ETV Bharat / sukhibhava

ହଟିବ ଅଙ୍ଗଦାନ ପାଇଁ ଥିବା ନିୟମ, ଲାଗୁ ହେବ 'ୱାନ୍ ନେସନ୍, ୱାନ୍ ପଲିସି' ଯୋଜନା

author img

By

Published : Feb 17, 2023, 12:51 PM IST

ଅଙ୍ଗଦାନ ଓ ପ୍ରତ୍ୟାରୋପଣ କ୍ଷେତ୍ରରେ ଯୁଗାନ୍ତକାରୀ ପଦକ୍ଷେପ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ଏଣିକି ଦେଶରେ ଲାଗୁ ହେବ 'ୱାନ୍ ନେସନ୍, ୱାନ୍ ପଲିସି' ଯୋଜନା । ଅଧିକ ପଢନ୍ତୁ

organ donation
organ donation

ନୂଆଦିଲ୍ଲୀ: ମୃତ୍ୟୁର ପାଦଦେଶରେ ଥାଇ ଅନେକ ବ୍ୟକ୍ତି ଜୀବତ ରହିଯାଆନ୍ତି, ଅଙ୍ଗଦାନ ମାଧ୍ୟମରେ । ଆମ ଦେଶରେ ଅନେକ ବ୍ୟକ୍ତି ଅଙ୍ଗଦାନ କରିବାକୁ ଆଗେଇ ଆସିଥାନ୍ତି । ଆଉ ଏହି ମହାନତା ପାଇଁ ଲିଭି ଯାଉଥିବା ଅନେକ ଜୀବନ ଦୀପ ପୁନର୍ବାର ଆଲୋକିତ ହୋଇଉଠେ । ମାତ୍ର ବେଳେ ବେଳେ ଏହି ପ୍ରକ୍ରିୟା ବିଳମ୍ବ ହୋଇଯାଏ । ଅଙ୍ଗଦାନ ସତ୍ତ୍ବେ ସଠିକ୍ ସମୟରେ ପ୍ରାପ୍ତକର୍ତ୍ତାଙ୍କ ଶରୀରରେ ପ୍ରତ୍ୟାରୋପଣ ହୋଇପାରେନି ବହୁମୂଲ୍ୟ ଅଙ୍ଗ । ଫଳରେ ଦାତାଙ୍କ ତ୍ୟାଗର ସଠିକ୍ ବିନିଯୋଗ କରାଯାଇ ପାରେନା ।

ଏପରି ସମସ୍ୟାକୁ ଏଡାଇବା ପାଇଁ କେନ୍ଦ୍ର ସରକାର ନେବାକୁ ଯାଉଛନ୍ତି ଯୁଗାନ୍ତକାରୀ ପଦକ୍ଷେପ । ଅଙ୍ଗଦାନ ପାଇଁ କେନ୍ଦ୍ର ଆଣିବାକୁ ଯାଉଛି "ୱାନ୍ ନେସନ୍, ୱାନ୍ ପଲିସି" ଯୋଜନା । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, "ଅଙ୍ଗ ପ୍ରାପ୍ତକର୍ତ୍ତାଙ୍କ ଆବଶ୍ୟକତାକୁ ଦୂର କରିବା ପାଇଁ 'ୱାନ୍ ନେସନ୍, ୱାନ୍ ପଲିସି' ଆରମ୍ଭ କରିବାକୁ ଯାଉଛି କେନ୍ଦ୍ର । ଏ ବାବଦରେ ସମଗ୍ର ରାଜ୍ୟକୁ ମଧ୍ୟ ସୂଚାଇ ଦିଆଯାଇଛି ।

ଏହି ନୂତନା ଯୋଜନା ଆଧାରରେ ଏଣିକି ଜଣେ ବ୍ୟକ୍ତି ଦେଶର ଯେକୌଣସି ରାଜ୍ୟକୁ ଯାଇ ଅଙ୍ଗ ପାଇବା ପାଇଁ ପଞ୍ଜିକୃତ କରିପାରିବେ । ଏଥିସହ ଆବଶ୍ୟକତା ଅନୁସାରେ ଉକ୍ତ ସ୍ଥାନରେ ମଧ୍ୟ ଟ୍ରାନ୍ସପ୍ଲାଣ୍ଟ(ପ୍ରତ୍ୟାରୋପଣ) କରିପାରିବେ । ପୂର୍ବରୁ ରାଜ୍ୟଗୁଡିକ ଦାନ ନୀତିରେ ଅଙ୍ଗଦାନ କରାଯାଉଥିଲା । ଏଥିପାଇଁ ଅଙ୍ଗ ପ୍ରାପ୍ତ କରିବାକୁ ଥିବା ବ୍ୟକ୍ତି ସମାନ ରାଜ୍ୟର ହୋଇଥିବା ଜରୁରୀ ପଡୁଥିଲା ।"

ନୂତନ ଯୋଜନା କାର୍ଯ୍ୟକାରୀ ହେଲେ, ଆଗାମୀ ଦିନରେ ଅଙ୍ଗ ଆବଶ୍ୟକତା କରୁଥିବା ଜଣେ ବ୍ୟକ୍ତି ବିନା ପ୍ରତିବନ୍ଧକରେ ଦେଶର ଯେକୌଣସି ରାଜ୍ୟରୁ ଅଙ୍ଗ ପ୍ରାପ୍ତ କରିପାରିବ । ସୂତ୍ରରୁ ପ୍ରକାଶ ସୂଚନା ଅନୁସାରେ, ନ୍ୟାସନାଲ୍ ଅର୍ଗାନ୍ ଆଣ୍ଡ୍ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ ଗାଇଡଲାଇନ୍‌ର ଏକ ଧାରାକୁ ମଧ୍ୟ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । କାରଣ ଏହି ଧାରା ଜୀବନ ଅଧିକାରକୁ ଖଣ୍ଡନ କରୁଛି ବୋଲି ଦର୍ଶାଯାଇଛି । ଏହି ଆଧାରରେ ବର୍ତ୍ତମାନ କୌଣସି ବୟସର ବ୍ୟକ୍ତି ଅଙ୍ଗ ପ୍ରତିରୋପଣ ପାଇଁ ପଞ୍ଜୀକୃତ କରିପାରିବେ ।

ପୂର୍ବ ନିର୍ଦ୍ଦେଶାବଳୀ ଅନୁଯାୟୀ, 65 ବର୍ଷରୁ ଅଧିକ ବ୍ୟକ୍ତି ଅଙ୍ଗ ଗ୍ରହଣ ଏବଂ ଅଙ୍ଗଦାନ ପାଇଁ ପଞ୍ଜିକରଣ କରିପାରୁ ନଥିଲେ । ଏହି ବୟସ ସୀମାକୁ ରଦ୍ଦ କରିବାକୁ କେନ୍ଦ୍ର ନିଷ୍ପତ୍ତି ନେଇଛି । ବର୍ତ୍ତମାନ ଯେକୌଣସି ବୟସର ବ୍ୟକ୍ତି ଅଙ୍ଗ ଗ୍ରହଣ ପାଇଁ ପଞ୍ଜିକୃତ କରିପାରିବେ । ଏହି ନୀତି କାର୍ଯ୍ୟକାରୀ କରିବା ପାଇଁ ଭାରତ ସରକାର ସମସ୍ତ ରାଜ୍ୟ ସହ ଜାନୁଆରୀ 9ରେ ଏକ ପରାମର୍ଶଦାତା ବୈଠକ କରିଥିଲେ । ଗତ ବର୍ଷ ସେପ୍ଟେମ୍ବରରେ ମଧ୍ୟ ଡାକ୍ତରମାନେ ମୃତ ବ୍ୟକ୍ତିଙ୍କର କିପରି ଅଙ୍ଗଦାନ କରାଯାଇ ପାରିବ ସେ ଦିଗରେ କାର୍ଯ୍ୟ କରିବାକୁ ସରକାରଙ୍କୁ ପରାମର୍ଶ ଦେଇଥିଲେ ।

ଅଙ୍ଗଦାନ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ସରକାର ସ୍କୁଲ ପାଠ୍ୟକ୍ରମରେ ଏକ ବିଷୟ ଉପସ୍ଥାପନ କରିବାକୁ ମଧ୍ୟ ଯୋଜନା କରୁଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, 2013 ରୁ 2022 ମଧ୍ୟରେ ଅଙ୍ଗ ପ୍ରତିରୋପଣ ତିନି ଗୁଣା ବୃଦ୍ଧି ପାଇଛି । ମୋଟ ଅଙ୍ଗ ପ୍ରତିରୋପଣ 4,990 ରୁ 15,561କୁ ବୃଦ୍ଧି ପାଇଛି । 15,561 ପ୍ରତିରୋପଣ ମଧ୍ୟରୁ ଅଧିକାଂଶ 12,791(82 ପ୍ରତିଶତ) ଜୀବନ୍ତ ଅଙ୍ଗ ପ୍ରତିରୋପଣ କରାଯାଇ ଥିବାବେଳେ 2,765( 18 ପ୍ରତିଶତ) ମୃତ ଅଙ୍ଗ କିମ୍ବା କ୍ୟାଡଭର ଟ୍ରାନ୍ସପ୍ଲାଣ୍ଟ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.