ଖୋର୍ଦ୍ଧା: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଗୋ ତସ୍କରୀ । ଗ୍ରାମାଞ୍ଚଳରୁ ଚାଷୀଙ୍କ ଠାରୁ କମ ଦାମରେ ଗାଈ ବାଛୁରୀ କିଣି ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି । ସେହିଭଳି ବେଆଇନ ଭାବେ ରାଜ୍ୟର ବିଭିନ୍ନ ସ୍ଥାନରେ ଗୃହପାଳିତ ପଶୁକୁ ମାରି ତାର ମାଂସକୁ ରାଜ୍ୟ ବାହାରକୁ ଚାଲାଣ କରୁଛନ୍ତି ମାଫିଆ । ବିଶେଷ ଭାବେ ଖୋର୍ଦ୍ଧା ଦେଇ ଗୋମାଂସ ଚାଲାଣ ବଢିବାରେ ଲାଗିଛି । ଥର୍ମୋକୁଲର ପେଟିରେ ବରଫ ଦେଇ ଗୋମାଂସ ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ଏହାରି ଭିତରେ ଆଜି ଗୋଟିଏ କଣ୍ଟେନରରେ କଟକରୁ ହାଇଦ୍ରାବାଦ ଗୋମାଂସ ଚାଲାଣ ହୋଇଥିବା ବେଳେ ନିରାକାରପୁରଠାରେ ଧରିଛନ୍ତି ହିନ୍ଦୁ ସଂଗଠନର ସଦସ୍ୟ । ଗାଡିରୁ 15 ଟନରୁ ଅଧିକ ଗୋମାଂସ ଜବତ ହୋଇଛି । ଘଟଣାରେ 3 ଜଣଙ୍କୁ ଅଟକ ରଖିଛି ନିରାକାରପୁର ପୋଲିସ ।
ସୂଚନାରୁ ଜଣାପଡିଛି, ଏକ ଗୋମାଂସ ବୋଝେଇ କଣ୍ଟେନର କଟକ ତିଗିରିଆରୁ ବାହାରି ପିପିଲି, ନିମାପଡା, ନିରାକାରପୁର ଦେଇ ହାଇଦ୍ରାବାଦ ଚାଲାଣ ହେଉଥିବା ବେଳେ ନିରାକାରପୁର ରେଳ ଫାଟକ ପୂର୍ବରୁ ଗାଡିଟିକୁ ପିଛା କରିଥିଲେ ହିନ୍ଦୁ ସଂଗଠନର ସଦସ୍ୟ । ଗାଡିକୁ ଅଟକାଇବା ସହିତ ଏକ ଦାମୀ କାରରୁ ତିନି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛନ୍ତି ଗୋ ସୁରକ୍ଷାକର୍ମୀ । ଖବର ପାଇ ନିରାକାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋମାଂସ ବୋଝେଇ କଣ୍ଟେନରକୁ ଜବତ କରି ତିନି ଅଭିଯୁକ୍ତକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି । ଏତେ ପରିମାଣର ଗୋମାଂସ କେଉଁଠୁ ଆସିଲା, କୁଆଡେ ଯାଉଥିଲା, ଏଥିରେ କେଉଁମାନେ ସଂପୃକ୍ତ ଅଛନ୍ତି ତାହାକୁ ନେଇ ନିରାକାରପୁରରେ ଚାପା ଉତ୍ତେଜନା ଦେଖାଦେଇଛି । ସେହିପରି ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି ।