ଦୁଇ ଦିନିଆ କଟକ ଜିଲ୍ଲା ଗସ୍ତରେ 5T ସଚିବ: କେଉଁଠି ସମ୍ବର୍ଦ୍ଧନା, କେଉଁଠି ବିରୋଧ

By

Published : Aug 8, 2023, 10:16 PM IST

thumbnail

କଟକ: ରାଜ୍ୟ ପ୍ରଶାସନ କ୍ଷେତ୍ରରେ ମଙ୍ଗ ଧରିଥିବା ପ୍ରଶାସକ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭିକେ ପାଣ୍ଡିଆନ ଆଜି ଦୁଇ ଦିନିଆ କଟକ ଜିଲ୍ଲା ଗସ୍ତ ଆରମ୍ଭ କରିଛନ୍ତି । ରାଜ୍ୟର ପ୍ରାୟ ୨୪ଟି ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପ ଅଜାଡ଼ି ଦେଇଥିବା 5T ସଚିବ ଭିକେ ପାଣ୍ଡିଆନ ଆଜି କଟକ ଗସ୍ତ ଆରମ୍ଭ କରିଥିଲେ । ଏହି ଦୁଇ ଦିନିଆ ଗସ୍ତରେ କଟକ ସହର ସମେତ ସମସ୍ତ ବ୍ଲକର ଜନସାଧାରଣଙ୍କ ସୁଖଦୁଃଖ ବୁଝିବା ସହ ବିଭିନ୍ନ ଦାବି ସମ୍ପର୍କରେ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ 5T ସଚିବ ।

ତେବେ ଏହି ଗସ୍ତ ମଧ୍ୟରେ କଟକ ଚୌଦ୍ବାରଠାରେ ପାଣ୍ଡିଆନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ମିଳିଥିବାବେଳେ କିଛି ଅଞ୍ଚଳରେ ତାଙ୍କୁ ବିରୋଧୀ ଦଳ ଓ ସମାଜସେବୀମାନଙ୍କ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଅନ୍ୟପଟେ ବିଜେପି ନେତା ଓ କର୍ମୀ 5T ସଚିବଙ୍କ ଗସ୍ତକୁ ବିରୋଧ କରି କଳା ପତାକା ଦେଖାଇଥିଲେ । ପାଣ୍ଡିଆନଙ୍କ ଏହି ଗସ୍ତରେ ସଭାସ୍ଥଳରେ ହଜାର ହଜାର ଜନସାଧାରଣ ମଧ୍ୟ ଯୋଗ ଦେଇଥିଲେ । ଚୌଦ୍ବାର ଗୋପବନ୍ଧୁ ନୋଡାଲ ସ୍କୁଲ ପ୍ରାଙ୍ଗଣରେ ଆୟୋଜିତ ଏକ ସମାବେଶରେ 5T ସଚିବ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ଚୌଦ୍ବାର ଅଞ୍ଚଳର ହୃତ ଗୌରବ ଫେରାଇ ଆଣିବା ସହ ଏଠାରେ ପୁଣି ଶିଳ୍ପ ପ୍ରତିଷ୍ଠା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଓଟିଏମ୍‌, ବଲାରପୁର ଭଳି ଶିଳ୍ପ ଏଠାରେ କାର୍ଯ୍ୟକ୍ଷମ ହେବା ସହ ଅବଶିଷ୍ଟ ୫୦ ଏକର ଜମିରେ ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଥିଲେ । ଏଥିପାଇଁ ଜନସଧାରଣଙ୍କ ସହଯୋଗ କାମନା କରିଥିଲେ ।

ସେପଟେ କଟକ ବଡ଼ମ୍ବା ଓ ନରସିଂହପୁର ଗସ୍ତ କରିଥିଲେ 5T ସଚିବ ଭିକେ ପାଣ୍ଡିଆନ । ନରସିଂହପୁର ମିନି ଷ୍ଟାଡିଅମଠାରେ ଜନଶୁଣାଣି ସଭା ଅନୁଷ୍ଠିତ ହୋଇଥିଲା । ଏହାପରେ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କରିଥିଲେ ଏବଂ ଡାଇଲିସିସ ସେଣ୍ଟର ପରିଦର୍ଶନ କରି ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମୋ ଡାକ୍ତରଖାନାରେ ଅନ୍ତର୍ଭୁକ୍ତ କରି ପ୍ରାୟ ୫ କୋଟି ଟଙ୍କା ମଞ୍ଜୁର କରାଯିବ ବୋଲି କହିଛନ୍ତି 5T ସଚିବ । ଏହାପରେ ମାହାଙ୍ଗା ନିଶ୍ଚିତକୋଇଲିରେ ପହଞ୍ଚିଥିଲେ 5T ସଚିବ ଭିକେ ପାଣ୍ଡିଆନ । ପହଞ୍ଚିବା କ୍ଷଣି ହୁଳହୁଳିରେ କମ୍ପିଥିଲା ସମଗ୍ର ଅଞ୍ଚଳ । ସଚିବ ସେଠାରେ ଫହଞ୍ଚିବା ପରେ ଲୋକମାନଙ୍କ ସହ ମିଶିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତା ଲୋକ ମାନଙ୍କ ନିକଟରେ ପହଞ୍ଚାଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଆଠଗଡ଼ରେ 5T ସଚିବ; କଳା ପତକା ଦେଖାଇ ବିରୋଧ କଲା ବିଜେପି

ଏଠାକାର RMC ଗ୍ରାଉଣ୍ଡରେ ହଜାର ହଜାର ଜନ ସାଧାରଣ ଉପସ୍ଥିତ ରହିଥିଲେ । ଏହି ସମୟରେ ଲୋକମାନଙ୍କ ବିଭିନ୍ନ ଅଭିଯୋଗ ପତ୍ର ଗ୍ରହଣ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ ଯୋଜନାକୁ ଲୋକଙ୍କ ପାଇଁ ଉତ୍ସର୍ଗ କରିଥିଲେ ଭିକେ ପାଣ୍ଡିଆନ । 5T ସଚିବଙ୍କର ଏହି ଦୁଇ ଦିନିଆ କଟକ ଜିଲ୍ଲା ଗସ୍ତ ମଧ୍ୟରେ ଆହୁରି ଅନେକ ନିର୍ବାଚନ ମଣ୍ଡଳୀ ବୁଲିବାର କାର୍ଯ୍ୟକ୍ରମ ରହିଛି । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, କଟକ

ABOUT THE AUTHOR

author-img

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.