ETV Bharat / international

ଇରାନ ଇସ୍ରାଏଲ ବିବାଦ, କଣ ଭାରତ ଉପରେ ପଡିବ ଏହାର ପ୍ରଭାବ ? - Iran Israel Conflict

author img

By ETV Bharat Odisha Team

Published : Apr 20, 2024, 9:07 PM IST

Iran- Israel Conflict
Iran- Israel Conflict

Iran- Israel Conflict: ଇସ୍ରାଏଲ- ଇରାନ ମଧ୍ୟରେ ଯୁଦ୍ଧ ସଙ୍କଟ । ଉଭୟ ଦେଶ ସହ ଭାରତର ବନ୍ଧୁତାପୂର୍ଣ୍ଣ ସମ୍ପର୍କ ରହିଥିବା ବେଳେ କଣ ଏହି ଯୁଦ୍ଧର ପ୍ରଭାବ ଭାରତ ଉପରେ ପଡିବ ? ପଢନ୍ତୁ ପୁରା ଖବର

ହାଇଦ୍ରାବାଦ: ମଧ୍ୟ ପ୍ରାଚ୍ୟ ଦେଶର 2 ଶକ୍ତିଶାଳୀ ଦେଶ ଇସ୍ରାଏଲ ଓ ଇରାନ । ଉଭୟ ଦେଶ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ରହିଥିବା ବେଳେ ବର୍ତ୍ତମାନ ତାହା ଚରମ ରୂପ ନେଇଛି । ଗାଜାରେ ଇସ୍ରାଏଲର ଆକ୍ରମଣକୁ ନେଇ କ୍ଷୁବ୍ଧ ଇରାନ । ଏହି ଯୁଦ୍ଧରୁ ଆଉ ଏକ ଯୁଦ୍ଧ ରୂପ ନେବାକୁ ଯାଉଛି । ଦଶନ୍ଧି ଧରି ଇରାନ-ଇସ୍ରାଏଲ ମଧ୍ୟରେ ବିବାଦ ରହିଥିଲେ ମଧ୍ୟ କେବେ ଖୋଲାଖୋଲି ଆକ୍ରମଣ କରିନଥିଲେ ଉଭୟ । ହେଲେ ବର୍ତ୍ତମାନ ସ୍ଥିତି ବଦଳୁଥିବାର ଦେଖିବାକୁ ମିଳିଛି । ଉଭୟ ଦେଶ ଆକ୍ରାମକ ମୁଡରେ । ଯାହାକୁ ନେଇ ଭାରତ ସମେତ ଅନେକ ଦେଶ ଚିନ୍ତିତ । ଭାରତ ଉପରେ ଏହି 2 ଦେଶର ବିବାଦର ପ୍ରଭାବ ପଡିବାର ଆଶଙ୍କାକୁ ଏଡାଇ ଦିଆନଯାଇପାରେ ।

ଇସ୍ରାଏଲ-ଇରାନ ବିବାଦ ଉପରେ ଭାରତର ନଜର: ଇରାନ-ଇସ୍ରାଏଲ ଯୁଦ୍ଧ ଉପରେ ସମଗ୍ର ବିଶ୍ୱର ନଜର ରହିଛି । ଭାରତ ମଧ୍ୟରେ ଏହି ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି । କାରଣ ଉଭୟ ଦେଶ ସହ ଭାରତର ଦ୍ୱିପାକ୍ଷିକ ଓ ବାଣିଜ୍ୟିକ ସମ୍ପର୍କ ବେଶ ଭଲ ରହିଛି । ଇସ୍ରାଏଲ ସହ ଦେଶର ଘନିଷ୍ଠ ସମ୍ପର୍କ ରହିଥିବା ବେଳେ ଇରାନ ସହ ଐତିହାସିକ ସମ୍ବନ୍ଧ ରହିଛି । ଯଦି ଉଭୟ ଦେଶ ମଧ୍ୟରେ ସଙ୍କଟ ଆଗକୁ ଆହୁରୀ ତୀବ୍ର ରୂପ ନିଏ ତେବେ ଭାରତ ପାଇଁ ସ୍ଥିତି କଠିନ ହୋଇପାରେ । ଇରାନ- ଇସ୍ରାଏଲ ତିକ୍ତତା ଭାରତର ବାଣିଜ୍ୟିକ ସ୍ଥିତି ଉପରେ ନକରାତ୍ମକ ପ୍ରଭାବ ପକାଇପାରେ । ଉଭୟ ଦେଶ ସହ ସନ୍ତୁଳନ ରକ୍ଷା କରିବା ଭାରତ ପାଇଁ କଷ୍ଟସାଧ୍ୟ ହୋଇପାରେ ।

ଏହାମଧ୍ୟ ପଢନ୍ତୁ.. ଇରାନ-ଇସ୍ରାଏଲ ମଧ୍ୟରେ ବଢୁଛି ତିକ୍ତତା, ବଦଳିଲା ବାଇଡେନଙ୍କ ସ୍ବର - US On Iran

ରିପୋର୍ଟ ଅନୁଯାୟୀ, ଗତ 5 ବର୍ଷ ମଧ୍ୟରେ ଭାରତ ଓ ଇସ୍ରାଏଲ ମଧ୍ୟରେ ବାଣିଜ୍ୟ 2 ଗୁଣା ବୃଦ୍ଧି ପାଇଛି । 2022-23ରେ ଏହା 10.77 ବିଲିୟନ ଡଲାର ଛୁଇଁଛି । ଭାରତ ଇସ୍ରାଏଲ ଉପରେ ବିଶେଷ ଭାବେ ଡିଫେନ୍ସ ଟେକ୍ନୋଲୋଜି, ଆଡଭାନ୍ସ ଏଗ୍ରିକଲଚର ଟେକ୍ନୋଲୋଜି ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଉତ୍ପାଦ କ୍ରୟ କରିଥାଏ । ଏହି ବାଣିଜ୍ୟିକ ସମ୍ପର୍କ ପାଇଁ 2 ଦେଶ ମଧ୍ୟରେ ରାଜନୈତିକ ତଥା କୁଟନୈତିକ ସମ୍ପର୍କ ମଧ୍ୟ ବେଶ ଭଲ ରହିଛି ।

ଅନ୍ୟପଟେ ଯଦି ଭାରତ ଓ ଇରାନ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଉପରେ ନଜର ପକାଇବା ତେବେ ଇରାନ ସହ ଭାରତ ବ୍ୟବସାୟୀ କମ ହୋଇଛି । ତେବେ ଏକଦା ଭାରତକୁ ତୈଳ ଯୋଗାଣ କ୍ଷେତ୍ରରେ ଇରାନ ସବୁଠୁ ଗୁରୁତ୍ୱ ବହନ କରୁଥିଲା । ହେଲେ 2019ରେ ଆମେରିକା ଇରାନର ନ୍ୟୁକ୍ଲିୟର ପ୍ରୋଗ୍ରାମକୁ ନେଇ ପ୍ରତିବନ୍ଧକ ଲଗାଇବା ପରେ ଇରାନଠୁ ତେଲ କ୍ରୟ କରିବା ଏବେ ଭାରତ ପାଇଁ ମୁସ୍କିଲ ହୋଇପଡିଛି ।

2 ଦେଶ ମଧ୍ୟରେ ଅସ୍ଥିରତା ତୈଳ ଦର ଆକାଶ ଛୁଆଁ କରିପାରେ । ଯାହାର ପ୍ରଭାବ ଭାରତର ବଜାର ଉପରେ ପଡିବ । ଯଦି ଯୁଦ୍ଧ ସ୍ଥିତି ଆହୁରୀ ଜଟିଳ ରୂପ ନିଏ ତେବେ ଭାରତର ଅର୍ଥନୈତିକ କ୍ଷେତ୍ରରେ ଏହାର ପ୍ରଭାବ ପଡିବା ସୁନିଶ୍ଚିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.