ETV Bharat / state

ରାଉରକେଲା ସରକାରୀ ହସ୍ପିଟାଲକୁ କ୍ୟାପିଟାଲ ହସ୍ପିଟାଲ ମାନ୍ୟତା ପାଇଁ ତେଜିଲା ଦାବି

author img

By

Published : Mar 27, 2023, 10:15 PM IST

ରାଉରକେଲା ସରକାରୀ ହସ୍ପିଟାଲକୁ କେବେ ମିଳିବ କ୍ୟାପିଟାଲ ହସ୍ପିଟାଲ ମାନ୍ୟତା ? ରାଉରକେଲା ସରକାରୀ ହସ୍ପିଟାଲକୁ ରାଜ୍ୟ ସରକାର ଅବହେଳା କରୁଥିବା ଅଭିଯୋଗ କଲେ ବିରୋଧୀ । ଅଧିକ ପଢ଼ନ୍ତୁ

ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା
ପ୍ରତିଶ୍ରୁତି ପାଲଟିଛି ପ୍ରତାରଣା

ରାଉରକେଲା ସରକାରୀ ହସ୍ପିଟାଲକୁ କ୍ୟାପିଟାଲ ହସ୍ପିଟାଲ ମାନ୍ୟତା ଦାବି

ରାଉରକେଲା: ପ୍ରତିଶ୍ରୁତି ପାଲଟିଛି ପାଣିର ଗାର । ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି ବର୍ତ୍ତମାନ ପାଲଟିଛି ପ୍ରହସନ। ରାଉରକେଲା ସରକାରୀ ହସ୍ପିଟାଲକୁ ରାଜ୍ୟ ସରକାର ଅବହେଳା କରୁଥିବା ଅଭିଯୋଗ କରିଛନ୍ତି ବିରୋଧ ଦଳର ନେତାଏ । ରାଉରକେଲା ସରକାରୀ ହସ୍ପିଟାଲକୁ କ୍ୟାପଟାଲ ହସ୍ପିଟାଲର ମାନ୍ୟତା ଦେବାକୁ ଦାବି କରିଛନ୍ତି । ସରକାରୀ ହସ୍ପିଟାଲକୁ କ୍ୟାପଟାଲ ହସ୍ପିଟାଲର ମାନ୍ୟତା ନେଇ ଆଜି ମଧ୍ୟ ଚାହିଁ ବସିଛନ୍ତି ଲୋକେ ।

ସରକାର ଏବଂ ପ୍ରଶାସନର ଅବହେଳା ଯୋଗୁଁ ଏହା କ୍ୟାପିଟାଲ ହସ୍ପିଟାଲ ମାନ୍ୟତା ପାଇ ପାରୁନଥିବା ସାଧାରଣ ଲୋକେ ଅଭିଯୋଗ କରିଛନ୍ତି । ଅବ୍ୟବସ୍ଥା ମଧ୍ୟରେ ରହିଛି ରାଉରକେଲା ସରକାରୀ ହସ୍ପିଟାଲ । ପ୍ରତିଶ୍ରୁତିରେ ଅଟକି ରହିଛି ସମ୍ପୂର୍ଣ୍ଣ ରାଉରକେଲା ସହରର ସ୍ୱାସ୍ଥ୍ୟ ସେବା । ରାଉରକେଲା ସହର ରାଜ୍ୟର ଦ୍ୱିତୀୟ ସ୍ମାର୍ଟ ସିଟି ତଥା ସୁନ୍ଦରଗଡ଼ର ହୃଦୟ । ଏହି ରାଉରକେଲା ସରକାରୀ ହସ୍ପିଟାଲରେ ସମ୍ପୂର୍ଣ୍ଣ ସୁନ୍ଦରଗଡ଼ ଜିଲ୍ଲା ଉପାନ୍ତ ଅଞ୍ଚଳ କୋଇଡା, ଟେନସା, କାଲଟା, ରକ୍ସି, ଲହୁଣୀପଡା, ଗୁରୁଣ୍ଡିଆ, ଲାଠିକଟା, କୁଆରମୁଣ୍ଡା ସମେତ ଝାଡ଼ଖଣ୍ଡ, ଛତିଶଗଡ଼ ରାଜ୍ୟର ଅଧିକାଂଶ ଲୋକେ ନିର୍ଭର କରନ୍ତି । କିନ୍ତୁ ଆଜି ଯାଏଁ ରାଉରକେଲା ପ୍ରଶାସନ କି ରାଜ୍ୟ ସରକାର କେହି ଏହି ରାଉରକେଲା ସରକାରୀ ହସ୍ପିଟାଲକୁ କ୍ୟାପିଟାଲ ହସ୍ପିଟାଲ ଘୋଷଣା କରିବା ପାଇଁ ଚେଷ୍ଟା କରୁ ନାହାନ୍ତି ।

ରାଜ୍ୟ ସରକାର ଏହି ରାଉରକେଲା ସରକାରୀ ହସ୍ପିଟାଲକୁ କ୍ୟାପିଟାଲ ହସ୍ପିଟାଲ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ଏହି ହସ୍ପିଟାଲକୁ ୪୦୦ ବେଡ଼ ବିଶିଷ୍ଟ ହସ୍ପିଟାଲ କରାଯିବ ବୋଲି ମଧ୍ୟ ଘୋଷଣା କରିଥିଲେ । କିନ୍ତୁ ଆଜି ପର୍ଯ୍ୟନ୍ତ ରାଉରକେଲା ସରକାରୀ ହସ୍ପିଟାଲକୁ ନେଇ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇ ପାରିଲା ନାହିଁ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଏବଂ ରାଉରକେଲା ସରକାରୀ ହସ୍ପିଟାଲ ସ୍ଥାପନ ମଧ୍ୟରେ ମାତ୍ର ରହିଛି ଚାରି ବର୍ଷର ତଫାତ କିନ୍ତୁ ଭୁବନେଶ୍ୱରରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା ଏବଂ ରାଉରକେଲା ସରକାରୀ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା ମଧ୍ୟରେ ରହିଛି ଆକାଶ ପାତାଳ ଫରକ ।

ସାଲାଇନ ଲଗାଇ ଡାକ୍ତରଖାନାର ବେଡ଼ ତଳେ ଚିକିତ୍ସିତ ହେଉଛନ୍ତି ରୋଗୀ । ବର୍ତ୍ତମାନ ରାଉରକେଲା ସରକାରୀ ହସ୍ପିଟାଲରେ ବେଡ଼ ସଂଖ୍ୟା ୨୭୬ ରହିଛି କିନ୍ତୁ ରୋଗୀଙ୍କ ସଂଖ୍ୟା ବେଡ଼ ସଂଖ୍ୟାଠାରୁ ଢେର ଅଧିକ । ଅନ୍ୟ ପକ୍ଷରେ ଏହି ହସ୍ପିଟାଲରେ ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ଅବହେଳା ଯୋଗୁଁ ସର୍ଜିକାଲ ଅପରେସନ ଥିଏଟର ଏବଂ ଅର୍ଥୋପେଡିକ ଅପରେସନ ଥିଏଟର ବନ୍ଦ କରାଇଦିଆଯାଇଛି । ଯାହା ଫଳରେ ହନ୍ତସନ୍ତ ହେଉଛନ୍ତି ଲୋକେ । ତେବେ ବାରମ୍ବାର ଏହି ସବୁ ଦାବିକୁ ନେଇ ବିଭିନ୍ନ ସଂଗଠନ ଏବଂ ରାଜନୈତିକ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ସହ ଆନ୍ଦୋଳନ ହୋଇଛି କିନ୍ତୁ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗୁ ନଥିବା ଅଭିଯୋଗ କରିଛନ୍ତି ରାଉରକେଲାବାସୀ ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.