ETV Bharat / state

ନିଆରା ସଙ୍ଗୀତ ସାଧକ ଆୟୁଷ୍ମାନ ତ୍ରିପାଠୀ, ପ୍ରତିଭା ଆଗରେ ହାର ମାନିଛି ଅକ୍ଷମତା - AYUSHMAN TRIPATHI SUCCESS STORY

author img

By ETV Bharat Odisha Team

Published : Apr 22, 2024, 11:03 PM IST

Updated : Apr 22, 2024, 11:11 PM IST

ନିଆରା ସଙ୍ଗୀତ ସାଧକ ଆୟୁଷ୍ମାନ ତ୍ରିପାଠୀ, ପ୍ରତିଭା ଆଗରେ ହାରମାନିଛି ଅକ୍ଷମତା
ନିଆରା ସଙ୍ଗୀତ ସାଧକ ଆୟୁଷ୍ମାନ ତ୍ରିପାଠୀ, ପ୍ରତିଭା ଆଗରେ ହାରମାନିଛି ଅକ୍ଷମତା

Ayushman Tripathi Success: ଆୟୁଷ୍ମାନ ତ୍ରିପାଠୀ ଜନ୍ମରୁ ଦୃଷ୍ଟିହୀନ ହୋଇଥିଲେ ମଧ୍ୟ ସଙ୍ଗୀତ କଳାକାର ହେବା ଇଚ୍ଛା ଶକ୍ତି ଆଗରେ ହାରମାନିଛି ଅକ୍ଷମତା । ବର୍ତ୍ତମାନ ସେ ସବୁ ପ୍ରକାରର ବାଦ୍ୟ ଯନ୍ତ୍ର ବଜାଇ ଲୋକଙ୍କୁ ମନୋରଞ୍ଜନ କରାଇପାରୁଛନ୍ତି । ଅଧିକ ପଢନ୍ତୁ,

ନିଆରା ସଙ୍ଗୀତ ସାଧକ ଆୟୁଷ୍ମାନ ତ୍ରିପାଠୀ, ପ୍ରତିଭା ଆଗରେ ହାରମାନିଛି ଅକ୍ଷମତା

ବଲାଙ୍ଗୀର: ଦୃଢ ଇଚ୍ଛାଶକ୍ତି ଏବଂ ମନୋବଳ ଥିଲେ ଦୁନିଆର କୌଣସି ବି ପ୍ରତିବନ୍ଧକ ବାଟ ରୋକିପାରିବ ନାହିଁ । ଏଭଳି ଅନେକ ଉଦାହରଣ ପୂର୍ବରୁ ଦେଖିବାକୁ ମିଳିଛି । ଏବେ ଏଥିରେ ଆଉ ଏକ ଫର୍ଦ୍ଦ ଯୋଡିଛି ବଲାଙ୍ଗୀରର ୧୭ ବର୍ଷୀୟ ଆୟୁଷ୍ମାନ ତ୍ରିପାଠୀଙ୍କ କାହାଣୀ । ସେ ଜନ୍ମରୁ ଦୃଷ୍ଟିହୀନ ହୋଇଥିଲେ ମଧ୍ୟ ତାଙ୍କର ବହୁମୁଖୀ ପ୍ରତିଭାରେ ସମସ୍ତଙ୍କୁ ଚକିତ କରିଛନ୍ତି । ଏକ ଧାରାରେ ସେ ସବୁ ପ୍ରକାରର ବାଦ୍ୟ ଯନ୍ତ୍ର ବଜାଇବାରେ ସିଦ୍ଧ ହସ୍ତ । ମୃଦୁଙ୍ଗ, ଢୋଲ, ହାରମୋନିୟମ ଏବଂ କେସିଓ ସମସ୍ତ ବାଦ୍ୟ ଯନ୍ତ୍ର ବଜାଇ ନିଜ ସଙ୍ଗୀତରେ ଲୋକଙ୍କୁ ମନମୁଗ୍ଧ କରୁଛନ୍ତି ।

ସହରର ବରପାଲିପଡା ବାସିନ୍ଦା ହେଉଛନ୍ତି ଆୟୁଷ୍ମାନ ତ୍ରିପାଠୀ । ଜନ୍ମରୁ ସେ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ଅଟନ୍ତି । ହେଲେ ଏହି ଶାରିରୀକ ଅକ୍ଷମତା ତାଙ୍କ ପାଇଁ ସାଜିପାରି ନାହିଁ ପ୍ରତିବନ୍ଧକ ।ଦଇବ ତାଙ୍କୁ ଆଖି ଦୁଇଟି ଦେଇ ନାହାନ୍ତି ସତ କିନ୍ତୁ ତାଙ୍କୁ ଅପାର ଗୁଣର ହୋଇଛନ୍ତି ଅଧିକାରୀ । ଆଧୁନିକ ହେଉ ଅବା ପାରମ୍ପରିକ ବାଦ୍ୟ ଯନ୍ତ୍ର ବଜାଇବାରେ ହୋଇଛନ୍ତି ଉସ୍ତାଦ ଆୟୁଷ୍ମାନ ।

ଏହା ମଧ୍ୟ ପଢନ୍ତୁ: ଦୁର୍ଘଟଣାରେ କଟିଗଲା ଦୁଇ ହାତ, ତଥାପି ଆତ୍ମନିର୍ଭରଶୀଳ 'ତପନ'

ମାତ୍ର ୪ବର୍ଷ ବୟସରେ ଆୟୁଷ୍ମାନ ସଙ୍ଗାତ ପ୍ରତି ରୁଚି ଦେଖାଇଥିଲେ । ସେହି ଦିନ ଠାରୁ କେବଳ ଶୁଣି ଶୁଣି ବିନା ଗୁରୁଙ୍କ ସହାୟତାରେ ସେ ବିଭିନ୍ନ ବାଦ୍ୟ ଯନ୍ତ୍ର ବଜାଇବା ଶିଖିଛନ୍ତି। ସେ ଛୋଟ ଥିବା ବେଳେ ଘର ଲୋକ ଏକ ଧାର୍ମିକ କାର୍ଯ୍ୟକ୍ରମରେ ବୃନ୍ଦାବନ ଯାଇଥିଲେ । ଏହି ସମୟରେ ଆୟୁଷ୍ମାନ ସେଠିକାର ମୃଦୁଙ୍ଗ ଓ ଭଜନ ସଂଗୀତରେ ବିମୋହିତ ହୋଇଥିଲେ । ଯାହା ପରେ ସେ ବାପାଙ୍କ ଆଗରେ ଜିଦ କରି ଏକ ମୃଦୁଙ୍ଗ ପାଇଥିଲେ ଏବଂ ସମୟ ଆଗକୁ ବଢ଼ିବା ସହ ବିନା ଗୁରୁରେ ସେହି ମୃଦଙ୍ଗରେ ପାରଙ୍ଗମ ହୋଇଥିଲେ । ଏହା ପରେ ସେ ଅନ୍ୟାନ୍ୟ ବାଦ୍ୟ ଯନ୍ତ୍ର ତବଲା, ଢୋଲ, ହାରମୋନିଅମ ସହ ଆଧୁନିକ ଇଲୋକ୍ଟ୍ରିନିକ କେସିଓ ବଜାଇବାରେ ପାରଙ୍ଗମ ହୋଇଛନ୍ତି ।

ଆୟୁଷ୍ମାନ ସଂଗୀତକୁ ବେଶ ଭଲ ପାଆନ୍ତି ଏବଂ ଜଣେ ସଙ୍ଗୀତ କଳାକାର ହେବାର ଲକ୍ଷ୍ୟ ତାଙ୍କୁ ଆଜି ସଫଳତା ଆଣିଦେଇଛି । ସେ ଏଥିପାଇଁ ଦିନ ରାତି ଏକ କରିବା ସହ ସବୁ ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହୋଇ ତାଙ୍କର ଏହି କଳା ପ୍ରଦର୍ଶନ କରିଥାଆନ୍ତି । ଛୋଟ ବଡ ଗାଁ ଦାଣ୍ଡ ନାଟକ ହେଉ କିମ୍ବା ବଡ ଧରଣର ସାଂସ୍କୃତିକ କାର୍ଯ୍ୟକ୍ରମ ହେଉ ସମସ୍ତ କାର୍ଯ୍ୟକ୍ରମରେ ନିଜର ଜଲୱା ଦେଖାଇ ଲୋକଙ୍କୁ ଆକୃଷ୍ଟ କରିଥାଆନ୍ତି ଆୟୁଷ୍ମାନ ।

ତେବେ ସେ କହିଛନ୍ତି, "ସଂଗୀତ ହିଁ ମୋର ଜୀବନ ଓ ମୋ ପାଇଁ ଯାହା ସମ୍ଭବ ପ୍ରଚେଷ୍ଟା କରି ଆଗକୁ ଜଣେ ସଙ୍ଗୀତଜ୍ଞ ଭାବେ ରାଜ୍ୟ ପାଇଁ ସୁନାମ ଅର୍ଜନ କରିବି ବୋଲି ଲକ୍ଷ୍ୟ ରଖିଛି । ଏଥିସହ ସଙ୍ଗୀତ ଶିକ୍ଷାଦାନ କରିବି ।" ସେପଟେ ତାଙ୍କ ବାପା ମଙ୍ଗଲୁ ଚରଣ ତ୍ରିପାଠି କହିଛନ୍ତି ଯେ ପୁଅର ସଫଳତା ଦେଖି ଖୁସିବ୍ୟକ୍ତ କରିଛନ୍ତି । ବଲାଙ୍ଗିରର ଡାକ୍ତର ରୁଦ୍ର ନାୟରାୟଣ ପଟେଲ, ନାଟ୍ୟ ଗୁରୁ ବାଳମୁକୁନ୍ଦ ଓ ସଙ୍ଗୀତଜ୍ଞ ମୁରଲିଧର ପତି ପ୍ରମୁଖ ତାଙ୍କୁ ଦିଗଦର୍ଶନ ଦେବା ସହ ଆୟୁଷ୍ମାନଙ୍କୁ ସାହାଯ୍ୟ କରୁଥିବାର ସେ କହିଛନ୍ତି । ତେବେ ଆଗକୁ ତାଙ୍କ ପୁଅ ସଙ୍ଗୀତକୁ ହିଁ ପାଥେୟ କରି ଭବିଷ୍ୟତ ଗଢୁ ବୋଲି ବାପା ମତ ରଖିଛନ୍ତି ।


ଇଟିଭି ଭାରତ, ବଲାଙ୍ଗୀର

Last Updated :Apr 22, 2024, 11:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.