ କ୍ୟାନସର ହସ୍ପିଟାଲ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିବେ । ସେହିପରି ମୟୂରଭଞ୍ଜରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମସ୍ଥଳୀର ବିକାଶ କାର୍ଯ୍ୟ ଜାରି ରହିଛି । ମୟୂରଭଞ୍ଜ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀର ବିକାଶ କାର୍ଯ୍ୟ କରାଯିବ । ସୁନ୍ଦରଗଡ ଜିଲ୍ଲାର ବେଦବ୍ୟାସ ପୀଠର ରୂପାନ୍ତରଣ ସହିତ ବିଭିନ୍ନ ମନ୍ଦିର ଓ ଚର୍ଚ୍ଚର ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଅର୍ଥ ମଞ୍ଜୁର କରିଛନ୍ତି ।

ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ପାଟନାଗଡ ବିଧାୟକ ସରୋଜ ମେହେର, କେନ୍ଦୁଝରର ପାଟଣା ବିଧାୟକ ଜଗନ୍ନାଥ ନାୟକ, ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର, ବଲାଙ୍ଗିରରେ ଜିଲ୍ଲା ପରିଷଦ ସଭାପତି ଦେବକୀ ସାହୁ, ସୁନ୍ଦରଗଡରେ ଆମ ଓଡିଶା ନବୀନ ଓଡିଶା ସଂଯୋଜକ ଯୋଗେଶ କୁମାର ସିଂ ଲକ୍ଷ୍ମୀ ଯୋଜନା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସହିତ 5T ଅଧ୍ୟକ୍ଷଙ୍କ ଦକ୍ଷତାର ଉଚ୍ଚ ପ୍ରଶଂସା କରିଛନ୍ତି । କାର୍ଯ୍ୟକ୍ରମରେ ବାଣିଜ୍ୟ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢୀ ସ୍ବାଗତ ଭାଷଣ ଦେଇଛନ୍ତି । ସମସ୍ତ ଜିଲ୍ଲାରେ ବହୁ ସଂଖ୍ୟାରେ ଜନସମାଗମ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 12, 2024, 6:05 PM IST

ABOUT THE AUTHOR

...view details