ଆଜି ମହାଅଷ୍ଟମୀ, ମହିଷା ମର୍ଦ୍ଧିନୀ ବେଶରେ ଦର୍ଶନ ଦେଉଛି ମା ସୁରେଶ୍ବରୀ

By ETV Bharat Odisha Team

Published : Oct 22, 2023, 12:27 PM IST

thumbnail

ସୋନପୁର: ଜାରି ରହିଛି ନବରାତ୍ରୀ । ଆଜି ଶୁକ୍ଲ ଅଷ୍ଟମୀ ତିଥିରେ ଇଷ୍ଟଦେବୀ ମା ସୁରେଶ୍ବରୀ ମହିଷା ମର୍ଦ୍ଧିନୀ ବେଶ ଧାରଣ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆସନ୍ତାକାଲି ଶୁକ୍ଳ ନବମୀ ତିଥିରେ ଦେବୀ ମା ଧୂମାବତୀ ବେଶ ଧାରଣ କରିବେ । ପୂର୍ବରୁ ଅମାବାସ୍ୟା ତିଥିରେ ଧବଳମୁଖୀ, ଶୁକ୍ଳ ପ୍ରତିପଦ ତିଥିରେ ମହାକାଳୀ, ଦ୍ବିତୀୟାରେ ତାରା, ତୃତୀୟାରେ ଷୋଡ଼ଶୀ ବା ତ୍ରୀପୁରା ସୁନ୍ଦରୀ ,ଚତୁର୍ଥୀରେ ଭୈରବୀ, ପଞ୍ଚମୀରେ ଭୂବନେଶ୍ବରୀ, ଷଷ୍ଠୀରେ ବଗଳା, ସପ୍ତମୀରେ ଜୟଦୁର୍ଗା ବେଶ ଧାରଣ କରି ଦର୍ଶନ ଦେଇଥିଲେ । ରକ୍ତମୁଖା ଦେବୀ ମା ସୁରେଶ୍ବରୀଙ୍କ ସଶରୀର ତମାମ ବର୍ଷ ସିନ୍ଦୁର ପ୍ରଲେପ କରାଯାଉଥିବା ବେଳେ ଏବେ ମାଙ୍କୁ ଅଗୁର, ଚନ୍ଦନ, କର୍ପୁର, ଗଙ୍ଗା ଜଳ ଆଦି ପ୍ରଲେପ କରାଯାଇ ଭିନ୍ନ ଭିନ୍ନ ବେଶ କରାଯାଉଛି । ସକାଳୁ ସକାଳୁ ଦେବୀ ପୀଠରେ ମାଙ୍କ ମହିଷା ମର୍ଦ୍ଧିନୀ ବେଶ ଦର୍ଶନ କରିବା ସହିତ ଦେବୀ କୃପା ଲାଭ କରିବାକୁ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ହଜାର ହଜାର ଶ୍ରଦ୍ଧାଳୁ ଗତ 10 ତାରିଖରୁ ଆରମ୍ଭ ହୋଇଥିବା ସପ୍ତସତୀ ଚଣ୍ଡୀ ମହାଯଜ୍ଞରେ ସାମିଲ ହୋଇ ଦୀପ ଯଜ୍ଞରେ ସାମିଲ ହେଉଛନ୍ତି । ତମାମ ଦିନ ପ୍ରାୟ ଆଠ ଘଣ୍ଟା ଯାଏଁ ଚଣ୍ଡୀପାଠ କରାଯାଉଥିବା ବେଳେ ଦେବୀ ମା ସୁରେଶ୍ବରୀଙ୍କ ନାଁରେ ଆହୂତି ପ୍ରଦାନ କରାଯାଉଛି । ପ୍ରାତଃରେ ବାଳଭୋଗ ଯଜ୍ଞ ତଥା ମଧ୍ୟାନ୍ନରେ ଶ୍ରଦ୍ଧାଳୁମାନେ ଦେବୀଙ୍କ ପୀଠରେ ଅନ୍ନଯଜ୍ଞରେ ନିଜକୁ ସାମିଲ କରି ଦେବୀକୃପା ସାଉଁଟିବାର ସୁଯୋଗ ନେଉଛନ୍ତି । ପ୍ରତିଦିନ ସଂଧ୍ୟାରେ ଦେବୀ ପୀଠରେ ଆରତୀ ସହତି ଦେବୀ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ ହେଉଛି । ଦେବୋତ୍ତର ବିଭାଗ, ମନ୍ଦିର କମିଟି, ବଳିଯାତ୍ରା କମିଟି ପକ୍ଷରୁ ସଂଧ୍ୟାରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜି ସହରର ଖମ୍ବେଶ୍ବରୀ ମନ୍ଦିରରେ ମହାବଳି ପର୍ବ ଆୟୋଜନ ହେବାକୁ ଥିବା ବେଳେ ଦେବୀ ମା' ସୁରେଶ୍ବରୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବା ନେଇ ଆଶା କରାଯାଉଛି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.