ଓଡିଶା

odisha

ସମ୍ବଲପୁର ଗସ୍ତରେ ଧର୍ମେନ୍ଦ୍ର, ପୁଣି ମାରିଲେ ତେରଚ୍ଛା ବାଣ !

By ETV Bharat Odisha Team

Published : Feb 25, 2024, 11:01 PM IST

Dharmendra Pradhan visits Sambalpur: ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡର ଜୁଯୁମୁରାଠାରେ ପହଞ୍ଚି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଶହୀଦ ମଧୁ ଗଡ଼ତିଆଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତିର ଅନାବରଣ କଲେ କେନ୍ଦ୍ରମନ୍ତ୍ରୀ । ଅଧିକ ପଢ଼ନ୍ତୁ

ସମ୍ବଲପୁର ଗସ୍ତରେ ଧର୍ମେନ୍ଦ୍ର
ସମ୍ବଲପୁର ଗସ୍ତରେ ଧର୍ମେନ୍ଦ୍ର

ସମ୍ବଲପୁର ଗସ୍ତରେ ଧର୍ମେନ୍ଦ୍ର

ସମ୍ବଲପୁର: ନିର୍ବାଚନ ଘୋଷଣା ତାରିଖ ଯେତିକି ପାଖେଇ ଆସୁଛି, ସେହି ଅନୁସାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଘନ ଘନ ସମ୍ବଲପୁର ଗସ୍ତ ହେଉଛି । ଆଜି ପୁଣି ସେ ସମ୍ବଲପୁର ଆସି ଜୁଯୁମୁରା ତଥା ସମ୍ବଲପୁର ସହରରେ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଏଥର ସାଧାରଣ ନିର୍ବାଚନରେ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରିପାରନ୍ତି ବୋଲି ଯେଉଁ ଚର୍ଚ୍ଚା ହେଉଛି, ତାଙ୍କର ଘନ ଘନ ଗସ୍ତ ଏହି ଚର୍ଚ୍ଚାକୁ ସେତିକି ଖୋରାକ ମଧ୍ୟ ଯୋଗାଉଛି ।

ସମ୍ବଲପୁର ଗସ୍ତରେ ଧର୍ମେନ୍ଦ୍ର

ତେବେ ଆଜି ଦିନ ପ୍ରାୟ ୧୨ଟା ସମୟରେ ସେ ଜୁଯୁମୁରା ଗ୍ରାମୀଣ ପାର୍କଠାରେ ପହଞ୍ଚିଥିଲେ । ଏଠାରେ ଅଖିଳ ଭାରତୀୟ ଗଣ୍ଡୱାନ ଗଣ୍ଡ ମହାସଭା, ଓଡିଶା ପ୍ରଦେଶ ପକ୍ଷରୁ ଅନୁଷ୍ଠିତ 'ଶହୀଦ ମଧୁ ଗଡ଼ତିଆ'ଙ୍କ ପୂର୍ଣ୍ଣ ଅବୟବ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ । ଏଠାରେ ସେ ଗଣ୍ଡ ସମ୍ପ୍ରଦାୟର ଆରାଧ୍ୟ ଦେବତା ଜଙ୍ଘା ବଡଦେଓଙ୍କ ବିଧିପୂର୍ବକ ପୂଜାର୍ଚନା କରିଥିଲେ ଓ ତାଙ୍କ ଆଶୀର୍ବାଦ ନେଇଥିଲେ । ଏହାପରେ ଜଙ୍ଘାଦେଓଙ୍କୁ କାନ୍ଧରେ ବୋହିଥିଲେ ମଧ୍ୟ । ଏହାପରେ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଘନିଷ୍ଠ ସହଯୋଗୀ ଗଡ଼ଲୋଇସିଂର ଜମିଦାର ଶହୀଦ ମଧୁ ଗଡ଼ତିଆଙ୍କ ପ୍ରତିମୂର୍ତ୍ତିର ଅନାବରଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହାପରେ କେନ୍ଦ୍ରମନ୍ତ୍ରୀ ସ୍ଥାନୀୟ ପଡିଆରେ ଆୟୋଜିତ ଏକ ସଭାରେ ଯୋଗଦେଇ ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନର ସ୍ମୃତିଚାରଣ କରିଥିଲେ ।

ସମ୍ବଲପୁର ଗସ୍ତରେ ଧର୍ମେନ୍ଦ୍ର

ଏହା ମଧ୍ୟ ପଢ଼ନ୍ତୁ...ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏକାଧିକ କାର୍ଯ୍ୟକ୍ରମରେ ସାମିଲ

ଏହି ଅବସରରେ ସେ ବର୍ତ୍ତମାନ ରାଜନୈତିକ ମାହୋଲ ନେଇ ତେରଚ୍ଛା ବାଣ ମାରିଛନ୍ତି । ସେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଲିଖିତ ପଂକ୍ତି ଉଦ୍ଧୃତ କରି କହିଥିଲେ, "ଓଡିଶାରେ ନେତାର ନାହିଁ ପ୍ରୟୋଜନ, ଓଡିଆଙ୍କ ନେତା ସ୍ବୟଂ ନାରାୟଣ" । ଜଗନ୍ନାଥ ହିଁ ଆମ ସମସ୍ତଙ୍କ ମାର୍ଗଦର୍ଶକ । କ୍ଷମତାର ନିଶାରେ କିଛି ମୂଢ଼ ଲୋକ ଭାବନ୍ତି ତାଙ୍କର ଛାଇ ଯୋଗୁଁ ଦୁନିଆ ଚାଲୁଛି । ପୂର୍ବରୁ ଇଷ୍ଟ ଇଣ୍ଡିଆ କମ୍ପାନୀର କିଛି ଅଧିକାରୀ ଏମିତି ଚିନ୍ତାଧାରା ରଖିଥିଲେ, କିନ୍ତୁ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏଙ୍କ ପରି ସ୍ବାଭିମାନୀ ଓଡ଼ିଆ ନିଜର ସ୍ବାଭିମାନ ସହ କେବେବି ସାଲିସ କରିନଥିଲେ । ବର୍ତ୍ତମାନ ଓଡିଶାର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏକ ବଡ଼ ଦ୍ବନ୍ଦ୍ବ ତଥା ପ୍ରଶ୍ନ ଚିହ୍ନ ଦେଖା ଯାଇଛି । ଓଡିଶାର ଗଣତନ୍ତ୍ରିକ ପ୍ରକ୍ରିୟାରେ ଏହାର ନେତୃତ୍ବ ଓଡ଼ିଆ ଲୋକଙ୍କ ଦ୍ବାରା ନିର୍ବାଚିତ ଜଣେ ଓଡ଼ିଆ ଲୋକ ନେବା ଦରକାର ।" ତେବେ ଏହା ଏକ ରାଜନୈତିକ ପ୍ରସଙ୍ଗ ନୁହେଁ, ବରଂ ଓଡିଶାର ଗଣତାନ୍ତ୍ରିକ ପ୍ରକ୍ରିୟାରେ ନେତୃତ୍ବ ଓଡିଆ ଲୋକ ହାତରେ ରହିବ ନାଁ ନାହିଁ, ତାହା ମୂଳକଥା ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏପରି କହି ସେ ଜଣେ ସରକାରୀ ଦଳର ଅଣଓଡ଼ିଆ ନେତାଙ୍କୁ ଟାର୍ଗେଟ କରିଥିବା ଚର୍ଚ୍ଚା ହେଉଛି ।

ଇଟିଭି ଭାରତ, ସମ୍ବଲପୁର

ABOUT THE AUTHOR

...view details