ଚଣ୍ଡିଗଡ: ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲା ଯାତ୍ରୀବାହୀ ଟ୍ରେନ । ଟ୍ରାକ୍ ମଝିରେ ବଗିକୁ ଛାଡି ଚାଲିଗଲା ଇଞ୍ଜିନ । ପାଟନା ଠାରୁ ଜାମ୍ମୁ ତାୱି ଯାଉଥିବା ଅର୍ଚ୍ଚନା ଏକ୍ସପ୍ରେସ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଇଞ୍ଜିନ ସହ ବଗିର ଲିଙ୍କ ଭଲ ଭାବରେ ସଂଯୋଗ ହୋଇନଥିବାରୁ ଏଭଳି ଅଘଟଣ ଘଟିଛି । ପଞ୍ଜାବର ଖନ୍ନା ଠାରେ ଆଜି ଇଞ୍ଜିନଟି ବଗିକୁ ଛାଡି ପ୍ରାୟ ୩ କିଲୋମିଟର ଆଗକୁ ଚାଲିଯାଇଥିଲା । ରେଳ ବିଭାଗର କିମ୍ୟାନ ଟ୍ରାକରେ କାମ କରିଥିବା ସମୟରେ ଦେଖିବା ସହ ଏସମ୍ପର୍କରେ ଡ୍ରାଇଭରଙ୍କୁ ଜଣାଇଥିଲେ । ସୌଭାଗ୍ୟ ବଶତଃ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି ।
କୋଚ ଆଟେଣ୍ଡାଣ୍ଟ କହିଛନ୍ତି ଯେ, ଟ୍ରେନ ନମ୍ବର ୧୨୩୫୫/୫୬ ଅର୍ଚ୍ଚନା ଏକ୍ସପ୍ରେସର ଇଞ୍ଜିନ ସିରହିନ୍ଦ ଜଙ୍କସନରେ ପରିବର୍ତ୍ତନ କରାଯାଇଥିଲା । କାର୍ଯ୍ୟରତ କର୍ମଚାରୀ ଠିକ୍ ଭାବେ ସଂଯୋଗ କରି ନଥିବାରୁ ଇଞ୍ଜିନଟି ଆଗକୁ ଚାଲିଯାଇଥିଲା । ଇଞ୍ଜିନଟି ଖନ୍ନା ଠାରେ ଅଲଗା ହୋଇଯାଇଥିଲା । ଟ୍ରେନରେ ପ୍ରାୟ ୨୫୦୦ ଯାତ୍ରୀ ଥିବା ବେଳେ ଏକ ବଡ ଧରଣର ଦୁର୍ଘଟଣାକୁ ଏଡାଯାଇ ପାରିଥିଲା । ରେଲୱେ ଗାର୍ଡ ଇଞ୍ଜିନ ଅଲଗା ହେବା ସୂଚନା ୱେୟାରଲେସରେ ଜଣାଇଥିଲେ । ସେହିପରି ଟ୍ରାକରେ କାମ କରୁଥିବା କିମ୍ୟାନ ଏ ବିଷୟରେ ଡ୍ରାଇଭରକୁ ଜଣାଇବା ପରେ ଡ୍ରାଇଭର ଅଟକିଥିଲେ । ଡ୍ରାଇଭର ଇଞ୍ଜିନକୁ ପଛକୁ ନେବା ପରେ ବଗି ଗୁଡିକ ସହିତ ସଂଯୋଗ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ...ଟ୍ରେନରେ ବଡ଼ ଅଘଟଣ, ଅଗ୍ନି ନିର୍ବାପକ ଯନ୍ତ୍ର ଫାଟିବାରୁ ଚାଲିଗଲା RPF ଯବାନଙ୍କ ଜୀବନ - RPF Jawan Died In Train Blast