ETV Bharat / sukhibhava

Menstrual Pain Leave: ଋତୁସ୍ରାବରେ ମିଳିବ ଛୁଟି ! ଆବେଦନକୁ ଗୁରୁତ୍ବ ଦେଲେ ସୁପ୍ରିମକୋର୍ଟ

author img

By

Published : Feb 16, 2023, 10:46 AM IST

ଆସନ୍ତା 24ରେ ହବ କାର୍ଯ୍ୟରତ ମହିଳା ଓ ଛାତ୍ରୀଙ୍କୁ ମାସିକ ଋତୁସ୍ରାବ ଯନ୍ତ୍ରଣା(ପିରିୟଡ୍ସ ପେନ୍)ରେ ଛୁଟି ଦେବା ଆବଦେନର ଶୁଣାଣି । ଅଧିକ ପଢନ୍ତୁ

supreme court
supreme court

ନୂଆଦିଲ୍ଲୀ: କାର୍ଯ୍ୟରତ ମହିଳା ଓ ଛାତ୍ରୀଙ୍କୁ ମାସିକ ଋତୁସ୍ରାବ ଯନ୍ତ୍ରଣା(ପିରିୟଡ୍ସ ପେନ୍)ରେ ଛୁଟି ଦେବା ଆବେଦନକୁ ଗୁରୁତର ସହ ନେଲେ ସର୍ବୋଚ୍ଚ ନ୍ୟାୟାଳୟ । ଏ ସଂକ୍ରାନ୍ତୀୟ ଆବେଦନର ଶୁଣାଣି କରିବାକୁ ରାଜି ହୋଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତା 24ରେ ହେବ ଆବେଦନର ଶୁଣାଣି । ଖବର ଅନୁସାରେ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ସରକାର ଋତୁସ୍ରାବ ଯନ୍ତ୍ରଣା ପାଇଁ ଛୁଟି ଦେବାକୁ ସ୍ବତନ୍ତ୍ର ନିୟମ ଆଣିବାକୁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଆବେଦନ କରିଥିଲେ ।

ବୁଧବାର(ଫେବ୍ରୁଆରୀ 15)ରେ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ବାଧୀନ ଏକ ଖଣ୍ଡପୀଠ ଆବେଦନର ଜରୁରୀ ଶୁଣାଣି ପାଇଁ ତାଲିକାଭୁକ୍ତ କରିଛନ୍ତି । ଓକିଲ ଶୈଲେନ୍ଦ୍ର ମଣି ତ୍ରିପାଠୀଙ୍କ ଦ୍ବାରା ଦାଖଲ ହୋଇଥିବା ଏହି ପିଟିସନରେ କୁହାଯାଇଛି, "ଅଳ୍ପ କେତେକ ରାଜ୍ୟ ମାସିକ ଋତୁସ୍ରାବର ଯନ୍ତ୍ରଣା ପାଇଁ ଛୁଟି ଏବଂ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେଉଛନ୍ତି, କିନ୍ତୁ ସେମାନଙ୍କ ପ୍ରତିପକ୍ଷ ରାଜ୍ୟରେ ମହିଳାମାନେ ଏପର୍ଯ୍ୟନ୍ତ କୌଣସି ସୁବିଧା ପାଇ ନାହାଁନ୍ତି । ଏହା ଫଳରେ, ସମ୍ବିଧାନର ଧାରା 14ର ଉଲ୍ଲଘଂନ ହେଉଛି ।"

ଏହି ଆବେଦନରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, ବିହାର 1992ରେ ମହିଳା କର୍ମଚାରୀଙ୍କ ପାଇଁ ମାସିକ ଛୁଟି ଆରମ୍ଭ କରିଥିଲା, ମାତ୍ର ଏହି ନିୟମ ସବୁଠି ବର୍ତ୍ତମାନ ସୁଧା ଲାଗୁ କରାଯାଇ ପାରିନାହିଁ । ତଥାପି କିଛି ସଂଗଠନ ଏବଂ ରାଜ୍ୟ ଏଥିପ୍ରତି ଦୃଷ୍ଟି ଦେଇଛନ୍ତି । ଭାରତରେ ଅନେକ କମ୍ପାନୀ, ବିଶେଷକରି ଇଭିପାନନ୍, ଜୋମାଟୋ, ବାଇଜୁସ୍, ସ୍ବିଗି ଭଳି ଷ୍ଟାର୍ଟଅପ୍ କମ୍ପାନୀଗୁଡିକ ପେଡ୍ ପିରିୟଡ୍ସ ଲିଭ୍ ଅର୍ଥାତ୍ ଦେୟଯୁକ୍ତ ଛୁଟି ପ୍ରଦାନ କରୁଛନ୍ତି । ଆହୁରି ମଧ୍ୟ କୁହାଯାଇଛି ଯେ, ମାସିକ ଋତୁସ୍ରାବ ସମୟରେ ମହିଳାମାନେ ସମାନ ଶାରୀରିକ ଏବଂ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ହୋଇଥିଲେ ମଧ୍ୟ ଭାରତର ବିଭିନ୍ନ ରାଜ୍ୟରେ ସେମାନଙ୍କୁ ଭିନ୍ନ ଚିକିତ୍ସା କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:- ଖୁସି ଖବର, ମାସିକ ଋତୁସ୍ରାବ ସମୟରେ ଘରୁ କାମ କରିବେ ଏହି ରାଜ୍ୟର ମହିଳା

ଏହି ଆବେଦନରେ ଦର୍ଶାଯାଇଛି ଯେ, ବ୍ରିଟେନ, ଚୀନ୍, ଜାପାନ, ତାଇୱାନ, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ, ସ୍ପେନ୍ ଏବଂ ଜାମ୍ବିଆ ପୂର୍ବରୁ ମାସିକ ଋତୁସ୍ରାବ ଯନ୍ତ୍ରଣା ପାଇଁ ଛୁଟି ପ୍ରଦାନ କରୁଛନ୍ତି । କହି ରଖୁଛୁ ଯେ, ବର୍ତ୍ତମାନ ଶିକ୍ଷାନୁଷ୍ଠାନରେ ମାସିକ ଛୁଟି ଲାଗୁ କରିବାର କୌଣସି ଯୋଜନା ନାହିଁ ବୋଲି ନିକଟରେ କେନ୍ଦ୍ର ରାଷ୍ଟ୍ର ଶିକ୍ଷା ମନ୍ତ୍ରୀ ସୁଭାଷ ସାର୍କ ଲୋକସଭାରେ କହିଥିଲେ ।

ତେବେ ମହିଳାଙ୍କ ଋତୁସ୍ରାବ ପ୍ରକ୍ରିୟା ଏକ ମାସିକ ଧର୍ମ । ଏହି ସମୟରେ ତଳିପେଟ ଯନ୍ତ୍ରଣା, ବାନ୍ତି, ଶରୀର ପୀଡା ଭଳି ନାନା ଅସୁବିଧାର ସମ୍ମୁଖିନ ହୁଅନ୍ତି ମହିଳା । ଋତୁସ୍ରାବର ଏହି ପ୍ରକ୍ରିୟା ସମୟରେ ଦୈନନ୍ଦିନ କାର୍ଯ୍ୟକଳାପରେ ବାଧା ସୃଷ୍ଟି ହୁଏ ବୋଲି କ୍ଲିନିକାଲ୍ ଏଭିଡେନ୍ସ ହ୍ୟାଣ୍ଡବୁକ୍ ଦର୍ଶାଇଛି । ସେହିପରି ଲଣ୍ଡନ ୟୁନିଭରସିଟି କଲେଜ ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ମାସିକ ଋତୁସ୍ରାବ ସମୟରେ ଜଣେ ମହିଳା ହୃଦଘାତ ସମୟରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ, ଜଣେ ମହିଳା ଠିକ୍ ସମାନ ଯନ୍ତ୍ରଣା ଭୋଗିଥାନ୍ତି ।

ତେବେ ଦେଶର ପ୍ରତିଟି ନାରୀଙ୍କ ସୁବିଧା ନିମନ୍ତେ ବିଚାର ବିମର୍ଶ କରିବାକୁ ସୁପ୍ରିମକୋର୍ଟରେ ଜନସ୍ବାସ୍ଥ୍ୟ ମାମଲା ଆବେଦନ ହୋଇଛି । ସୁପ୍ରିମକୋର୍ଟ ଏହି ଆବେଦନ ଉପରେ କି ନିଷ୍ପତ୍ତି ନେଉଛନ୍ତି ତାହା ଆସନ୍ତା 24ରେ ସ୍ପଷ୍ଟ ହୋଇଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.