ETV Bharat / business

ଟ୍ୟାକ୍ସ ସଞ୍ଚୟ ପାଇଁ ସରଳ ଉପାୟ, ଜାଣିରଖନ୍ତୁ ଏହି ୧୦ ସ୍କିମ୍ - Tax saving instruments

author img

By ETV Bharat Odisha Team

Published : Mar 22, 2024, 3:20 PM IST

ଟ୍ୟାକ୍ସ ସଞ୍ଚୟ ପାଇଁ ସରଳ ଉପାୟ, ଜାଣିରଖନ୍ତୁ ଏହି ୧୦ ସ୍କିମ୍
ଟ୍ୟାକ୍ସ ସଞ୍ଚୟ ପାଇଁ ସରଳ ଉପାୟ, ଜାଣିରଖନ୍ତୁ ଏହି ୧୦ ସ୍କିମ୍

Tax saving instruments: ଅଧିକାଂଶ ଟିକସଦାତାଙ୍କ ପାଇଁ ଏକ ଉପଯୁକ୍ତ ଟିକସ ସଞ୍ଚୟ ଉପାୟ ଖୋଜିବା ଏକ କଷ୍ଟକର ବ୍ୟାପାର । ଚଳିତ ଆର୍ଥିକ ବର୍ଷ ସରିବାକୁ ମାତ୍ର ୯ ଦିନ ବାକି ଥିବାବେଳେ ଆମେ ଆପଣଙ୍କ ଟିକସ ସଞ୍ଚୟର କିଛି ଟେକନିକ ଅଥବା ସ୍କିମ ବିଷୟରେ ଜଣାଇବୁ, ଯାହାକୁ ଆପଣ ନିଜର ଆବଶ୍ୟକତା ଅନୁଯାୟୀ ବାଛି ପାରିବେ ।

ହାଇଦ୍ରାବାଦ: ସରକାରୀ ଚାକିରିଆ ହୁଅନ୍ତୁ ଅବା ବ୍ୟବସାୟୀ, ସମସ୍ତେ ଟ୍ୟାକ୍ସ ସଞ୍ଚୟ କରିବାକୁ ଚାହାନ୍ତି । ଅଧିକାଂଶ ଟିକସଦାତାଙ୍କ ପାଇଁ ଏକ ଉପଯୁକ୍ତ ଟିକସ ସଞ୍ଚୟ/ଟ୍ୟାକ୍ସ ସେଭିଂ ଉପାୟ ଖୋଜିବା ଏକ କଷ୍ଟକର ବ୍ୟାପର । ବର୍ତ୍ତମାନ ଆର୍ଥିକ ବର୍ଷ ୨୦୨୩-୨୪ ସରିବାକୁ ମାତ୍ର ୯ ଦିନ ବାକି ଥିବାବେଳେ, ଆମ ଭିତରୁ ଅନେକ ଲୋକ ନିଜ ଟ୍ୟାକ୍ସ ସେଭିଂ କାର୍ଯ୍ୟ ୩୧ ମାର୍ଚ୍ଚ ୨୦୨୪ ପୂର୍ବରୁ ସାରିବାକୁ ଚେଷ୍ଟା କରୁଛନ୍ତି । ଟ୍ୟାକ୍ସି ସେଭିଂ ଅନେକ ସମୟରେ ଲୋକଙ୍କ ପାଇଁ ଖୁବ୍ ଚାପଯୁକ୍ତ ହୋଇଥାଏ, ମାତ୍ର ଏହା ହେବା ଉଚିତ୍ ନୁହେଁ । ତେବେ ଟ୍ୟାକ୍ସ ସେଭିଂ ଉପକରଣରେ ଚତୁରତାର ସହ ନିବେଶ କରି କେହି କେବଳ ନିଜର ଟ୍ୟାକ୍ସ ଦାୟିତ୍ବ କମ କରିପାରିବ ନାହିଁ, ବରଂ ଯଥେଷ୍ଟ ସଞ୍ଚୟ କରି ନିଜର ଭବିଷ୍ୟତ ମଧ୍ୟ ସୁରକ୍ଷିତ କରିପାରିବ ।

ତେବେ ଭିନ୍ନ ଭିନ୍ନ ଟ୍ୟାକ୍ସ ସଞ୍ଚୟ ଉପକରଣଗୁଡିକ ସମ୍ପର୍କରେ ଜାଣିବା ପୂର୍ବରୁ ଟ୍ୟାକ୍ସ ସଞ୍ଚୟ ନିବେଶର ଗୁରୁତ୍ବ ବୁଝିବା ଉଚିତ୍ । ଟିକସଦାତାଙ୍କୁ ଧାରା ୮୦C ଏବଂ ଆୟକର ଅଧିନିୟମର ଅନ୍ୟାନ୍ୟ ବିଭାଗ ଅନୁଯାୟୀ ଟିକସ ସଞ୍ଚୟ କରିବାକୁ ବିଭିନ୍ନ ସୁବିଧା ପ୍ରଦାନ କରାଯାଉଛି । ଏହି ନିବେଶଗୁଡିକ କେବଳ ଆପଣଙ୍କର ଟିକସଯୋଗ୍ୟ ଆୟକୁ ହ୍ରାସ କରିବ ନାହିଁ, ବରଂ ଏହାସହିତ ଜମା ବୃଦ୍ଧିରେ ମଧ୍ୟ ସାହାଯ୍ୟ କରିବ ।

ଧାରା ୮୦C କ'ଣ:

୮୦C ଆୟକର ଆକ୍ଟ,୧୯୬୧ର ଏକ ଧାରା ଅଟେ, ଯାହାକି ଟିକସଦାତାଙ୍କୁ ଡିପୋଜିଟ୍ ସ୍କିମ ଏବଂ ଖର୍ଚ୍ଚରେ ନିବେଶ କରି ନିଜ ଟିକସଯୋଗ୍ୟ ଆୟ ହ୍ରାସ କରିବାରେ ସାହାଯ୍ୟ କରେ । ଧାରା 80C ଅନୁସାରେ ଟିକସ ଛାଡର ସର୍ବାଧିକ ସୀମା ଦେଢ ଲକ୍ଷ ଟଙ୍କା । ଅର୍ଥାତ୍ କୌଣସି ବ୍ୟକ୍ତି ଗୋଟିଏ ଆର୍ଥିକ ବର୍ଷରେ ୧.୫ ଲକ୍ଷ ଟଙ୍କା ଯାଏଁ ଟିକସ ଛାଡ ଦାବି କରିପାରିବେ ।

ଟିକସ ସଞ୍ଚୟ ଉପାୟ:

୧. ଟ୍ୟାକ୍ସ ସେଭିଂ ଫିକ୍ସ ଡିପୋଜିଟ (Tax saving Fixed Deposits): ବ୍ୟାଙ୍କରେ ଫିକ୍ସ ଡିପୋଜିଟ ଟିକସ ସଞ୍ଚୟର ଏକ ସରଳ କିନ୍ତୁ ପ୍ରଭାବୀ ତରିକା ଅଟେ । ଏଥିରେ ସେମାନେ ଧାରା ୮୦C ଅନୁଯାୟୀ ଟିକସ ଛାଡ ଅଫର୍ କରିଥାନ୍ତି । ନିଜ ନିବେଶ ଉପରେ ସୁରକ୍ଷିତ ଓ ଗ୍ୟାରେଣ୍ଟଯୁକ୍ତ ରିଟର୍ଣ୍ଣର ସନ୍ଧାନରେ ଥିବା ବ୍ୟକ୍ତବିଶେଷଙ୍କ ମଧ୍ୟରେ ଏହା ଏକ ଲୋକପ୍ରିୟ ବିକଳ୍ପ ଅଟେ । ଆପଣଙ୍କ ଲାଗି କିଛି ଜାଣିରଖିବା କଥା:

ଲକ୍-ଇନ ପିରିୟଡ: ଟିକସ ସଞ୍ଚୟ ବା ଟ୍ୟାକ୍ସ ସେଭିଂ ଏଫଡିରେ ଲକ-ଇନ୍ ପରିୟଡ ୫ ବର୍ଷ ହୋଇଥାଏ । ଏହାର ଅର୍ଥ ଆପଣ ୫ ବର୍ଷ ପାଇଁ ନିଜର ଅର୍ଥ ଜମା କରିବେ ।

ଟ୍ୟାକ୍ସ ଲାଭ: ଟିକସ ସଞ୍ଚୟ ଏଫଡିରେ ନିବେଶ ଦ୍ବାରା ଆୟକର ଧାରା ୮୦C ଅଧୀନରେ ଆପଣ ଗୋଟିଏ ଆର୍ଥିକ ବର୍ଷରେ ସର୍ବାଧିକ ୧.୫ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ ସୁବିଧା ପାଇପାରିବେ ।

ଇନଟ୍ରେଷ୍ଟ ଟ୍ୟାକ୍ସେସନ: ଟ୍ୟାକ୍ସ ସଞ୍ଚୟ ଏଫଡି ଉପରେ ମିଳୁଥିବା ସୁଧ ଆପଣଙ୍କ ଆୟକର ସ୍ଲାବ ଅନୁସାରେ ଟିକସଯୋଗ୍ୟ ।

୨. ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (PPF): PPF ଏକ ଦୀର୍ଘକାଳୀନ ସଞ୍ଚୟ ଏବଂ ନିବେଶ ସ୍କିମ, ଯାହାକି ସରକାରଙ୍କ ଦ୍ବାରା ପ୍ରଦାନ କରାଯାଏ । ଏହା ସ୍ମଲ ସେଭିଂ ସ୍କିମ ଶ୍ରେଣୀର ଅନ୍ତର୍ଭୁକ୍ତ । ଟିକସଦାତାଙ୍କ ପାଇଁ ଏହା ସବୁଠୁ ସୁରକ୍ଷିତ ନିବେଶ ବିକଳ୍ପ ଅଟେ । PPF ମଧ୍ୟ ଆୟକର ଧାରା ୮୦C ଅଧିନରେ ଟିକସ ଛାଡ ପାଇଁ ଅନୁମତି ଦେଇଥାଏ । PPFର ଲକ-ଇନ୍ ପିରିୟଡ ୧୫ ବର୍ଷ ଅଟେ, ଯାହା ଅନ୍ୟ ଟ୍ୟାକ୍ସ ସଞ୍ଚୟ ନିବେଶ ବିକଳ୍ପଗୁଡିକ ତୁଳନାରେ ସର୍ବାଧିକ । ତେବେ ଏଥିରେ ୭ ବର୍ଷ ପରେ ଆଂଶିକ ଉଠାଣର ସୁବିଧା ମଧ୍ୟ ରହିଛି । ଯାହାଦ୍ବାରା ଜଣେ ବ୍ୟକ୍ତି ଜରୁରୀ ଆବଶ୍ୟକତା ସମୟରେ ନିଜ ସଞ୍ଚୟର ଗୋଟିଏ ଅଂଶ ଉଠାଣ କରିପାରିବେ ।

ଏହି ଯୋଜନା ମାଧ୍ୟମରେ ଆପଣ ଟଙ୍କା ବିନିଯୋଗ କରି ୭.୧ ପ୍ରତିଶତ ସୁଧ ପାଇପାରିବେ । କାରଣ ୨୦୨୪ ଆର୍ଥିକ ବର୍ଷର ଚତୁର୍ଥ ତ୍ରୟମାସିକ ପାଇଁ ବର୍ତ୍ତମାନ PPF ସୁଧହାର ୭.୧ ପ୍ରତିଶତ ରହିଛି । PPF ସୁଧହାର ଭାରତ ସରକାରଙ୍କ ଦ୍ୱାର ନିୟନ୍ତ୍ରିତ ହୋଇଥାଏ ଏବଂ ପ୍ରତି ତ୍ରୟମାସିକରେ ସମୀକ୍ଷା କରାଯାଏ । PPF ଉପରେ ସୁଧ ମାସିକ ଗଣନା କରାଯାଏ, ବାର୍ଷିକ କମ୍ପାଉଣ୍ଡ ହୁଏ ଏବଂ ଆର୍ଥିକ ବର୍ଷ ଶେଷରେ ଅର୍ଥାତ ୩୧ ମାର୍ଚ୍ଚରେ କ୍ରେଡିଟ୍ ହୁଏ । ଏହି ଆକାଉଣ୍ଟକୁ ଆକ୍ଟିଭ ରଖିବା ପାଇଁ ଆପଣ ପ୍ରତିବର୍ଷ ସର୍ବନିମ୍ନ ୫୦୦ ଟଙ୍କା ନିବେଶ କରିପାରିବେ ।

PPF ଆକାଉଣ୍ଟର ମାଚ୍ୟୁରିଟି ପରେ, ଆପଣ ଏଥିରେ ନିବେଶ ଜାରି ରଖିବାକୁ ଚାହିଁଲେ ଏହାର ଅବଧିକୁ ବଢାଇ ପାରିବେ । ଏଥିରେ ମିଳୁଥିବା ସୁଧ ସହ ମାଚୁରିଟି ରାଶି ମଧ୍ୟ ଟିକସ ଫ୍ରି ହୋଇଥାଏ ।

୩. ନ୍ୟାସନାଲ ସେଭିଂ ସାର୍ଟିଫିକେଟ (NSC): NSC, ଭାରତୀୟ ଅଧିବାସୀଙ୍କ ପାଇଁ ସରକାରଙ୍କ ଦ୍ବାରା ସମର୍ଥିତ ଏକ ସଞ୍ଚୟ ସ୍କିମ ଅଟେ । ଏଥିରେ ମଧ୍ୟ ଆୟକର ଧାରା ୮୦C ଅନୁଯାୟୀ ଟିକସ ଛାଡ ସୁବିଧା ରହିଛି । ଏହାର ଲକ-ଇନ୍ ପିରିୟଡ ୫ ବର୍ଷ ଏବଂ ଏହା ଗ୍ୟାରେଣ୍ଟେଡ ରିଟର୍ଣ୍ଣ ଦେଇଥାଏ । ୫ ବର୍ଷର ନିବେଶରେ ସୁରକ୍ଷା, ଏକ ସୁନିଶ୍ଚିତ ରିଟର୍ଣ୍ଣ ଏବଂ ଟ୍ୟାକ୍ସ ଲାଭ ସନ୍ଧାନରେ ଥିବା ବ୍ୟକ୍ତିଙ୍କ ପାଇଁ ଏହା ଏକ ଭଲ ବିକଳ୍ପ ଅଟେ ।

ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା (SCSS): ଏହି ସ୍କିମ ୬୦ ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କ ପାଇଁ ଉଦ୍ଧିଷ୍ଟ, ଏଥିରେ ଆୟକର ଧାରା ୮୦C ଅଧିନରେ ଟିକସ ରିହାତି ମିଳିଥାଏ । ଏହି ସ୍କିମରେ ସର୍ବାଧିକ ୩୦ ଲକ୍ଷ ପର୍ଯ୍ୟନ୍ତ ନିବେଶ କରାଯାଇପାରେ । ଯେମିତିକି କୁହାଯାଇଛି, ଏହି ସ୍କିମ ବରିଷ୍ଠ ନାଗରିକଙ୍କ ପାଇଁ ଉଦ୍ଧିଷ୍ଟ, ତଥାପି ୫୫-୬୦ ବର୍ଷ ବୟସର ସେବାନିବୃତ୍ତ ବ୍ୟକ୍ତିମାନେ ମଧ୍ୟ ଏଥିରେ ନିବେଶ କରିପାରିବେ । କିନ୍ତୁ ଏଥିପାଇଁ ତାଙ୍କୁ ସେବାନିବୃତ୍ତ ଲାଭ ମିଳିବାର ଏକ ମାସ ମଧ୍ୟରେ ନିବେଶ କରିବାକୁ ପଡିବ ।

ବରିଷ୍ଠ ନାଗରିକ ସଞ୍ଚୟ ଯୋଜନାରେ ଲକ-ଇନ ଅବଧି ୫ ବର୍ଷ । ତେବେ ମ୍ୟାଚୁରିଟି ପରେ ଅତିରିକ୍ତ ୩ ବର୍ଷ ପର୍ଯ୍ୟନ୍ତ ଏଥିରେ ନିବେଶ ଜାରି ରଖିହେବ । ଏହି ସ୍କିମରେ ସୁଧ ଦର ସରକାର ନିର୍ଦ୍ଧାରଣ କରିଥାନ୍ତି, ଯାହାକି ନିୟମିତ ଏଫଡି ଠାରୁ ଅଧିକ ହୋଇଥାଏ । SCSS ନିବେଶରେ ବର୍ଷିକ ସୁଧହାର ୮.୨ ପ୍ରତିଶତ ଅଟେ ।

5. ସୁକନ୍ୟା ସମୃଦ୍ଧି ଯୋଜନା (SSY): ସୁକନ୍ୟା ସମୃଦ୍ଧି ଯୋଜନା ଏକ ଉତ୍କୃଷ୍ଟ ଟିକସ ସଞ୍ଚୟ ନିବେଶ ସ୍କିମ ଯାହା କନ୍ୟା ସନ୍ତାନଙ୍କ ପାଇଁ ପରିକଳ୍ପିତ । ଏହି ଯୋଜନା ଅନ୍ତର୍ଗତ ବାପାମାଆ ୧୦ ବର୍ଷରୁ କମ ଝିଅମାନଙ୍କ ପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ସୁଯୋଗ ପାଇଥାନ୍ତି । ଅଭିଭାବକମାନେ ଏହି ଆକାଉଣ୍ଟରେ ଅତିବେଶୀରେ ୨ କନ୍ୟା ସନ୍ତାନଙ୍କ ପାଇଁ ଖୋଲିପାରିବେ । ସୁକନ୍ୟା ସମୃଦ୍ଧି ଯୋଜନାରେ ବର୍ଷିକ ସୁଧହାର ୮.୨ ପ୍ରତିଶତ ଅଟେ । କନ୍ୟା ଜନ୍ମରୁ ୧୦ ବର୍ଷ ବୟସ ପର୍ଯ୍ୟନ୍ତ ଯେକୌଣସି ସମୟରେ ନିମ୍ନତମ ରାଶି ୧୦୦୦ ଟଙ୍କା ଜମା ଦେଇ ଖୋଲିପାରିବେ । ଗୋଟିଏ ଆର୍ଥିକ ବର୍ଷରେ ଏହି SSY ଆକାଉଣ୍ଟରେ ସର୍ବୋଚ୍ଚ ଜମା ସୀମା ଦେଢ ଲକ୍ଷ ଟଙ୍କା ଅଟେ ।

୬. ଇନସ୍ୟୁରାନ୍ସ/ବୀମା: ଜୀବନ ବୀମା ଏବଂ ସ୍ବାସ୍ଥ୍ୟ ବୀମା ପଲିସି ମହତ୍ତ୍ବପୂର୍ଣ୍ଣ ଟ୍ୟାକ୍ସ ସେଭିଂ ଲାଭ ଦେଇଥାଏ । ଏହି ପଲିସିଗୁଡିକ ଆପଣଙ୍କ ଟିକସଯୋଗ୍ୟ ଆୟ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଟର୍ମ ଇନସ୍ୟୁରାନ୍ସ ଏବଂ ଏଣ୍ଡୋମେଣ୍ଟ ପ୍ଲାନ ସହିତ ଜୀବନ ବୀମା ପଲିସିଗୁଡିକ ପାଇଁ ଦିଆଯାଉଥିବା ପ୍ରିମିୟମ ଆୟକର ଅଧିନିୟମର ଧାରା ୮୦C ଅଧିନରେ ଟିକସ ରିହାତି ଯୋଗ୍ୟ ଅଟେ । ଏହାବ୍ୟତୀତ ମ୍ୟାଚୁରିଟି କିମ୍ବା ପଲିସିଧାରକଙ୍କ ମୃତ୍ୟୁ ସ୍ଥିତିରେ ଜୀବନ ବୀମା ପଲିସିରୁ ପ୍ରାପ୍ତ ଆୟ ସାଧାରଣତଃ ଆୟକର ଅଧିନିୟମର ଧାରା ୧୦ (10D) ଅନୁଯାୟୀ ଟ୍ୟାକ୍ସ ଫ୍ରି ହୋଇଥାଏ । ସେହିପରି ବ୍ୟକ୍ତିଗତ ଏବଂ ପରିବାର ହେଲଥ ପ୍ଲାନରେ ମଧ୍ୟ ଟିକସ ଛାଡ ସୁବିଧା ଉପଲବ୍ଧ ।

୭. ଜାତୀୟ ପେନସନ ପ୍ରଣାଳୀ (NPS): ଏହି ସ୍କିମ ପ୍ରଥମେ କେବଳ ସରକାରୀ କର୍ମଚାରୀମାନଙ୍କ ସୁବିଧା ପାଇଁ ଆରମ୍ଭ କରାଯାଇଥିଲା । ପରେ ୧୮ରୁ ୬୦ ବର୍ଷ ବୟସ୍କ ସମସ୍ତ ଭାରତୀୟ ନାଗରିକମାନଙ୍କ ପାଇଁ ଖୋଲାଯାଇଥିଲା । ଏଥିରେ ଦୁଇ ପ୍ରକାର ଆକାଉଣ୍ଟ ଅଫର ହୋଇଥାଏ ଯଥା ଟିୟର ୧ ଓ ଟିୟର ୨ । ଟିୟର ୨ ଆକାଉଣ୍ଟ ଖୋଲିବାକୁ ହେଲେ ଗ୍ରାହକଙ୍କ ଟିୟର ୧ ଆକାଉଣ୍ଟ ରହିବା ଜରୁରୀ । ଏଥିରେ ଆୟକର ଆକ୍ଟର ଧାରା ୮୦CCD(1) ଓ ଧାରା ୮୦CCD(2) ଅଧିନରେ ଟିକସ ସୁବିଧା ମିଳିଥାଏ ।

80CCD(1) ଅନୁସାରେ, ୧ ଲକ୍ଷ ୫୦ ହଜାର ଟଙ୍କା ଏହି ଯୋଜନାରେ ଲଗାଇଲେ ସେହି ଅର୍ଥରେ ଆୟକର ଦେବାକୁ ପଡିବ ନାହିଁ ।

80CCD(1B) ଧାରା ଅନୁସାରେ, ଏଥିରେ ଥିବା ଟିୟର-୧ ଆକାଉଣ୍ଟରେ ୫୦ ହଜାର ଟଙ୍କା ଜମା କଲେ, ୮୦Cର ଦେଢ ଲକ୍ଷ ଟଙ୍କା ବ୍ୟତୀତ ଏହି ୫୦ ହଜାର ଜମା ରାଶି ଉପରେ ରିହାତି ମିଳିବ । ଏଥିସହ ନିବେଶକାରୀଙ୍କ କର୍ମ ନିଯୁକ୍ତିଦାତାଙ୍କ ପକ୍ଷରୁ ଆସୁଥିବା ବେସିକ ଏବଂ ମହଙ୍ଗା ଭତ୍ତାର ୧୦ ପ୍ରତିଶତ ସେକ୍ସନ ୮୦CCD(2) ଅଧିନରେ ଆୟକର ଛାଡ ହୋଇଯିବ ।

୮. ଇକ୍ୟୁଟି ଲିଙ୍କଡ ସେଭିଂ ସ୍କିମ(ELSS): ELSS ଫଣ୍ଡ ମ୍ୟୁଚୁଆଲ ଫଣ୍ଡ ଅଟେ, ଯାହାକି ମୁଖ୍ୟ ରୂପେ ଇକ୍ବିଟି କିମ୍ବା ଷ୍ଟକ ମାର୍କେଟରେ ନିବେଶ କରିଥାଏ । ELSS ନିବେଶକମାନଙ୍କୁ ଟ୍ୟାକ୍ସ ସେଭିଂ ଲାଭ ପ୍ରଦାନ କରିବା ସହିତ ସେୟାର ମାର୍କେଟରେ ସାମିଲ ହେବାକୁ ସୁଯୋଗ ପ୍ରଦାନ ପାଇଁ ଡିଜାଇନ କରାଯାଇଛି । ଏହି ସ୍କିମ ମଧ୍ୟ ଧାରା ୮୦C ଅଧିନରେ ଟିକସ ସୁବିଧ ପ୍ରଦାନ କରେ । ଏଥିରେ ଲକ-ଇନ ପରିୟଡ ୩ ବର୍ଷ ରହିଛି, ଯାହାକି ଅନ୍ୟ ଟ୍ୟାକ୍ସ ସେଭିଂ ଟୁଲ ତୁଳନାରେ କମ୍ ।

୯. ୟୁନିଟ ଲିଙ୍କଡ ଇନସ୍ୟୁରାନ୍ସ ପ୍ଲାନ (ULIPs): ULIP ଏକ ଫାଇନାନସିଆଲ ପ୍ରଡକ୍ଟ ଅଟେ, ଯାହା ଉଭୟ ବୀମା ଓ ନିବେଶକୁ ଗୋଟିଏ ପଲିସିରେ ଯୋଡିଥାଏ । ULIP ପାଇଁ ଆପଣ ପେମେଣ୍ଟ କରୁଥିବା ଅର୍ଥର ଗୋଟିଏ ଭାଗ ଜୀବନ ବୀମା କଭରେଜକୁ ଯାଏ ଏବଂ ବାକି ଭାଗ ନିବେଶ ଫଣ୍ଡର ଏକ ଚେନରେ ନିବେଶ ହୋଇଥାଏ । ୟୁନିଟ ଲିଙ୍କଡ ନିବେଶ ପଲିସିରେ ଦିଆଯାଇଥିବା ପ୍ରିମିୟମ ଆୟକର ଆକ୍ଟର ଧାରା ୮୦C ଅନୁସାରେ ବାର୍ଷିକ ଦେଢ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ ସୁବିଧା ପାଇବାକୁ ଯୋଗ୍ୟ । କିନ୍ତୁ CBDT ନିର୍ଦ୍ଦେଶାବଳୀ ଅନୁଯାୟୀ, 01.02.2021 ପରେ କିଣାଯାଇଥିବା ULIP ପାଇଁ ଦିଆଯାଉଥିବା ପ୍ରିମିୟମ ରାଶି ୨.୫ ଲକ୍ଷ ଟଙ୍କାରୁ ଅଧିକ ହେଲେ ମ୍ୟାଚୁରିଟି ସମୟରେ ରିଟର୍ଣ୍ଣ ଟିକସଯୋଗ୍ୟ ହେବ ।

୧୦. ଲୋନ: କେତେକ ନିର୍ଦ୍ଧିଷ୍ଟ ପ୍ରକାର ଲୋନ ଟିକିସ ସୁବିଧା ପ୍ରଦାନ କରେ, ଯେପରିକି ହାଉସିଂ ଲୋନ ବା ଗୃହ ଋଣ ଏବଂ ଏଜୁକେସନ ଲୋନ ବା ଶିକ୍ଷା ଋଣ ।

ଆୟକର ଧାରା ୨୪(b) ଅନୁସାରେ ଗୃହ ଋଣ ସୁଧ ଉପରେ ସର୍ବାଧିକ ୨ ଲକ୍ଷ ପର୍ଯ୍ୟନ୍ତ ଟିକସ ଛାଡ ପାଇପାରିବେ । ହେଲେ ଏହାକୁ ଦାବି କରିବା ପାଇଁ ସମ୍ପତ୍ତିର ମାଲିକାନା ଭଳି କେତେକ ସର୍ତ୍ତ ରହିଛି । ଏଥିସହ ଗୃହ ଋଣ ଉପରେ ଦିଆଯାଇଥିବା ମୂଳ ରାଶି ଧାରା 80C ଅଧିନରେ ୧.୫ ଲକ୍ଷ ଯାଏଁ ଟିକସ ଛାଡ ସୁବିଧା ପାଇବାକୁ ମଧ୍ୟ ଯୋଗ୍ୟ । ସେହିପରି ଉଚ୍ଚଶିକ୍ଷା ପାଇଁ ଶିକ୍ଷା ଋଣ ଉପରେ ଦିଆଯାଉଥିବା ସୁଧ ଧାରା 80E ଅନୁସାରେ ପୂର୍ଣ୍ଣ ଟିକସ ଛାଡ ଯୋଗ୍ୟ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.