ETV Bharat / sukhibhava

Nipah Virus: କୋଜିକୋଡରେ 2ଜଣଙ୍କ ମୃତ୍ୟୁ ପରେ ସ୍ବାସ୍ଥ୍ୟ ବିଭାଗ ଆଲର୍ଟ, ଲକ୍ଷଣ ଦେଖି ଚିହ୍ନନ୍ତୁ ରୋଗ

author img

By ETV Bharat Odisha Team

Published : Sep 12, 2023, 10:27 AM IST

ନିପା ଭାଇରସ ପାଇଁ ଚର୍ଚ୍ଚାରେ ରହିଥିବା କେରଳରେ ପୁଣି ଫଣା ଟେକିଛି ଭାଇରସ । ନିପା ଭାଇରସରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଥିବା ବେଳେ ଆଲର୍ଟରେ ରହିଛି ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢ଼ନ୍ତୁ

Nipah Virus
Nipah Virus

ଥିରୁଅନନ୍ତପୁରମ: କେରଳରେ ପୁଣି ନିପା ଭାଇରସ ଆତଙ୍କ । କିଛି ଦିନର ବ୍ୟବଧାନ ପରେ ପୁଣି ସଂକ୍ରମିତ ହେଉଛନ୍ତି ସ୍ଥାନୀୟ ଲୋକେ । ଗତ ଦୁଇବର୍ଷ ପୂର୍ବେ ନିପା ଭାଇରସ କେରଳରେ ତାଣ୍ଡବ ରଚିଥିବା ବେଳେ ଏବେ ପୁଣି କଡ଼ ଲେଉଟାଇଲା ଭଳି ମନେ ହେଉଛି । ବିଶେଷ କରି କେରଳରେ ଅନେକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ 2ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଅନୁମାନ କରାଯାଉଛି।

ଏନେଇ ଗତକାଲି(ସୋମବାର) ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପକ୍ଷରୁ କୁହାଯାଇଛି ଯେ, କୋଜିକୋଡରେ 2 ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ସେମାନଙ୍କର ଜଣେ ସମ୍ପର୍କୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ସ୍ବାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ରଖାଯାଇଛି ।" କେରଳର ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ନିପା ଭାଇରସ ସ୍ଥିତି ନେଇ ଉଚ୍ଚ ବୈଠକ କରି ସ୍ଥିତି ସମୀକ୍ଷା କରିଥିଲେ । କୋଜିକୋଡରେ ଦୁଇଜଣ ନିପା ଭାଇରସରେ ପ୍ରାଣ ହରାଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପରୀକ୍ଷା ନିରୀକ୍ଷା ଆରମ୍ଭ ହୋଇଛି । ତେବେ ଆଜି ଅପରାହ୍ନ ସୁଦ୍ଧା ପ୍ରକୃତ କାରଣ ସ୍ପଷ୍ଟ ହୋଇପାରିବ ବୋଲି କୁହାଯାଇଛି ।

ସୂଚନାଅନୁସାରେ, 1998 ମସିହାରେ ମାଲେସିଆର କାମ୍ପୁଙ୍ଗ ସୁଙ୍ଗାଇରେ ବିସ୍ଫୋରଣ ସମୟରେ ନିପା ଭାଇରସ ଚିହ୍ନଟ ହୋଇଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିପାକୁ ଏକ ଜୋନୋଟିକ ଭାଇରସ ବୋଲି ବର୍ଣ୍ଣନା କରାଯାଇଛି। ଏହା ସାଧାରଣତଃ ପଶୁମାନଙ୍କ ଠାରୁ ମଣିଷମାନଙ୍କୁ ସଂକ୍ରମିତ କରିଥାଏ। ତେବେ ଦୂଷିତ ଖାଦ୍ୟପଦାର୍ଥ ଦ୍ବାରା ଏହା ଜଣେ ମନୁଷ୍ୟଠାରୁ ମଧ୍ୟ ଅନ୍ୟଜଣଙ୍କୁ ବ୍ୟାପିଥାଏ । ଏକ ରିପୋର୍ଟରେ କୁହାଯାଇଛି ଯେ, ଏହି ରୋଗ ପଶୁମାନଙ୍କଠାରୁ ହୋଇଥାଏ କିନ୍ତୁ ଜଣେ ମନୁଷ୍ୟ ସଂକ୍ରମିତ ହେବା ପରେ ଏହା ଅନ୍ୟମାନଙ୍କୁ ସଂକ୍ରମିତ କରିପାରେ ।

ଏହା ମଧ୍ୟ ପଢନ୍ତୁ: ନିପାତ ହେଉନି ନିପା, ଜାଣନ୍ତୁ ଲକ୍ଷଣ ଓ କାରଣ

ନିପା ଭାଇରସର ଲକ୍ଷଣ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ନିପା ଭାଇରସ ସଂକ୍ରମଣର ଲକ୍ଷଣ ମଧ୍ୟରେ ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ବାନ୍ତି ଏବଂ ଗଳାର ଫୁଲା ହୋଇଥାଏ । ଏହା ଏନସେଫ୍ଲାଇଟିସ ସମେତ ସାମାନ୍ୟରୁ ଗୁରୁତର ରୋଗର କାରଣ ହୋଇପାରେ ଏବଂ କେତେକ କ୍ଷେତ୍ରରେ ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ରହିଥାଏ । ସଂକ୍ରମିତ ହେବାର 4ରୁ 14 ଦିନ ମଧ୍ୟରେ ଏହାର ଲକ୍ଷଣ ଦେଖାଯାଇଥାଏ । ବିଶେଷ କରି ଶ୍ବାସରୋଗର ଲକ୍ଷଣ ଯଥା କାଶ, ନିଶ୍ୱାସ ନେବାରେ ଅସୁବିଧା ଏବଂ ଗଳା ଯନ୍ତ୍ରଣା ହୋଇଥାଏ । କେତେକ କ୍ଷେତ୍ରରେ ଏହା ନିମୋନିଆ ମଧ୍ୟ ସୃଷ୍ଟି କରିଥାଏ । ଏହି ଜୀବାଣୁ ମସ୍ତିଷ୍କ ଏବଂ ଫୁସ୍‌ଫୁସ୍‌କୁ ସଂକ୍ରମଣ କରେ । ସଂକ୍ରମିତ ହେବା ପରେ 14 ଦିନ ଧରି ଲକ୍ଷଣ ଦେଖାଯାଇଥାଏ । ଏହି ରୋଗରୁ ଆରୋଗ୍ୟ ହେବା ପରେ ମଧ୍ୟ କିଛି ଦିନ ଧରି ଶରୀରରେ ରୋଗର ଲକ୍ଷଣ ଦେଖାଯାଇଥାଏ ।

କହିରଖୁଛୁ କି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବର୍ତ୍ତମାନ ନିପା ଭାଇରସ ସଂକ୍ରମଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ କିମ୍ବା ଟିକା ବାହାରିପାରି ନାହିଁ । ଯଦି ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ ଆବଶ୍ୟକ । ରକ୍ତ ଏବଂ ପରିସ୍ରା ପରୀକ୍ଷା, RTPCR ସାହାଯ୍ୟରେ ଏହା ନିଶ୍ଚିତ ହୋଇପାରିବ । ସୁସ୍ଥ ହେବା ପରେ ଆଣ୍ଟିବଡି ପରୀକ୍ଷା କରାଯାଇଥାଏ । ଗଳା ଏବଂ ନାକ କିମ୍ବା ମେରୁଦଣ୍ଡର ତରଳ ନମୁନାରୁ ନିଆଯାଇଥିବା ସ୍ବାବ୍‌ଗୁଡିକ ପରୀକ୍ଷା ପାଇଁ ବ୍ୟବହୃତ ହୁଏ । କୁହାଯାଏ ଏହା ବାଦୁଡ଼ି ଭଳି ଦେଖାଯାଉଥିବା ପକ୍ଷୀ ବା ଚେମେଡିଙ୍କଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି । କଦଳୀ, ଭଣ୍ଡା ଏବଂ ତାଡ଼ିଠାରୁ ଦୂରେଇ ରହିବା ଉଚିତ । ବିଶେଷ କରି ମାଂସ ଖାଇବା ପାଇଁ ପରାମର୍ଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.