ହାଇଦ୍ରାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ୍ ଏବେ ଭାରତ କବ୍ଜା କରିସାରିଛି । 5 ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ଆହୁରି ଗୋଟିଏ ମ୍ୟାଚ୍ ବାକିଥିଲେ ମଧ୍ୟ ଆଗୁଆ 3-1ରେ ସିରିଜ୍ ହାତେଇ ସାରିଛି ଭାରତ । ତେବେ ସିରିଜ୍ର 5ମ ତଥା ଅନ୍ତିମ ମ୍ୟାଚ୍ ଧର୍ମଶାଳାରେ ଖେଳାଯିବ । ସିରିଜ୍ ହାରିଥିଲେ ମଧ୍ୟ ଶେଷ ମ୍ୟାଚ୍ ଜିତି ସମ୍ମାନ ରକ୍ଷା କରିବାକୁ ଖେଳିବ ଇଂଲଣ୍ଡ । ସେପଟେ ବିଶ୍ବ ଟେଷ୍ଟ ଚମ୍ପିଆନ୍ସିପ୍ ପଏଣ୍ଟ ଟେବୁଲ ଉନ୍ନତି ପାଇଁ ଭାରତ ମଧ୍ୟ ଏହି ମ୍ୟାଚ୍ ଜିତିବାକୁ ଚାହିଁବ । ହେଲେ ଏହା ପୂର୍ବରୁ ଭାରତକୁ ଏକ ଝଟ୍କା ଲାଗିଛି । ଦଳର ମଧ୍ୟକ୍ରମ ଷ୍ଟାର ବ୍ୟାଟର କେଏଲ୍ ରାହୁଲ ଏହି ମ୍ୟାଚ୍ରେ ଅନୁପସ୍ଥିତ ରହିବା ଭଳି ସ୍ଥିତି ଉପୁଜିଛି ।
ରାହୁଲଙ୍କୁ ମିଳିପାରେ ବିଶ୍ରାମ: ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ଏହି ଷ୍ଟାର ବ୍ୟାଟର ନିଜ ଡାହାଣ ସଙ୍ଘରେ କଷ୍ଟ ଅନୁଭବ କରୁଛନ୍ତି । ଏହାର ଅଧିକ ଚିକିତ୍ସା ପାଇଁ ସେ ଲଣ୍ଡନ ଗସ୍ତ କରିଥିବା ଖବର ଆସୁଛି । ବର୍ତ୍ତମାନ ସୁଦ୍ଧା 3-1ରେ ଏହି ସିରିଜ୍ ଭାରତ କବ୍ଜା କରିସାରିଥିବାରୁ ରାହୁଲଙ୍କୁ ନେଇ କୌଣସି ତରବରିଆ ନିଷ୍ପତ୍ତି ନେବାକୁ ଚାହୁଁନାହାନ୍ତି ଚୟନକର୍ତ୍ତା ବା ବିସିସିଆଇ । ଯଦିଓ ଏହି ମ୍ୟାଚ୍କୁ ହାତରେ ଆହୁରି ଗୋଟିଏ ସପ୍ତାହରୁ ଅଧିକ ଦିନ ବାକି ଅଛି, ତଥାପି ଲଣ୍ଡନରୁ ଫେରିବା ପରେ ରାହୁଲଙ୍କୁ ବିଶ୍ରାମ ଦେବା ପାଇଁ ଚିନ୍ତା କରୁଛି ବିସିସିଆଇ । ଆଗକୁ ଆଇପିଏଲ୍ ମଧ୍ୟ ଆସୁଛି । ଏହାବାଦ ଆମେରିକା ଓ ୱେଷ୍ଟଇଣ୍ଡିଜ୍ରେ ହେବାକୁ ଥିବା ଟି20 ବିଶ୍ବକପ୍ ସମ୍ଭବତଃ ଆସନ୍ତା ଜୁନ ମାସରେ ଖେଳାଯିବ । ଏଥିରେ ରାହୁଲଙ୍କ ଉପସ୍ଥିତି ବେଶ ଗୁରୁତ୍ବପୂର୍ଣ୍ଣ ରହିବ । ତେଣୁ ତାଙ୍କ ଆଘାତ ସମସ୍ୟା ଉପରେ ବିଶେଷ ଧ୍ୟାନ ଦିଆଯାଉଛି ।