thumbnail

Ganja Bans in shiva Temple: ସ୍ବାଗତ କଲେ ବାବା ବଳିଆ, ତଥାଗତ କହିଲେ ଓଡ଼ିଆ ପରମ୍ପରା ବିରୋଧୀ

By

Published : May 24, 2023, 10:04 AM IST

ପୁରୀ: ରାଜ୍ୟର ସମସ୍ତ ଶୈବପୀଠରେ ଗଞ୍ଜେଇ ନିଷିଦ୍ଧ କରିବା ନେଇ ସରକାରଙ୍କ ପଦକ୍ଷେପକୁ ସ୍ଵାଗତ କରିଛନ୍ତି ପଦ୍ମଶ୍ରୀ ବାବା ବଳିଆ । ବଢୁଥିବା ଗଞ୍ଜେଇ ବ୍ୟବହାରକୁ ରୋକିବା ପାଇଁ ପୂର୍ବରୁ ରାଜ୍ୟ ସଂସ୍କୃତି ବିଭାଗକୁ ଚିଠି ମଧ୍ୟ ଲେଖିଥିଲେ ବାବା ବଳିଆ । ଏହି ଦିଗରେ ସରକାର ପଦକ୍ଷେପ ନେଇଥିବା ବେଳେ ଅନ୍ୟ ନିଶାଦ୍ରବ୍ୟ ଯଥା ଚରସ, ଗୁଟଖା ଓ ମଦକୁ ମଧ୍ୟ ବ୍ୟାନ କରାଯିବାର ଆବଶ୍ୟକତା ରହିଛି ବୋଲି ବାବା ବଳିଆ ମତ ରଖିଛନ୍ତି । ଭଗବାନ ଶିବଙ୍କ ନାଁରେ ନିଶା ଦ୍ରବ୍ୟ ଆପଣାଇବାକୁ ଗ୍ରହଣ କରାଯିବ ନାହିଁ ବୋଲି ସେ କହିଛନ୍ତି । ଏହାସହ ପୁରା ରାଜ୍ୟରୁ ନିଶା ହଟିବା ଦରକାର ବୋଲି ଦାବି କରିଛନ୍ତି ବାବା ବଳିଆ । ସେପଟେ ଏହି ନିଷ୍ପତ୍ତି ଓଡ଼ିଆ ପରମ୍ପରା ବିରୋଧୀ ବୋଲି କହିଛନ୍ତି ବରିଷ୍ଠ ନେତା ତଥାଗତ ସତପଥୀ ।

ବାବା ବଳିଆ କହିଛନ୍ତି, "ଗଞ୍ଜେଇକୁ ପ୍ରସାଦ କହି ଆପଣାଉଥିବା ଲୋକେ ଉପକାରୀ ବେଲପତ୍ରକୁ ନିତ୍ୟ ଗ୍ରହଣ କରିବା ଉଚିତ୍‌ । ଶିବ ନାମର ଗଞ୍ଜେଇ ବ୍ୟବହାର ସଂସ୍କାରକୁ ଅପସଂସ୍କୃତି ଭାବରେ ଗଢି ତୋଳିଛି । ଯାହାର ବନ୍ଦ ହେବାର ଆବଶ୍ୟକତା ରହିଥିଲା ।" ଆହୁରି ମଧ୍ୟ ନିଶା ବିରୋଧରେ ପତ୍ର ମାଧ୍ୟମରେ ସ୍ବର ଉତ୍ତୋଳନ ଜାରି ରଖିବେ ବୋଲି କହିଛନ୍ତି ବାବା ବଳିଆ । 

ସେପଟେ ଗଞ୍ଜେଇ, ଭାଙ୍ଗ ଶିବଙ୍କ ପାଖରେ ଭୋଗ ଭାବରେ ଲାଗି ହୁଏ ବୋଲି ଯେଉଁମାନେ କହୁଛନ୍ତି, ଏହା କୁସଂସ୍କାର ବୋଲି ବାବା ବଳିଆ କହିଛନ୍ତି । ସେ କହିଛନ୍ତି, "ପୂର୍ବରୁ ଆମ ଦେଶରେ ଅନେକ କୁସଂସ୍କାର ଥିଲା । ନର ବଳୀ, ସତୀଦାହ ପ୍ରଥା ଆଉ ନାହିଁ । ସମୟ କ୍ରମେ ଏହା ବଦଳିଛି । ଏଣୁ ସବୁ କୁସଂସ୍କାରକୁ ଆମେ ତ୍ୟାଗ କରିବା ଉଚିତ୍ । ଗଞ୍ଜେଇ ଅତି ମାରାତ୍ମକ । ଏହା ବ୍ୟକ୍ତିର ଲିଭର ଖରାପ କରିବା ସହ ବ୍ରେନ୍ ଷ୍ଟ୍ରୋକ, କ୍ୟାନ୍ସରର କାରଣ ହୋଇଥାଏ । ଅନେକ ଯୁବପୀଢ଼ି ଗଞ୍ଜେଇକୁ ଠାକୁରଙ୍କ ଭୋଗ ମନେକରି ସେବନ କରନ୍ତି । ଏହାଦ୍ବାରା ସମାଜର ଯୁବବର୍ଗ ନିଶାଗ୍ରସ୍ତ ହେବାସହ ଦେଶ ଓ ସମାଜର ଅଧୋପତ୍ତନ ହେଉଛି ।" କେବଳ ସେତିକି ନୁହେଁ, ଶ୍ରୀକ୍ଷେତ୍ରର ପବିତ୍ରତା ରକ୍ଷା ପାଇଁ ବଡ଼ଦାଣ୍ଡରେ ଆମିଷ ବିକ୍ରି ଉପରେ ନିଷିଦ୍ଧ ନିୟମ ଲାଗୁ ହେବା ଉଚିତ୍ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.