ଉଜ୍ବଳା ଦିଦି ସଂଘର ବିକ୍ଷୋଭ, କେନ୍ଦ୍ର ସରକାର ଅବହେଳା କରିଥିବା ଅଭିଯୋଗ

By ETV Bharat Odisha Team

Published : Oct 19, 2023, 7:08 AM IST

thumbnail

ରାଉରକେଲା: କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ଉଜ୍ବଳା ଦିଦି ସଂଘ । କେନ୍ଦ୍ର ସେମାନଙ୍କ ପ୍ରତି ଅବହେଳା କରୁଥିବା ନେଇ କଲେ ଅଭିଯୋଗ । କେନ୍ଦ୍ର ସରକାର କେବଳ ମିଛ ପ୍ରତିଶ୍ରୁତି ଦେଇଛନ୍ତି ଏବଂ ସମ୍ମାନ ନାମରେ କେବଳ ପ୍ରହସନ କରିବା ସହ ସେମାନଙ୍କ ସହ ସରକାର ପ୍ରତାରଣା କରିଛନ୍ତି ଏବଂ କଷ୍ଟ ସାଧ୍ୟ ସମୟରେ କାର୍ଯ୍ୟ ଶ୍ରଦ୍ଧାର ସହ ପାଳନ କରିବା ପରେ ମଧ୍ୟ କେନ୍ଦ୍ର ସରକାର ତାଙ୍କ ଦାବିକୁ ଶୁଣୁ ନଥିବା ଭଳି ଅଭିଯୋଗ  କରିଛି ସଂଘ ।

ସୂଚନା ଅନୁସାରେ, ୨୦୧୯ରୁ ୨୦୨୨ ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ୬୦୦ରୁ ଅଧିକ ଉଜ୍ବଳା ଦିଦିଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଜ୍ବଳା  ଯୋଜନାର ବ୍ରାଣ୍ଡ ଅମ୍ବାସେଡର ଭାବରେ ଘୋଷଣା କରି ନିଯୁକ୍ତି ଦିଆଯାଇଥିଲା । ସେତେବେଳେ ଉଜ୍ବଳା ଦିଦିଙ୍କ ସମ୍ମାନାର୍ଥେ ପ୍ରଧାନମନ୍ତ୍ରୀ ବାର୍ତ୍ତା ଦେଇଥ‌ିବା ବେଳେ ତତ୍କାଳୀନ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଜ୍ୱଳା ଦିଦିଙ୍କୁ ଅନେକ୍‌ ସ୍ଵପ୍ନ ଦେଖାଇଥିଲେ । ପ୍ରଧାନମନ୍ତ୍ରୀ ଉଜ୍ବଳା ଯୋଜନାର ମୁଖ୍ୟ ପୁରୋଧା ଓ ଆମ୍ବାସାଡର ହିସାବରେ ଲୋକଙ୍କ ଘରକୁ ଘରକୁ ଯାଇ ଉଜ୍ବଳା ଦିଦିମାନେ  ହିତାଧିକାରୀଙ୍କୁ ସଚେତନ କରିଥିଲେ । କୋରୋନା ମହାମାରୀ ସମୟରେ ମଧ୍ୟ ଉଜ୍ବଳା ଦିଦିମାନେ ଘରକୁ ଘର ବୁଲି କାମ କରିଥିଲେ ଏବଂ କେନ୍ଦ୍ର ସରକାରଙ୍କ ଯୋଜନାକୁ ଲୋକାଭିମୁଖୀ କରିଥିଲେ । 

ଏହା ମଧ୍ୟ ପଢ଼ନ୍ତୁ....ଉଜ୍ବଳା ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲେ ଉଜ୍ବଳା ଦିଦି, ଆର୍ଥିକ ଅନୁଦାନ ଦେବାକୁ ଦାବି

ପ୍ରଥମେ  କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ଉଜ୍ବଳା ଦିଦିମାନଙ୍କୁ ମାସକୁ ୫ ହଜାର ଟଙ୍କା ଲେଖାଏଁ ଦିଆଯିବ ଏବଂ ପ୍ରତ୍ୟେକ ସଂଯୋଗ ପାଇଁ  ୫୦ରୁ ୧୦୦ ଟଙ୍କା ପ୍ରଦାନ କରାଯିବ ଏବଂ ପ୍ରତିଦିନ ପ୍ରତ୍ୟେକ ସିଲିଣ୍ଡର ରିଫିଲିଂ ପାଇଁ ୨୦ ଟଙ୍କା ଲେଖାଏଁ ଦିଆଯିବ ବୋଲି କୁହାଯାଇଥିଲା । କିନ୍ତୁ ପ୍ରତିଶ୍ରୁତି କୌଣସି ଭାବରେ ପାଳନ କରାଯାଇନଥିବା ନେଇ ଅଭିଯୋଗ କରିଛନ୍ତି ଉଜ୍ବଳା ଦିଦି । ତେବେ ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିବା ସାମଗ୍ରୀ ବଦଳରେ କେବଳ ଏକ କମ ଦାମର ମୋବାଇଲ ଓ ତିନି ଦିନର ତାଲିମ ପାଇଁ ୯୦୦ ଟଙ୍କା  ହିଆଯାଇଥିବା ଉଜ୍ବଳା  ଦିଦିମାନେ ଅଭିଯୋଗ କରିଛନ୍ତି । ଏବେ ପୁଣି ଉଜ୍ଜ୍ୱଳା ୨୦୨୩ ନାମରେ ନୂତନ ଉଜ୍ବଳା ଦିଦି ନିଯୁକ୍ତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଯେଉଁଠି କେନ୍ଦ୍ର ସରକାର ପୁରୁଣା ନିଯୁକ୍ତି ହୋଇଥିବା ଦିଦିଙ୍କୁ ଅବହେଳା କରୁଛନ୍ତି ସେଠାରେ କିଭଳି ଭାବରେ ପୁଣି ନୂଆ ନିଯୁକ୍ତି ଦେବେ ବୋଲି  ଉଜ୍ବଳା ଦିଦି ମନେ ଅଭିଯୋଗ କରିଛନ୍ତି । ଏହାକୁ ନେଇ  କିଛିଦିନ ଆଗରୁ ଭୁବନେଶ୍ବରରେ ଆନ୍ଦୋଳନକୁ ଓହ୍ଲାଇଥ‌ିବା ବେଳେ ପୁଣି ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ତେବେ କେନ୍ଦ୍ର ସରକାର ସଠିକ ଭାବରେ ପ୍ରତିଶ୍ରୁତି ଅନୁଯାୟୀ ବ୍ୟବସ୍ଥା ଯୋଗାଇ ନଦେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବା ନେଇ କହିଛି ଉଜ୍ବଳା ଦିଦି ସଂଘ ।

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.