ଓଡିଶା

odisha

ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ ହେଲା 'ଏକକ ନିର୍ବାଚନ' ଅନୁଧ୍ୟାନ ରିପୋର୍ଟ, କିଏ କଲା ସମର୍ଥନ ଆଉ କିଏ ବିରୋଧ

By ETV Bharat Odisha Team

Published : Mar 14, 2024, 5:30 PM IST

One Nation, One Election: 47 ରାଜନୈତିକ ଦଳ ରଖିଲେ ନିଜର ବିଚାର । 32ଟି ଦଳ ସପକ୍ଷରେ ମତ ରଖିଥିବା ବେଳେ ଅବଶିଷ୍ଟ 15 ଦଳ କଲେ ବିରୋଧ । 18 ହଜାର ପୃଷ୍ଠାର ରିପୋର୍ଟ ଦାଖଲ କଲା କୋବିନ୍ଦ କମିଟି । ଅଧିକ ପଢନ୍ତୁ

ରାଷ୍ଟ୍ରପତିଙ୍କ ନିକଟରେ ଏକକ ନିର୍ବାଚନ କମିଟର ଅନୁଧ୍ୟାନ ରିପୋର୍ଟ, କିଏ କଲା ସମର୍ଥନ ଆଉ କି’ଏ ବିରୋଧ
ରାଷ୍ଟ୍ରପତିଙ୍କ ନିକଟରେ ଏକକ ନିର୍ବାଚନ କମିଟର ଅନୁଧ୍ୟାନ ରିପୋର୍ଟ, କିଏ କଲା ସମର୍ଥନ ଆଉ କି’ଏ ବିରୋଧ

ନୂଆଦିଲ୍ଲୀ:ଆଜି ବହୁଚର୍ଚ୍ଚିତ ‘ଏକକ ନିର୍ବାଚନ’ ପ୍ରସଙ୍ଗରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ନିଜ ଅନୁଧ୍ୟାନ ରିପୋର୍ଟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରିଛି । ଦୀର୍ଘ ଅନୁଧ୍ୟାନ ପରେ ପ୍ରସ୍ତୁତ ଏହି ସାଢେ 18 ହଜାର ପୃଷ୍ଠାର ରିପୋର୍ଟରେ ଏହାର କାର୍ଯ୍ୟକାରିତା ସମ୍ପର୍କିତ ସମସ୍ତ ଦିଗକୁ ନେଇ ସୁପାରିଶ ରହିଛି । ତେବେ ଏଥିରେ ବିଭିନ୍ନ ରାଜନୈତିକ ଦଳର ମତାମତ ମଧ୍ୟ ରହିଛି । ବିଚାର ବିମର୍ଶ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ଦଳଙ୍କ ମଧ୍ୟରୁ ଆନୁପାତିକ ଭାବେ ଅଧିକାଂଶ ଏହି ବିଚାର ସପକ୍ଷରେ ମତ ରଖିଥିବା ବେଳେ କିଛି ରାଜନୈତିକ ଦଳ ଏହାକୁ ସଙ୍ଘୀୟ ବ୍ୟବସ୍ଥାର ବିପରୀତ ବୋଲି ଦର୍ଶାଇ ଗଣତନ୍ତ୍ର ପାଇଁ ବିପଦପୂର୍ଣ୍ଣ ବୋଲି ମତ ଦେଇଛନ୍ତି ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୋଟ 62 ଦଳକୁ ସେମାନଙ୍କ ବିଚାର ଓ ଆଭିମୁଖ୍ୟ ରଖିବା ପାଇଁ କମିଟି ପକ୍ଷରୁ ଆହ୍ବାନ କରାଯାଇଥିଲା । 47 ରାଜନୈତିକ ଦଳ ଏଥିରେ ମତାମତ ଦେଇଛନ୍ତି । ସେଥିମଧ୍ୟରୁ 32ଟି ଦଳ ସପକ୍ଷରେ ମତ ରଖିଥିବା ବେଳେ ଅବଶିଷ୍ଟ 15ଦଳ ବିରୋଧ କରିଛନ୍ତି । ବିଜେପି ଓ କନରାଡ ସାଙ୍ଗାମାଙ୍କ ଦଳ ‘ଏନପିପି’ ଦୁଇ ଜାତୀୟ ଦଳ ଭାବେ ଏହାକୁ ସମର୍ଥନ କରିଛନ୍ତି । ଅନ୍ୟ ସମର୍ଥିତ ଦଳଙ୍କ ମଧ୍ୟରେ ଆଞ୍ଚଳିକ ଦଳମାନେ ହିଁ ରହିଛନ୍ତି । କଂଗ୍ରେସ, ସମାଜବାଦୀ ପାର୍ଟି, ଆମ ଆଦମୀ ପାର୍ଟି, ସିପିଆଇ-ଏମ ପରି 4 ଜାତୀୟ ଦଳ ଏହାକୁ ସିଧା ବିରୋଧ କରିଛନ୍ତି ।

ଏକକ ନିର୍ବାଚନକୁ ସମର୍ଥନ କରୁଥିବା ଦଳଙ୍କ ମଧ୍ୟରେ ବିଜେପି, ଏନପିପି, ଏଆଇଏଡିଏମକେ, ଅଖିଳ ଝାଡଖଣ୍ଡ ଛାତ୍ର ସଂଗଠନ (ଏଜିଏସୟୁ), ଅପନା ଦଳ (ସୋନିଲାଲ), ଆସାମ ଗଣ ପରିଷଦ, ଲୋକ ଜନତା ପାର୍ଟି (ଆର), ନ୍ୟାସନାଲ ଡେମୋକ୍ରାଟିକ୍ ପ୍ରଗତିଶୀଳ ପାର୍ଟି (ନାଗାଲାଣ୍ଡର), ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା, ମିଜୋ ନ୍ୟାସନାଲ ଫ୍ରଣ୍ଟ ଏବଂ ଆସାମର ୟୁନାଇଟେଡ୍ ପିପୁଲ୍ସ ପାର୍ଟି ଲିବରାଲ୍, ଜେଡି (ୟୁ), ବିଜୁ ଜନତା ଦଳ (ବିଜେଡି), ଶିବସେନା (ସିନ୍ଦେ ଗୋଷ୍ଠୀ) ଏବଂ ଅକାଳୀ ଦଳ ପ୍ରମୁଖ ରହିଛନ୍ତି ।

ବିରୋଧ କରିଥିବା ଦଳଙ୍କ ମଧ୍ୟରେ:- କଂଗ୍ରେସ, ସମାଜବାଦୀ ପାର୍ଟି, ଆମ ଆଦମୀ ପାର୍ଟି, ସିପିଆଇ-ଏମ ପରି 4 ଜାତୀୟ ଦଳ ସହ ଟିଏମସି, ଡିଏମକେ, ନାଗା ପିପୁଲ୍ସ ଫ୍ରଣ୍ଟ, ବିଆରଏସ, ନ୍ୟାସନାଲ କନଫରେନ୍ସ, ଜେଏମଏମ, ଜେଡିଏସ, ଏନସିପି (ଶରଦ ଗୋଷ୍ଠୀ), ଆରଜେଡି, ଆରଏସପି, ଟିଡିପି ଓ ଆରଏଲଡି, କେରଳା କଂଗ୍ରେସ, ଓ୍ବାଇଏସଆର କଂଗ୍ରେସ ପ୍ରମୁଖ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- କାହିଁକି ମୁସଲିମ ଶରଣାର୍ଥୀଙ୍କୁ ମିଳିବନି ନାଗରିକତା ! କ’ଣ ତର୍କ ରଖିଲେ ଶାହ

ଏହା ମଧ୍ଯ ପଢନ୍ତୁ :-

ସରକାର ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ପାଇଁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ 8 ଜଣିଆ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଜ୍ୟସଭାରେ ବିରୋଧୀ ଦଳର ପୂର୍ବତନ ନେତା ତଥା ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ, ପୂର୍ବତନ ଅର୍ଥ ଆୟୋଗର ଅଧ୍ୟକ୍ଷ ଏନ.କେ ସିଂ ଓ କେନ୍ଦ୍ର ଆଇନମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲ ପ୍ରମୁଖ ସଦସ୍ୟ ରହିଛନ୍ତି । ପ୍ରାୟ 2ଶହ ଦିନର ଅନୁଧ୍ୟାନ ପରେ କମିଟି ଆଜି ତାର ପ୍ରଥମ ରିପୋର୍ଟ ରାଷ୍ଟ୍ରପତିଙ୍କ ନିକଟରେ ଦାଖଲ କରିଛି । ତେବେ ଏହାର କାର୍ଯ୍ୟକାରିତା ସମ୍ପର୍କରେ କଣ ସୁପାରିଶ ରଖାଯାଇଛି, ତାହା ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସନି । ଏହାର ପରବର୍ତ୍ତୀ ଘଟଣାକ୍ରମ ଉପରେ ସାରା ଦେଶର ନଜର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details