ETV Bharat / state

ITDA ପକ୍ଷରୁ ଚାଷୀଙ୍କୁ ମିଳୁଛି ପ୍ରୋତ୍ସାହନ, ଆଦିବାସୀ ଜନଜାତି ପାଉଛନ୍ତି ଜୀବିକା

author img

By

Published : May 3, 2023, 3:28 PM IST

ସୁନ୍ଦରଗଡ଼ ଜିଲ୍ଲାରେ ଆଇଟିଡିଏ ପକ୍ଷରୁ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯାଉଛି । ଆଦିବାସୀ ଜନଜାତି ବର୍ଗର ଚାଷୀ ପାଉଛନ୍ତି ଜୀବିକା । ଅଧିକ ପଢନ୍ତୁ

ITDA ପକ୍ଷରୁ ଚାଷୀଙ୍କୁ ମିଳୁଛି ପ୍ରୋତ୍ସାହନ
ITDA ପକ୍ଷରୁ ଚାଷୀଙ୍କୁ ମିଳୁଛି ପ୍ରୋତ୍ସାହନ

ITDA ପକ୍ଷରୁ ଚାଷୀଙ୍କୁ ମିଳୁଛି ପ୍ରୋତ୍ସାହନ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ଜନଜାତି ବର୍ଗର ଚାଷୀମାନଙ୍କୁ ଦୀର୍ଘ ସ୍ଥାୟୀ ଜୀବିକା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ଫଳ ଚାଷ କରାଯାଉଛି। ଚାଷୀମାନେ ସେମାନଙ୍କ ପଡ଼ିଆ ଜମିରେ ଆମ୍ବ, କାଜୁ ଓ ଲେମ୍ବୁ ଆଦି ଚାରା ଲଗାଉଛନ୍ତି । ଏଥିପାଇଁ ସୁନ୍ଦରଗଡ଼ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ) ପକ୍ଷରୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି । ସୁନ୍ଦରଗଡ଼ ଆଇଟିଡିଏ ଅଧୀନରେ ଥିବା ମୋଟ ୯ଟି ବ୍ଲକରେ ଏହି ଫଳ ଚାଷ କରାଯାଉଛି । ୨୦୨୦-୨୧ରୁ ବର୍ତ୍ତମାନ ସୁଦ୍ଧା ଏହି ଚାଷରେ ୧୧୭୦ରୁ ଅଧିକ ହିତାଧିକାରୀ ଯୋଡ଼ି ହୋଇଛନ୍ତି । ୧୯୦୦ରୁ ଅଧିକ ଏକର ଜମିରେ ଆମ୍ବ, କାଜୁ ଓ ଲେମ୍ବୁ ଚାଷ କରାଯାଉଛି । ୨୦୨୨-୨୩ରୁ ଲେମନ ଗ୍ରାସ୍ ଚାଷ ଲାଗି ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି । ତେବେ ଏହାର ଲାଭ ଉଠାଇ ଖୁବ୍‌ ଖୁସିରେ ଅଛନ୍ତି ଚାଷୀ ।

ଏନେଇ ଖୁସିରେ ଚାଷୀମାନେ କହିଛନ୍ତି, "୫ ଏକର ଜମି ପଡ଼ିଆ ପଡ଼ିଥିଲା । ଏହା ପଥୁରିଆ ଥିବାରୁ ଏଥିରେ କୌଣସି ଚାଷ ହେଉ ନଥିଲା । ଏହି ଜମିରେ ଆମ୍ବ ଗଛ ଲଗାଇବାକୁ ସୁନ୍ଦରଗଡ଼ ଆଇଟିଡିଏର ଅଧିକାରୀମାନେ ଆସି ସମସ୍ତ ଚାଷୀମାନଙ୍କ ଏହି ଆମ୍ବ ଚାଷର ଉପକରିତା ବୁଝାଇଥିଲେ। ମୁଁ ସେଠି ଆମ୍ବ ଗଛ ଲଗାଇଥିଲି । ଚଳିତ ବର୍ଷ ପ୍ରଥମ ଥର ପାଇଁ ଫଳ ଆସିଛି । ଏହାସହ ତରଭୁଜ ଚାଷ ମଧ୍ୟ ଆମେ କରିଛୁ ।"

କାଜୁ ଚାଷ କରୁଥିବା ଚାଷୀମାନେ ମଧ୍ୟ ଏହାର ସୁଫଳ ଖୁବ ମାତ୍ରାରେ ପାଉଛନ୍ତି । ସେମାନେ କହିଛନ୍ତି, "କାଜୁ ଚାରା ଏବଂ ଖତ ସାର ଆଦି ସମସ୍ତଙ୍କୁ ମାଗଣାରେ ମିଳିଥିଲା । କାଜୁ ଗଛଗୁଡ଼ିକ ଏବେ ବଢ଼ି ଗଲାଣି । ଆସନ୍ତା ବର୍ଷକୁ ଫଳ ଆସିଯିବ। ଏହାକୁ ବିକ୍ରି କରି ଦି ପଇସା ଲାଭ କରିବେ ବୋଲି ଆଶା ରଖିଛୁ । ଫଳ ଚାଷ ପାଇଁ ହିତାଧିକାରୀମାନଙ୍କୁ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ମାଗଣାରେ ଚାରା ଓ ଜୈବିକ ସାର ଦିଆଯାଉଛି । ଏହି ଚାରାଗୁଡ଼ିକର ସୁରକ୍ଷା ପାଇଁ ତାରବାଡ଼ ମଧ୍ୟ ଯୋଗାଇ ଦିଆଯାଉଛି । ଚାରା ଲଗାଇବାଠୁ ଆରମ୍ଭକରି ୩ ବର୍ଷ ଯାଏଁ ଏହାର ରକ୍ଷଣାବେକ୍ଷଣ କରାଯାଉଛି । ଏ ବାବଦରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶ୍ରମଜୀବୀମାନଙ୍କୁ ମଜୁରି ସହାୟତା ଦିଆଯାଉଛି। ତା’ଛଡ଼ା ଜଳସେଚନ ସୁବିଧା ପାଇଁ ପ୍ରତି ୫ ଏକର ଜମିରେ ଗୋଟିଏ ଲେଖାଏଁ କୂଅ ଖୋଳାଯାଉଛି ।"

ସୁନ୍ଦରଗଡ଼ ଆଇଟିଡିଏର ଏକ ସୁଦୂରପ୍ରସାରୀ କାର୍ଯ୍ୟକ୍ରମ ହେଉଛି ଫଳ ଚାଷ । ଆଦିବାସୀ ବର୍ଗର ଚାଷୀଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏଥିରେ ମହାତ୍ମା ଗାନ୍ଧୀ ନରେଗା ଯୋଜନାକୁ ଯୋଡ଼ା ଯାଇଥିବାରୁ ସ୍ଥାନୀୟ ଲୋକମାନେ ମଧ୍ୟ ଜୀବିକା ପାଇ ପାରୁଛନ୍ତି । ଆଗାମୀ ଦିନରେ ଏହାକୁ ଆହୁରି ବ୍ୟାପକ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି ସୁନ୍ଦରଗଡ଼ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ । ଫଳ ଚାରା ଫଳନ୍ତି ଅବସ୍ଥାକୁ ଆସିବା ଲାଗି ୨ରୁ ୩ ବର୍ଷ ସମୟ ଲାଗିଥାଏ । ଏହି ଅବଧି ଭିତରେ ଚାଷୀମାନଙ୍କୁ ରୋଜଗାର ଦେବା ପାଇଁ ମିଶନ ଜୀବିକା ଅଧୀନରେ ଇଣ୍ଟରକ୍ରପିଂକୁ ଗୁରୁତ୍ୱ ଦିଆଯାଉଛି । ଚାଷୀମାନେ ଆମ୍ବ, କାଜୁ ଓ ଲେମ୍ବୁ ବଗିଚା ଭିତରେ ଆଳୁ, ତରଭୁଜ, ଟମାଟୋ, ବାଇଗଣ, ଲଙ୍କା ଆଦି ଚାଷ କରିଛନ୍ତି । ଏହାକୁ ସେମାନେ ସ୍ଥାନୀୟ ବଜାରରେ ବିକ୍ରି କରି ଭଲ ଦି ପଇସା ପାଉଛନ୍ତି ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.