ETV Bharat / state

ହକି ଭିଲେଜ ଥାଉ ଥାଉ ଅନ୍ୟତ୍ର ହୋଟେଲରେ ରହୁଛନ୍ତି ଖେଳାଳି, ପ୍ରଶ୍ନ ଉଠାଇଲେ କ୍ରୀଡ଼ାପ୍ରେମୀ

author img

By

Published : Mar 14, 2023, 8:59 PM IST

ରାଉରକେଲାରେ ଚାଲିଥିବା ହକି ପ୍ରୋ ଲିଗ୍‌ରେ ଖେଳୁଥିବା ଖେଳାଳିମାନେ କୋଟି କୋଟି ଟଙ୍କାରେ ନିର୍ମିତ ହକି ଭିଲେଜରେ ନରହି ଘରୋଇ ହୋଟେଲରେ ରହୁଛନ୍ତି । ଏନେଇ ପ୍ରଶ୍ନ ଉଠାଇଛନ୍ତି କ୍ରୀଡ଼ାପ୍ରେମୀ ଓ ସହରବାସୀ । ଅଧିକ ପଢ଼ନ୍ତୁ

ହକି ଭିଲେଜ୍‌କୁ ଅଣଦେଖା !
ହକି ଭିଲେଜ୍‌କୁ ଅଣଦେଖା !

ହକି ଭିଲେଜ୍‌କୁ ଅଣଦେଖା !

ରାଉରକେଲା: ରାଉରକେଲାରେ ସଫଳ ରୂପରେ ଆୟୋଜନ ହେଲା ହକି ବିଶ୍ୱକପ । ତେବେ ହକି ବିଶ୍ୱକପ ପାଇଁ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ନିର୍ମାଣ ହୋଇଥିଲା ବିଶ୍ୱକପ ହକି ଭିଲେଜ । ପ୍ରାୟ ୨୨୫ ରୁମ ବିଶିଷ୍ଟ ଏହି ହକି ଭିଲେଜକୁ ଉଦ୍‌ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହକି ଭିଲେଜଟି ତିଆରି କରିବାର ମୂଳ ଉଦ୍ଦେଶ୍ୟ ଥିଲା ଯେ ରାଉରକେଲା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଯେତେବେଳେ ଅନ୍ତର୍ଜାତୀୟ ହକି ମ୍ୟାଚ ଅନୁଷ୍ଠିତ ହେବ, ଏହି ହକି ଭିଲେଜରେ ସମସ୍ତ ଖେଳାଳି ରହିବେ । ଯେଉଁଠାରେ ଅତ୍ୟାଧୁନିକ ବ୍ୟବସ୍ଥା ସହ ପାଖରେ ଷ୍ଟାଡିୟମ ଓ ପ୍ରାକ୍ଟିସ ଗ୍ରାଉଣ୍ଡ ମଧ୍ୟ ଉପଲବ୍ଧ ଥିଲା । କିନ୍ତୁ ବର୍ତ୍ତମାନ ଏହି ହକି ଭିଲେଜକୁ ରାଜ୍ୟ ସରକାର ଏବଂ ପ୍ରଶାସନ ପକ୍ଷରୁ ଅବହେଳା କରାଯାଇଥିବା ଅଭିଯୋଗ ହୋଇଛି ।

ବର୍ତ୍ତମାନ ରାଉରକେଲା ସହରରେ ଆୟୋଜନ ହେଉଛି ହକି ପ୍ରୋ ଲିଗ୍‌ (FIH Pro League) । ଖୁବ ସୁରୁଖୁରୁରେ ଆୟୋଜନ ହେଉଛି ହକି ପ୍ରୋ ଲିଗ । 3ଟି ଦେଶ ଭାରତ, ଜର୍ମାନୀ ଏବଂ ଅଷ୍ଟ୍ରେଲିଆ ଦଳ ଆସି ପ୍ରୋ ଲିଗରେ ନିଜର ଖେଳ ପ୍ରଦର୍ଶନ କରୁଛନ୍ତି । କିନ୍ତୁ ଅନ୍ୟପକ୍ଷରେ ହକି ଖେଳାଳିଙ୍କ ରହିବା ନେଇ ଅବହେଳା ହୋଇଥିବା ଦେଖିବାକୁ ମିଳିଛି । ଖେଳାଳିଙ୍କ ପାଇଁ ହୋଇଥିବା ହକି ଭିଲେଜ ବର୍ତ୍ତମାନ ଅଣଦେଖା ହୋଇ ପଡ଼ିଛି । ଫଳରେ ହକି ଭିଲେଜ ବଦଳରେ ହୋଟେଲରେ ରହୁଛନ୍ତି ସମସ୍ତ ଦେଶର ଖେଳାଳି । ହକି ବିଶ୍ୱକପ ଶେଷ ହେବାର ମାତ୍ର ମାସେ ସମୟ ବିତିଛି । ଏହାରି ମଧ୍ୟରେ ସରକାରଙ୍କ ଏଭଳି ଅବ୍ୟବସ୍ଥା ପଡିଛି ଲୋକଙ୍କ ସାମ୍ନାରେ । ତେବେ ହକି ପ୍ରୋ ଲିଗ୍‌ ସମୟରେ ଖେଳାଳି ମାନଙ୍କୁ ପ୍ରଶାସନ ପକ୍ଷରୁ ରାଉରକେଲା ସହରର ହୋଟେଲ ଗୁଡିକରେ ରଖାଯାଇଛି । ଯାହାକୁ ନେଇ ବର୍ତ୍ତମାନ ରାଉରକେଲା ସହରବାସୀ ଏବଂ କ୍ରୀଡାପ୍ରେମୀଙ୍କ ମନରେ ଉଠିଛି ମାରୁଛି ଅନେକ ପ୍ରଶ୍ନ ।

କ'ଣ ପାଇଁ ହକି ଖେଳାଳିଙ୍କୁ ହକି ଭିଲେଜରେ ନରଖି ଅନ୍ୟତ୍ର ହୋଟେଲରେ ରଖାଗଲା ? କ'ଣ ପାଇଁ ବ୍ୟବହାର ହୋଇ ପାରିଲା ନାହିଁ ହକି ଭିଲେଜ ? କେଉଁଠି ରହିଲା ଅସୁବିଧା ? ତେବେ ଏନେଇ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, "ହକି ଭିଲେଜରେ ବର୍ତ୍ତମାନ ମଧ୍ୟ ହକି ଖେଳାଳି ମାନଙ୍କ ରହିବା ସୁବିଧା ରହିଛି । କିନ୍ତୁ ଯେହେତୁ ତାଜ ଗ୍ରୁପ ସହ କଣ୍ଟ୍ରାକ୍ଟ ଶେଷ ହୋଇଯାଇଛି, ତେଣୁ ଖେଳାଳିଙ୍କ ଖାଦ୍ୟ ଉପରେ କୌଣସି ପ୍ରଭାବ ନପଡୁ, ସେଥିପାଇଁ ସମସ୍ତ ଖେଳାଳିଙ୍କୁ ବିଭିନ୍ନ ଘରୋଇ ହୋଟେଲ ଗୁଡିକରେ ରହିବାର ବ୍ୟବସ୍ଥା କରାଯାଇଛି । ଯେଉଁଠାରେ ସେମାନଙ୍କୁ ରହିବା ଖାଇବା ନେଇ ଅସୁବିଧା ହେବନାହିଁ ।" କିନ୍ତୁ ମନ୍ତ୍ରୀଙ୍କ ଏହି ମନ୍ତବ୍ୟକୁ ବର୍ତ୍ତମାନ କ୍ରୀଡାପ୍ରେମୀ ଏବଂ ରାଉରକେଲା ସହରବାସୀ ହାସ୍ୟାସ୍ପଦ ବୋଲି କହିଛନ୍ତି ।

ସେପଟେ ଯେଉଁଥିପାଇଁ ହକି ଭିଲେଜ ନିର୍ମାଣ ହୋଇଥିଲା, ତାହା ନିଜର ଉଦ୍ଦେଶ୍ୟ ହରାଇଛି ବୋଲି କ୍ରୀଡା ସମୀକ୍ଷକ ଓ ସହରବାସୀ ଅଭିଯୋଗ କରିଛନ୍ତି । ରାଜ୍ୟ ସରକାର ଯଦି ଚାହିଁଥାନ୍ତେ, ତେବେ ରାଉରକେଲା ସହରର କୌଣସି ଘରୋଇ ହଟେଲକୁ ଖାଇବାର କଣ୍ଟ୍ରାକ୍ଟ ଦେଇ ପୁଣି ସେହି ହକି ଭିଲେଜକୁ ବ୍ୟବହାର କରି ପରିଥାନ୍ତେ । କିନ୍ତୁ ରାଜ୍ୟ ସରକାର ଲୋକଙ୍କ ଟଙ୍କାରେ କୋଟି କୋଟି ଟଙ୍କାର ହକି ଭିଲେଜକୁ ଅବ୍ୟବସ୍ଥା ଭିତରକୁ ଠେଲି ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି । ଲୋକେ କହିଛନ୍ତି ଯେ ଖେଳାଳି ମାନଙ୍କ ମନରେ ମଧ୍ୟ ଏହାକୁ ନେଇ ଆଶଙ୍କା ସୃଷ୍ଟି ହେବ । ଏଭଳି ଭାବରେ ହକି ଭିଲେଜ ବ୍ୟତୀତ ଅନ୍ୟତ୍ର ରହିବା ଯୋଗୁଁ ଏନେଇ ଏକ ଖରାପ ବାର୍ତ୍ତା ମଧ୍ୟ ବିଦେଶୀ ଟିମ ଏବଂ ବିଦେଶକୁ ଯିବ ବୋଲି କହିଛନ୍ତି କ୍ରୀଡାପ୍ରେମୀ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.