ବାବା ଆଖଣ୍ଡଳମଣି ମନ୍ଦିରରେ ମହାଶିବରାତ୍ରି, ଜାଗର ଯାତ୍ରା ଅନୁଧ୍ୟାନ କଲେ ଜିଲ୍ଲାପାଳ

By

Published : Feb 18, 2023, 10:28 PM IST

thumbnail

ଭଦ୍ରକ: ଆଜି ପବିତ୍ର ମହାଶିବରାତ୍ରି ଅବସରରେ ପୁରାଣ ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚଳଚଞ୍ଚଳ ହୋଇ ଉଠିଛି ।  ମହାଶିବରାତ୍ରି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଏବଂ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ଅବସରରେ କିଭଳି ରହିଛି ପ୍ରଶାସନିକ ବ୍ୟବସ୍ଥା, ତାକୁ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବନ୍ଦର ନିଜେ ପ୍ରତ୍ୟକ୍ଷ ଭାବେ ଅନୁଧ୍ୟାନ କରିଛନ୍ତି । ରାତି ୧୨ଟାରେ ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ସୁନାବେଶ ସାଜସଜ୍ଜା ଆରମ୍ଭ ସହ ଭୋର ୪.୩୦ମିନିଟରୁ ୫ଟା ଭିତରେ ମହାଦୀପ ଉଠିବ ।

ଜିଲ୍ଲା ପ୍ରଶାସନ ପକ୍ଷରୁ ୧୮ଜଣ ମାଜିଷ୍ଟ୍ରେଟଙ୍କୁ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି । ଆରଡ଼ି ପୀଠକୁ ସଂଯୋଗ କରୁଥିବା ଆରଡ଼ି ଘାଟ, ମୁଆଁ ଘାଟ ଓ ତିନିତର ଘାଟରେ ପଡ଼ୋଶୀ ଜିଲ୍ଲାର ଶ୍ରଦ୍ଧାଳୁଙ୍କୁ ଡଙ୍ଗାରେ ପାରି ହେବାକୁ ପଡିବ । ଅଧିକ ଯାତ୍ରୀଙ୍କୁ ଡଙ୍ଗାରେ ପାରି ନକରିବା ପାଇଁ ସମସ୍ତ ୩ଟି ଯାକ ଘାଟରେ ମାଜିଷ୍ଟ୍ରେଟ ପାହ୍ୟାର ଅଫିସର ମୁତୟନ ରହିଛନ୍ତି । ସୂର୍ଯ୍ୟାସ୍ତ ପରେ ସମସ୍ତ ଘାଟରେ ଯାତ୍ରୀ ପରିବହନ ବନ୍ଦ ରହିବ । ପୂର୍ବରୁ ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇଛି । ଶ୍ରଦ୍ଧାଳୁଙ୍କ ପାଇଁ ୧୫ଟି ସିନ୍ଥେଟିକ ଟ୍ୟାଙ୍କ ସହ ବିଭିନ୍ନ ସ୍ଥାନରେ ମୋବାଇଲ ଟଏଲେଟ ମାନ ବ୍ୟବସ୍ଥା କରାଯାଇଛି ।  

ତେବେ ସମସ୍ତ ପ୍ରସ୍ତୁତି କିପରି ରହିଛି ସେ ନେଇ ଭଦ୍ରକ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବନ୍ଦର ଅନୁଧ୍ୟାନ କରିବା ପରେ ସବୁ ସୁଚାରୁ ରୂପେ ପରିଚାଳିତ ହେଉଛି ବୋଲି କହିଛନ୍ତି । ପୀଠରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ଗତ ୨ ବର୍ଷ ହେଲା ମହାମାରୀ କୋରୋନା ପାଇଁ କଟକଣା ରହିଥିବାରୁ ଭକ୍ତମାନେ ଦର୍ଶନରୁ ବଞ୍ଚିତ ରହିଥିଲେ। ଚଳିତ ଜାଗର ଯାତ୍ରା ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହେଉଛି । ଏଥିପାଇଁ ପାନୀୟଜଳ, ସ୍ବାସ୍ଥ୍ୟ, ପରିମଳ, ଆଲୋକ ଆଦିର ସୁବ୍ୟବସ୍ଥା କରିବା ପାଇଁ ଜାଗର ଯାତ୍ରା ପୂର୍ବରୁ ଜିଲ୍ଲାପାଳ ସମସ୍ତ ବିଭାଗର ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।  

ଏହା ବି ପଢନ୍ତୁ- ଜାଗର ପାଇଁ ଚଳଚଞ୍ଚଳ ଆଖଣ୍ଡଳମଣି ପୀଠ, 4.30ରେ ଉଠିବ ମହାଦୀପ

ସେହିପରି ନଦୀ ଘାଟରେ ମଟର ଡଙ୍ଗା ଦ୍ବାରା ପାରି ହୋଇ ଆସୁଥିବ ଯାତ୍ରୀମାନେ ଯେପରି ସୁଚାରୁ ରୂପେ ଯାତାୟତ କରିବେ ସେଥିପାଇଁ ଉଭୟ ନଦୀ ଘାଟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀ ମୁତୟନ ରହିବା ନେଇ ଜିଲ୍ଲାପାଳ ବହୁ ପୂର୍ବରୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଯାହାକି ଠିକଠାକ ହୋଇଛି ବୋଲି ଜିଲ୍ଲାପାଳ ଅନୁଧ୍ୟାନ ପରେ କହିଛନ୍ତି। ସେହିପରି ସ୍ଥଳ ପଥରେ ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି କରିବା ସହ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପୋଲିସ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଛି।  

ଏହାସହ ମନ୍ଦିର ଭିତରେ ଓ ବାହାରେ ଉଚ୍ଚ ପ୍ରଦାଧିକାରୀଙ୍କ ସହ ବହୁ ପୋଲିସ ମୁତୟନ ରହିଛନ୍ତି। ତେବେ ଚାରି ପ୍ରହର ପୂଜା ସମାପନ ହେବା ପରେ ବିଳମ୍ବିତ ମଧ୍ୟ ରାତି ୧୨ଟାରେ ବାବା ଆଖଣ୍ଡଳମଣିଙ୍କ ପ୍ରସିଦ୍ଧ ସୁନାବେଶ ସାଜସଜ୍ଜା ଆରମ୍ଭ ହେବ। ରାତି ପ୍ରାୟ ୧ଟା ୩୦ମିନିଟରେ ଏହି ସୁନାବେଶ ସାଜସଜ୍ଜା କାର୍ଯ୍ୟ ସମ୍ପନ୍ନ ହେବ ବୋଲି ସୂଚନା ମିଳିଛି। ପରେ ଏହି ଦୁର୍ଲଭ ସୁନାବେଶ ଦୃଶ୍ୟକୁ ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁଙ୍କୁ ସୁଯୋଗ ମିଳିବ। ଇତିମଧ୍ୟରେ ମହାଦୀପ ପ୍ରସ୍ତୁତି ପାଇଁ ମାଟି ପଲମ ସହ ଅନ୍ୟ ସାମଗ୍ରୀ ସେବାକାରୀଙ୍କ ପକ୍ଷରୁ ମନ୍ଦିରରେ ପହଞ୍ଚିବ ବୋଲି ଜଣାପଡିଛି।  

ରାତ୍ର ୨ଟା ମହାଦୀପ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇ ରାତ୍ର ୩ଟା ୧୫ମିନିଟ ସମୟରେ ମହାଦୀପକୁ ଷୋଡଶ ଉପଚାରରେ ପୂଜା କରିବା ପରେ ପ୍ରତିଷ୍ଠା କରାଯାଇ ମହାଦୀପରେ ଅଗ୍ନ ସଂଯୋଗ କରିବା ପରେ ସ୍ଵତନ୍ତ୍ର ମହା ଶିବରାତ୍ରି ଯଜ୍ଞ ଅନୁଷ୍ଠିତ ହେବ। ଏହାପରେ ଭୋର ୪ଟାରେ ମହାଦୀପ ମନ୍ଦିର ବେଢା ପରିକ୍ରମା କରିବା ପରେ ଭୋର ୪.୩୦ମିନିଟରୁ ୫ଟା ଭିତରେ ମହାଦୀପ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଚୂଡାରେ ସ୍ଥାପନ କରାଯିବ ବୋଲି ସୂଚନା ମିଳିଛି।  

ଇଟିଭି ଭାରତ, ଭଦ୍ରକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.