ପ୍ରତିଶୃତି ପୂରଣ କରିବାକୁ ଭୁଲିଗଲେ ସରକାର, ରାଜ ରାସ୍ତାରେ ଗର୍ଜିଲେ ଆଉଟସୋର୍ସିଂ କର୍ମଚାରୀ

By

Published : Jun 24, 2023, 6:37 PM IST

thumbnail

ଭବାନୀପାଟଣା: ପ୍ରତିଶୃତି ପରେ ଦାବି ପୂରଣ ନହେବାରୁ ପୁଣି ରାଜରାସ୍ତାକୁ ଓହ୍ଲାଇଲେ ଆଉଟସୋର୍ସିଂ କର୍ମଚାରୀ । ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଆଉଟସୋର୍ସିଂ କର୍ମଚାରୀ ନିଜ ହକ ଦାବିରେ ରାଜ୍ୟବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ଆଉଟସୋର୍ସିଂ କର୍ମଚାରୀ ସଂଘ ପକ୍ଷରୁ ସ୍ଥାୟୀ ନିଯୁକ୍ତି ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଭବାନୀପାଟଣା ସହରରେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଧାରଣା ଦେଇଥିଲେ । ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଗତ ନଭେମ୍ବର ୨୬ ତାରିଖ ୨୦୨୨ରେ ମଧ୍ୟ ଭୁବନେଶ୍ୱର ଗାନ୍ଧୀମାର୍ଗଠାରେ ସଂଘ ପକ୍ଷରୁ ଧାରଣା ଓ ଆନ୍ଦୋଳନ ଅନୁଷ୍ଠିତ ହୋଇଥିଲା । ସରକାର ସଙ୍ଘର କର୍ମକର୍ତ୍ତା ମାନଙ୍କୁ ଡାକି ଆଲୋଚନା କରିବା ସହ ଗୋଟିଏ ମାସ ସମୟ ମାଗିଥିଲେ । ଗୋଟିଏ ମାସ ବିତିଲା ପରେ ପୁଣି ଆନ୍ଦୋଳନ ହେଲା ଏବଂ ସରକାର ପୁଣି ଗୋଟିଏ ମାସ ସମୟ ମାଗିଥିଲେ । ଦୀର୍ଘ ଦୁଇମାସ ବିତି ଯାଇଥିଲେ ବି ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ସେମାନଙ୍କ ଦାବିକୁ କର୍ଣ୍ଣପାତ ନ କରିବାରୁ ପୁଣି ଆନ୍ଦୋଳନ ତେଜିବାରେ ଲାଗିଛି । ଏଥର ଦାବି ପୂରଣ ନ ହେଲେ ଗାନ୍ଧୀମାର୍ଗ ନୁହେଁ ବରଂ ସିଧାସଳଖ ନବୀନ ନିବାସ ଘେରାଉ କରାଯିବ ବୋଲି ସଂଘ ଚେତାବନୀ ଦେଇଛି ।

ଇଟିଭି ଭାରତ, କଳାହାଣ୍ଡି 

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.