Watch: ଗାଁ ପାଖରେ ବୁଲୁଛି କଲରାପତରିଆ ବାଘ, ଛାନିଆ ଲୋକେ

By ETV Bharat Odisha Team

Published : Sep 29, 2023, 2:53 PM IST

thumbnail

ସୁବର୍ଣ୍ଣପୁର: ଗାଁ ପାଖରେ ବୁଲୁଛି ବାଘ । ୩ରୁ ୪ ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲାର ସିଂହାସନ ଜଙ୍ଗଲ ପାଦଦେଶରେ ଚଡେଇପଙ୍କ ଗାଁ ନିକଟରେ ଗୋଟିଏ କଲରାପତରିଆ ବାଘ ବିଚରଣ କରୁଛି । ବାଘ ବୁଲୁଥିବାର ଦୃଶ୍ୟକୁ ଜଣେ ଚାଷୀ ୫୦୦ ମିଟର ଦୂରରୁ ନିଜ ମୋବାଇଲରେ ଉତ୍ତୋଳନ କରିଛନ୍ତି । ବାଘଟି ଧାନ କ୍ଷେତର ହିଡରେ ଚାଲୁଥିବାର ଭିଡିଓରେ ଦେଖିବାକୁ ମିଳୁଛି । ଏହାକୁ ନେଇ ପୁରା ଗାଁରେ ଭୟ ଓ ଆତଙ୍କର ବାତବରଣ ଖେଳିଯାଇଛି । ଆଖପାଖ ଗାଁର ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି  ।

ବାଘଟି କ୍ଷେତ ହିଡରେ ଚାଲି ଚାଲି ଯାଉଥିବା ବେଳେ ଚାଷୀଙ୍କ ନଜର ପଡିଥିଲା । ସେ ସାହାସ ଜୁଟାଇ ତା'ର ଭିଡିଓ ଉତ୍ତୋଳନ କରି ଧାନ କ୍ଷେତରେ କାମ କରୁଥିବା ଅନ୍ୟ ଚାଷୀମାନଙ୍କୁ ଦେଖାଇଥିଲେ । ଏହାପରେ ଚାଷୀମାନେ ଚାଷ ଜମିରୁ ଫେରି ବାଘ ବୁଲୁଥିବା ଘଟଣା ଉଲୁଣ୍ଡା ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟକୁ ଜଣାଇଥିଲେ । ତେବେ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାଘଟିକୁ ଜଙ୍ଗଲ ଆଡକୁ ଘଉଡାଇଥିବା ଜଣାପଡିଛି । ହେଲେ ଏହି ଘଟଣାକୁ ନେଇ ଉଲୁଣ୍ଡା ବ୍ଳକର ପ୍ରାୟ ଚାରୋଟି ପଞ୍ଚାୟତର ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଛି । ସିଂହାସନ ଜଙ୍ଗଲ ପାଦଦେଶରେ ଥିବା ଗ୍ରାମବାସୀମାନେ ଅପରାହ୍ନ ପରଠୁ ଆଉ ଘରୁ ବାହାରୁ ନାହାନ୍ତି । ସମସ୍ତେ ଘରେ ତାଟି କବାଟ ଦେଇ ରହୁଛନ୍ତି ।

ଏହାମଧ୍ୟ ପଢନ୍ତୁ: Watch: ଅରଡ ଗାଁରେ ବୁଲୁଛି ବାଘ ଭଳି ଦେଖା ଯାଉଥିବା ଜନ୍ତୁ, ଦ୍ବନ୍ଦରେ ଲୋକେ

ଗତ ପ୍ରାୟ ବର୍ଷକ ତଳେ ସିଂହାସନ ଜଙ୍ଗଲରେ ଏକ କଲରାପତରିଆ ବାଘ ଶିକାର କରାଯାଇଥିଲା । କିଛି ଦୁର୍ବୃତ୍ତ ଶିକାର କରାଯାଇଥିବା ବାଘର ଛାଲ, ନଖ ଓ ଦାନ୍ତ ନେଇ ଯାଇଥିଲେ । ଏହି ଘଟଣାରେ ବନ ବିଭାଗ ୬ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିବା ସହିତ ବାଘ ନଖ, ଦାନ୍ତ ଓ ଚମଡା ଜବତ କରିଥିଲା । ଶିକାରୀମାନେ ବାର୍‌ହା ଶିକାର ପାଇଁ ହାଇ ଭୋଲଟେଜ ବିଦ୍ୟୁତ ତାର ବିଛାଉଛନ୍ତି । ହେଲେ ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କେତେବେଳେ ମଣିଷର ମୃତ୍ୟୁ ହେଉଛି ତ କେତେବେଳେ ବାଘ ପରି ବିରଳ ବନ୍ୟପ୍ରାଣୀ ଆଖି ବୁଜୁଛି । ତେଣୁ ବନ୍ୟଜନ୍ତୁର ସୁରକ୍ଷା ଦିଗରେ ବନ ବିଭାଗ ଧ୍ୟାନ ଦେବା ଜରୁରୀ ହୋଇପଡିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.